ଚେନ୍ନଇୟିନ୍‍କୁ ହରାଇ କ୍ୱାର୍ଟରରେ ଆଇଜଲ୍‍

0

ଭୁବନେଶ୍ୱର : ରୋମାନିଆ ମଧ୍ୟପନ୍ଥି ଖେଳାଳି ଆନ୍ଦ୍ରେ÷ ଇଓନେସ୍କ୍ୟୁଙ୍କ ଡବଲ ଗୋଲ୍‍ ବଳରେ ଆଇଜଲ୍‍ ଏଫ୍‍ସି ସୁପର କପ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଶନିବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚରେ ଆଇଜଲ ଏଫ୍‍ସି ଟାଇବ୍ରେକରରେ ଚେନ୍ନଇୟିନ୍‍ ଏଫ୍‍ସିକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ୧-୧ ଏବଂ ଅତିରିକ୍ତ ସମୟ ପରେ ସ୍କୋର୍‍ ୨-୨ ଗୋଲ୍‍ ରହିବାରୁ ପେନାଲ୍‍ଟି ସୁଟ୍‍ଆଉଟ ହୋଇଥିଲା। ଏଥିରେ ଆଇଜଲ୍‍୍‍ ଏଫ୍‍ସି ୫-୩ରେ ବିଜୟୀ ହୋଇଥିଲା। ଏହି ପରାଜୟ ସହ ଆଇଏସ୍‍ଏଲ ଚମ୍ପିଆନ ଚେନ୍ନଇୟିନ୍‍ ଏଫ୍‍ସି ସୁପର କପ୍‍ ପ୍ରତିଯୋଗିତାରୁ ବିଦାୟ ନେଇଛି।
ମ୍ୟାଚ୍‍ ପ୍ରାରମ୍ଭରୁ ଆଇଜଲ ଏଫସି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୨ ମିନିଟ୍‍ରେ ଆଇଜଲ ଗୋଲ୍‍ର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିପକ୍ଷ ଦଳ ଗୋଲକିପର ବଲ୍‍କୁ ଅଟକାଇବାରେ ସକ୍ଷମ ହୋଇଥିଲେ। ୩ ମିନିଟ୍‍ରେ ଆଇଜଲକୁ ଆଉ ଏକ ସୁଯୋଗ ମିଳିଥିଲା। ଫ୍ରି କିକ୍‍ ସଟ୍‍ ଚେନ୍ନଇୟିନ୍‍ ଗୋଲପୋଷ୍ଟର ସାମାନ୍ୟ ଉପର ଦେଇ ଚାଲି ଯାଇଥିଲା। ୧୪ ମିନିଟ୍‍ରେ ଚେନ୍ନାଇୟିନ୍‍ ଗୋଲ ଦେବା ନେଇ ସୁଯୋଗ ସୃଷ୍ଟି କରିଥିଲା। ମହମ୍ମଦ ରଫିଙ୍କ ପାସ୍‍କୁ ଅନିରୁଦ୍ଧ ଥାପ୍ପା ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ୨୨ତମ ମିନିଟ୍‍ରେ ଆଇଜଲ ଫରୱାର୍ଡ ଜ୍ୟାକି ଲିଓନ୍‍ସ ଡୋଡୋଜଙ୍କ ଏକ ସୁନ୍ଦର ପାସ୍‍କୁ ଆନ୍ଦ୍ରେ÷ ଇଓନେସ୍କ୍ୟୁ ଚେନ୍ନଇୟିନ୍‍ ରକ୍ଷାପନ୍ଥୀକୁ ଭେଦକରି ଗୋଲଦେବାରେ ସକ୍ଷମ ହୋଇଥିଲେ। ୧-୦ ଗୋଲରେ ଆଗୁଆ ରହିବା ପରେ ଆଇଜଲ ଏଫ୍‍ସି ଅଧିକ ଆକ୍ରମଣ କରିଥିଲା। ୪୫ ମିନିଟ୍‍ରେ ମାସି ସାଘାନିଙ୍କ ପାସ୍‍କୁ ଅନିରୁଦ୍ଧ ଥାପ୍ପା ଗୋଲ ଦେବାରେ ବିଫଳ ହୋଇଥିଲେ। ଅନିରୁଦ୍ଧ ସିଧା ଗୋଲକିପରଙ୍କ ହାତକୁ ବଲ୍‍ ମାରିଥିଲେ।
ପ୍ରଥମାର୍ଦ୍ଧ ଶେଷରେ ଆଇଜଲ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଚେନ୍ନଇୟିନ୍‍ ଗୋଲ ପରିଶୋଧ କରିବା ନେଇ ରଣନୀତି ସହ ପଡ଼ିଆକୁ ଓହ୍ଳାଇଥିଲା। ୫୦ତମ ମିନିଟ୍‍ରେ ଚେନ୍ନଇୟିନ୍‍ ଗୋଲ ବରାବର କରିବା ନେଇ ସୁଯୋଗ ପାଇଥିଲେ ମଧ୍ୟ ପୂନର୍ବାର ବିଫଳ ହୋଇଥିଲା। ୮୯ତମ ମିନିଟରେ ବ୍ରାଜିଲିଆନ ଷ୍ଟ୍ରାଇକର ତଥା ଚେନ୍ନାଇୟିନ୍‍ ଅଧିନାୟକ ମେଲ୍‍ସନ ଆଲ୍‍ଭେସ ଏକ ଦର୍ଶନୀୟ ଗୋଲଦେଇ ମ୍ୟାଚକୁ ବରାବର କରିଥିଲେ। ନିର୍ଦ୍ଧାରିତ ସମୟ ଖେଳ ଗୋଲ ୧-୧ ବରାବର ରହିବାରୁ ଅତିରିକ୍ତ ସମୟ ଖେଳା ଯାଇଥିଲା। ଅତିରିକ୍ତ ସମୟର ପ୍ରଥମ ମିନିଟ୍‍ରେ ଏକ ଫ୍ରି କିକ୍‍କୁ ଆଇଜଲ ଏଫସିର ଆନ୍ଦ୍ରେ÷ ଇଓନେସ୍କ୍ୟୁ ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ୧୦୪ ମିନିଟ୍‍ରେ ଚେନ୍ନଇୟିନ ଏଫ୍‍ସି ପକ୍ଷରୁ ଏଲ୍‍. ଧନଚନ୍ଦ୍ର ସିଂହ ଗୋଲ୍‍ଦେଇ ମ୍ୟାଚକୁ ବରାବର କରିଥିଲେ। ଅତିରିକ୍ତ ସମୟ ପରେ ସ୍କୋର୍‍ ୨-୨ ରହିଥିଲା। ପରେ ପେନାଲ୍‍ଟି ସୁଟ୍‍ଆଉଟ୍‍ ହୋଇଥିଲା। ଏଥିରେ ଚେନ୍ନଇୟିନ୍‍ର ମହମ୍ମଦ ରଫି ଗୋଲ୍‍ଦେବାରେ ବିଫଳ ହେବାରୁ ଅନ୍ୟ ସମସ୍ତେ ଗୋଲ୍‍ ଦେଇଥିଲେ। ଫଳରେ ମିଜୋରାମର ଆଇଜଲ ଏଫ୍‍ସି ୫-୩ ଗୋଲ୍‍ରେ ଆଗରେ ରହିଥିଲା।
ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସଭାପତି ଦେବାଶିଷ ସାମନ୍ତରାୟ ଓ ଉପସଭାପତି ଭକ୍ତବଲ୍ଲଭ ଦାସ ଦୁଇ ଦଳ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।

Leave A Reply