କୋଣାର୍କ ପାରିପାର୍ଶ୍ବିକ ବିକାଶ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆଜି; ଯୋଗଦେବେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର
ଗୋପ : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କଠାରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ ପକ୍ଷରୁ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି ପାରିପାର୍ଶ୍ୱିକ ବିକାଶ ପ୍ରକଳ୍ପ। ରବିବାର ଏହାକୁ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ ଭାରତ, ଭୁଟାନ, ମାଲଦ୍ୱୀପ, ଶ୍ରୀଲଙ୍କାର ୟୁନିସ୍କୋ ପ୍ରତିନିଧି ତଥା ନିର୍ଦେଶକ ଶିଗେରୁ ଆୟୋଗୀ, ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଅଧ୍ୟକ୍ଷ ସଞ୍ଜୀବ ସିଂ ପ୍ରମୁଖ ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ପକ୍ଷରୁ କୋଣାର୍କ ଓ ଏହାର ଚର୍ତୁପାର୍ଶ୍ବକୁ ରୂପରେଖ ଦେବା ପାଇଁ ୨୦୧୩ ମସିହାରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଚାରିଚକିଆ ଯାନ, ଦୁଇ ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା, ପର୍ଯ୍ୟଟକମାନଙ୍କ ପାଇଁ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା, ପ୍ରତୀକ୍ଷା ଗୃହ, ଶୁଦ୍ଧ ପାନୀୟ ଜଳ, ଉଦ୍ୟାନ, ଜଳ ଉତ୍ସ, ପକ୍କା ସଡ଼କ ଆଦି କାର୍ଯ୍ୟ ଶେଷ ହୋଇଛି। ପ୍ରକଳ୍ପ ଉଦ୍ଘାଟନ ହେବା ପରେ ଏହି ବିଶ୍ୱ ପ୍ରସିଦ୍ଧ ଐତିହ୍ୟସ୍ଥଳରେ ବିଶ୍ୱସ୍ତରର ପର୍ଯ୍ୟଟନ ସୁବିଧା ଉପଲବ୍ଧ ହେବ ବୋଲି ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ ପକ୍ଷରୁ ସୂଚନା ମିଳିଛି।