www.samajalive.in
Wednesday, December 10, 2025
16.1 C
Bhubaneswar

ଦେଶର ୧୦ ପ୍ରମୁଖ ସହର ମଧ୍ୟରେ ରାଉରକେଲା

ରାଉରକେଲା,୧୭ା୧(ଆ.ପ୍ର.): ସ୍ମାର୍ଟ ସିଟି ରାଉରକେଲା ପାଇଁ ଆସିଛି ଆଉ ଏକ ବଡ଼ ଖୁସିର ଖବର। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଚାଲିଥିବା ନର୍ଚରିଂ ନେବରହୁଡସ୍‌ ପ୍ରତିଯୋଗିତାରେ ରାଉରକେଲା ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନପାଇଛି। ଏନେଇ ଏକ ଆଭାସୀ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ ଓ ଆରଏମସି କମିଶନର ତଥା ସ୍ମାର୍ଟସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ଏହି ସଫଳତା ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ କର୍ମକର୍ତ୍ତାଙ୍କ ସମ୍ମିଳିତ ଉଦ୍ୟମର ପରିଣାମ ବୋଲି କହିବା ସହିତ ସମସ୍ତଙ୍କୁ ଉଭୟେ ଅଭିନନ୍ଦନ ଜଣାଇଛନ୍ତି। ଜିଲାପାଳ କହିଲେ, ଏହି ସଫଳତା ପଛରେ ଆରଏମସିର ପୂର୍ବତନ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ ପୂର୍ବତନ ଅତିରିକ୍ତ ଜିଲାପାଳ ଆବୋଲି ସୁନିଲ ନରୱେଣେଙ୍କର ରହିଛି ବିଶେଷ ଅବଦାନ। ‘ନର୍ଚରିଂ ନେବରହୁଡସ୍‌ ଚ୍ୟାଲେଞ୍ଜ’ ଅଧୀନରେ ରାଉରକେଲା ସହିତ ବେଙ୍ଗାଲୁରୁ, ହୁବଲି-ଧରୱାଡ୍‌, ଇନ୍ଦୋର, ଜବଲପୁର, କାକିନାଡ଼ା, କୋଚି, କୋହିମା, ଭଦୋଦରା ଏବଂ ୱାରଙ୍ଗଲ ଆଦି ସହର ରହିଛି। ଏହି ୧୦ଟି ପ୍ରମୁଖ ସହରକୁ ଛୋଟପିଲା ଏବଂ ତତ୍ତ୍ୱାବଧାରକଙ୍କ ଅନୁକୂଳ (ୟଙ୍ଗ ଚିଲ୍ଡ୍ରେନ ଆଣ୍ଡ କେୟାର ଗିଭର ଫ୍ରେଣ୍ଡଲି) ଭାବରେ ପରିଣତ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ସେଥିପାଇଁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାଉରକେଲା ସହରର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଜ୍ୟ ସରକାରଙ୍କ ଜାଗା ମିଶନ ଅଧୀନରେ ବିଭିନ୍ନ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ରାଉରକେଲାକୁ ଶିଶୁ ଅନୁକୂଳ କରିବା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଉଛି ତାହା ସ୍ୱାଗତଯୋଗ୍ୟ ବୋଲି ଜିଲାପାଳ କହିଥିଲେ।

ରାଉରକେଲା ଇସ୍ପାତ ସହରାଞ୍ଚଳରେ ଥିବା ଅଙ୍ଗନବାଡ଼ି ଓ ଏଥିରେ ପଢ଼ୁଥିବା ଶିଶୁଙ୍କ ପାଇଁ ଅନୁକୂଳ ବାତାବରଣ ଆଧାରିତ ପ୍ରଶ୍ନର ଉତ୍ତର ରଖି ଜିଲାପାଳ କହିଲେ, ଏହି ବ୍ୟବସ୍ଥା କେବଳ ମହାନଗରନିଗମରେ ସୀମିତ ରହିବ। ପରବର୍ତୀ ସମୟରେ କମିଶନର ଆରଏସପି କର୍ତୃପକ୍ଷଙ୍କ ସହିତ ଆଲୋଚନା କରି ସେମାନଙ୍କ ସହଯୋଗ ମିଳିଲେ ଶିଳ୍ପ ସହରାଞ୍ଚଳରେ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲାପାଳ କହିଥିଲେ। ଆରଏସପି କର୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ରାଜ୍ୟ ସରକାର ଏହି ଅଞ୍ଚଳରେ ସ୍ୱନିଧି ଯୋଜନା ଏଠାରେ କାର୍ଯ୍ୟକାରୀ କରୁଛନ୍ତି। ଆଗାମୀ ଦିନରେ ମିଳିତ ସହଯୋଗରେ ଏହି ଅଞ୍ଚଳରେ ସରକାରଙ୍କ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଥିଲେ। ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର କହିଲେ, ଏହି ବର୍ଗରେ ମିଳିଥିବା ସଫଳତା ଆମକୁ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିଛି। ଦେଶର ପ୍ରମୁଖ ୧୦ଟି ସହର ଭିତରେ ରାଉରକେଲା ସ୍ଥାନ ପାଇବା ନିହାତି ଗୌରବର କଥା। ଅଧିକାରୀ, କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗ ଫଳରେ ଏହି ସୁଫଳ ମିଳିଛି। ସମସ୍ତଙ୍କ ସହଯୋଗ ରହିଲେ ସ୍ମାର୍ଟ ସିଟି ରାଉରକେଲା ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରିବ ବୋଲି ସେ କହିଥିଲେ। ସାନ ସାନ ପିଲାମାଙ୍କର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ସୁସ୍ଥ ଏବଂ ଭଲ ପରିବେଶଟିଏ ନିହାତି ଦରକାର। ତେଣୁ ‘ନର୍ଚରିଂ ନେବରହୁଡସ୍‌ ଚ୍ୟାଲେଞ୍ଜ’ ଅଧୀନରେ ରାଉରକେଲା ସ୍ମାର୍ଟ ସିଟି ଏବଂ ମହାନଗର ନିଗମର ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ର, ପାର୍କ, ସାର୍ବଜନୀନ ସ୍ଥାନ, ବିଭିନ୍ନ ବସ୍ତି ଅଞ୍ଚଳରେ ପିଲାମାନଙ୍କ ପାଇଁ ସୁସ୍ଥ, ସୁରକ୍ଷିତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରାଯାଉଛି। ଏହି ଯୋଜନାର ପାଇଲଟ୍‌ ପ୍ରକଳ୍ପ ଭାବେ ରାଉରକେଲାର ବାସନ୍ତୀ କଲୋନୀ ଏବଂ ଉଦିତ ନଗର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପିଲାମାନଙ୍କ ପାଇଁ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ଖେଳପଡ଼ିଆ ଏବଂ ରାସ୍ତାଗୁଡ଼ିକର ବିକାଶ କରାଯାଉଛି। ସେହିପରି ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ମା’ମାନେ ସେମାନଙ୍କ ଶିଶୁକୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବା ପାଇଁ ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ତନ୍ୟପାନ କକ୍ଷ କରାଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସର ସହିତ ବାସନ୍ତୀ କଲୋନୀ ଜଗନ୍ନାଥ ମନ୍ଦିର ନିକଟ, ଡିଏଭି ଏମଏସି ୟୁପିଏଚସି ଏବଂ ତିଲକାନଗର ୟୁପିଏଚସି ପରିସରରେ ଏହି କକ୍ଷ ରହିଥିବା ସେ ସୂଚନା ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍‌ ଭାନ୍‌ ର୍ଲି ଫାଉଣ୍ଡେସନ ଏବଂ ୱାଲର୍ଡ ରିସୋର୍ସେସ୍‌ ଇନଷ୍ଟିଚ୍ୟୁଟ୍‌ ସହଯୋଗିତାରେ ‘ନର୍ଚରିଂ ନେବରହୁଡସ୍‌ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଆଜି ଏହାର ଫଳାଫଳ ଘୋଷଣା କରାଯାଇଥିଲା।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories