ଶ୍ରୀମନ୍ଦିର ସଂସ୍କାର କମିସନ ବନ୍ଦ ବିରୋଧରେ ବିକ୍ଷୋଭ

0

କଟକ  : ଶ୍ରୀମନ୍ଦିର ସଂସ୍କାର କମିସନ ବନ୍ଦ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ବଦ୍ରିନାଥ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ୨୦୧୬ ଜୁଲାଇ ୨୩ରେ ଏକ ବିଜ୍ଞପ୍ତି ପ୍ରକାଶ କରି ଅବସରପ୍ରାପ୍ତ ଜଷ୍ଟିସ ବିପି ଦାସଙ୍କୁ କମିସନ ଭାବେ ନିଯୁକ୍ତ ଦେଇଥିଲେ। କମିସନ ୨୦୧୭ ଏପ୍ରିଲ ୨୦ରେ ରାଜ୍ୟ ସରକାରଙ୍କୁ ତାଙ୍କର ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ପୁଣି ୬ଟି ଦିଗପ୍ରତି ତର୍ଜମା କରି କମିସନ ୬୦ପୃଷ୍ଟା ସମ୍ବଳିତ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଡିସେମ୍ବର ୭ରେ ପ୍ରଦାନ କରିଥିଲେ। ପ୍ରତି ୬ମାସରେ ଥରେ ସରକାର କମିସନଙ୍କ କାର୍ଯ୍ୟକାଳ ବଢ଼ାଇ ଆସୁଥିବା ବେଳେ ହଠାତ୍‍ କ’ଣ ପାଇଁ ଏହାକୁ ବନ୍ଦ କରିଦେଇଛନ୍ତି। ଫଳରେ ଏହାକୁ ନେଇ ବୃଦ୍ଧିଜୀବୀଠାରୁ ଆରମ୍ଭ କରି ଓଡ଼ିଶା ତଥା ବିଦେଶରେ ଥିବା ଜଗନ୍ନାଥ ପ୍ରେମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୍‍ଏହାଛଡ଼ା କମିସନ କାର୍ଯ୍ୟାକାଳ ବନ୍ଦ କରିଦେବା ଫଳରେ ଜଗତର ନାଥ ଜଗନ୍ମାଥ ମନ୍ଦିର ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସରକାର ତୁରନ୍ତ ତାଙ୍କର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବା ପାଇଁ ଆରଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ ସମାବେଶରେ ପ୍ରଭାରୀ ଆନନ୍ଦଜୀ, ରାମରାଜ୍ୟ ପରିଷଦର ସଂଯୋଜକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,ବିଶ୍ୱହିନ୍ଦୁ ପରିଷଦର ଉପସଭାପତି ଡଃ ମଳୟ ମହାନ୍ତି, ଉପେନ୍ଦ୍ର ଗୁରୁ,ପୀତାମ୍ବର ସାହୁ,ମଦନ ପରିଡ଼ା, ଦେବବ୍ରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply