ପୁଲିସ ଅଧିକ ଦାୟିତ୍ୱ ଏବଂ ସମ୍ବେଦନତାର ସହ କାମ କରୁ: ମୁଖ୍ୟମନ୍ତ୍ରୀ

0

କଟକ : ସାଇବର ଓ ଅର୍ଥନୈତିକ ଅପରାଧ ବର୍ତ୍ତମାନ ରାଜ୍ୟ ପୁଲିସ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ରାଜ୍ୟରେ ଅଧିକରୁ ଅଧିକସାଇବର ଥାନା ଖୋଲାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ପୁଲିସର ୮୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଲେ ଯେ ଅପରାଧ କ୍ଷେତ୍ରରେ ପୁଲିସକୁ ଅତି ସତର୍କତାର ସହ କାର୍ଯ୍ୟ କରିବା ସହ ମହିଳା ସେଲ, ମହିଳା ଓ ଶିଶୁ ଡେକ୍ସ, ପୁଲିସ ଫୋର୍ସର ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ଉପରେ ଅଧିକ ଧ୍ୟାନଦେବା ପାଇଁ ପଡିବ। ଏକ ଲୋକାଭିମୁଖୀ ଓ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ ପୁଲିସ ବ୍ୟବସ୍ଥା ହିଁ ଆମ ସଭିଁଙ୍କର ଲକ୍ଷ୍ୟ। ଗରିବ, ସଂଖ୍ୟାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ, ମହିଳା ଓ ଶିଶୁମାନଙ୍କୁ ସେବା ଯୋଗାଇ ଦେବାରେ ପୁଲିସକୁ ଅଧିକ ଦାୟିତ୍ୱ ଏବଂ ସମ୍ବେଦନତାର ସହ କାମ କରିବା ପାଇଁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାର୍ମଶ ଦେଇଥିଲେ। ପ୍ରତ୍ୟେକ ଥାନାର ଇନ୍ସପେକ୍ଟରମାନେ ଅଭ୍ୟର୍ଥନା ଡେକ୍ସ ଅଧିକ କ୍ରିୟାଶୀଳ କରିବା ଉପରେ ଧ୍ୟାନ ଦେବା ଦରକାର ବୋଲି ସେ କହିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟରେ ମଡେଲ ପୁଲିସ ଥାନାର ପ୍ରତିଷ୍ଠା ସହିତ ମହିଳା କାଉନସେଲିଂ କେନ୍ଦ୍ର ସ୍ଥାପନ କରାଯିବା ସହ ଥ୍ରୀ-ଟି ମନ୍ତ୍ର ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅସିତ କୁମାର ପାଣିଗ୍ରାହୀ ପାଠ କରିଥିଲେ। ଇନ୍ସପେକ୍ଟର ଅରୁଣକୁମାର ସ୍ୱାଇଁ, ରାଇସେନ ମୁର୍ମୁ, କଳ୍ପନା ସାହୁ, ସୁବେଦାର ବିଦ୍ୟାଧର ସେଠୀ, ସବଇନ୍ସପେକ୍ଟର ଭବାନୀ ପ୍ରସାଦ ମିଶ୍ର, ଏଏସଆଇ ପ୍ରକାଶ ଚନ୍ଦ୍ର ଦଳେଇ, ହାବିଲଦାର ଜେନାମଣୀ ଭୋଇ, ଟ୍ରାଫିକ କନଷ୍ଟେବଳ ସନ୍ତୋଷ କୁମାର ଛୁଆଳସିଂହ, କନଷ୍ଟେବଳ ଦୁଷ୍ମନ୍ତ ପରିଡା, ଜିଓଗ୍ରେ ଲାକ୍ରାଙ୍କ ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। କଟକ ଷଷ୍ଠ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିବାବେଳେ ପରେଡରେ ଅଂଶ ଗ୍ରହଣ କରିଥିବା ଏସଓଜି ଦଳକୁ ପ୍ରଥମ ସ୍ଥାନ ଓ ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସକୁ ଦ୍ୱିତୀୟ ସ୍ଥାନ ମିଳିଥିଲା।

Leave A Reply