ଏପ୍ରିଲ ୯ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ରୁକୁଣା ରଥଯାତ୍ରା ଓ ବାହୁଡା ଯାତ୍ରାରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି। ଜିଲାପାଳଙ୍କ ସହ ସମନ୍ବୟ ବୈଠକରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି। ଏପ୍ରିଲ ୯ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଦିନ ୧୨ଟା୩୦ରୁ ୧ଟା୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୁଢ଼ ନୀତି। ଅପରାହ୍ଣ ୩ଟା୩୦ରୁ ରଥଟଣା ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଏପ୍ରିଲ ୧୩ରେ ହେବା ନେଇ ମଧ୍ୟ ନିଷ୍ପତ୍ତି କରାଯାଇଛି।
ଆସନ୍ତା ଏପ୍ରିଲ ୯ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପଡୁଛି। ଏହି ଦିନ ଭୋର ୫ଟାରେ ମନ୍ଦିର ପହଡ ଖୋଲି ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି କରାଯିବ। ଏହାପରେ ଅନ୍ୟାନ୍ୟ ନୀତି ହୋଇ ଦିନ ସାଢେ ୧୨ଟାରୁ ସାଢେ ଗୋଟାଏ ଭିତରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେହୋଇ ଅପରାହ୍ଣ ସାଢେ୩ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସନ୍ଧ୍ୟା ସାଢେ୭ଟାରେ ଶ୍ରୀଜୀଉ ରାମେଶ୍ୱର ମନ୍ଦିରରେ ବିଜେ କରିବା ପରେ ସେଠାରେ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ। ସେହିପରି ଆସନ୍ତା ୧୩ ତାରିଖରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରରେ ଦିନ ସାଢେ ଗୋଟାଏ ମଧ୍ୟରେ ଅଧରପଣା ଭୋଗ କରାଯାଇ ଶ୍ରୀଜୀଉଙ୍କ ପହଣ୍ଡି ନୀତି ଅପରାହ୍ଣ ୩ଟାରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
Comments are closed.