କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ସହାୟତା -ଅଶ୍ୱନୀଙ୍କ ଉପରେ ଅନେକ ଆଶା

ଭୁବନେଶ୍ବର, ୧୭ା୧ (ନି.ପ୍ର): ଆସନ୍ତା ଫେବ୍ରୁଆରୀ ପହିଲାରେ ସାଧାରଣ ବଜେଟ ସହ ସଂସଦରେ ଉପସ୍ଥାପନ ହେବ ରେଳ ବଜେଟ। ପ୍ରତିବର୍ଷ ରେଳ ବଜେଟ ଆଗତ ହେବା ପୂର୍ବରୁ ଓଡ଼ିଶା ସରକାର ରାଜ୍ୟ ପାଇଁ ରେଳ ବିକାଶ ବାବଦରେ ଏକ ନିର୍ଦିଷ୍ଟ ପରିମାଣର ଅର୍ଥ ମଞ୍ଜୁର କରିବାକୁ ରେଳମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବ ରଖି ଆସୁଛନ୍ତି। ତଦନୁସାରେ ରେଳ ମନ୍ତ୍ରାଳୟ ବଜେଟକୁ ଦେଖି ଓଡ଼ିଶା ପାଇଁ ଅର୍ଥ ମଞ୍ଜୁର କରନ୍ତି। ଏଥର ଓଡ଼ିଶାକୁ ରେଳ ବଜେଟରେ କେତେ ମିଳିବ ସେ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଏଥର ରେଳମନ୍ତ୍ରୀ ଦାୟିତ୍ବରେ ଅଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ବିନୀ ବୈଷ୍ଣବ। ଦୀର୍ଘ ବର୍ଷ ଧରି ରେଳ ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପଛରେ ପଡିଥିବା ଓଡ଼ିଶା ପାଇଁ ଏଥର ଅଶ୍ବିନୀ କି ପ୍ରକାର ଆଶ୍ବାସନା ଦେଉଛନ୍ତି ସେଥିନେଇ ଅନେକ ଆଶାବାଦୀ ହୋଇପଡିଛନ୍ତି।

ରେଳବାଇକୁ ଓଡ଼ିଶାରୁ ବାର୍ଷିକ ୨୦ହଜାର କୋଟି ଟଙ୍କାର ରାଜସ୍ବ ମିଳୁଛି। କିନ୍ତୁ ଓଡ଼ିଶାରେ ରେଳ ଲାଇନ ଯାଇଥିବା ଅଞ୍ଚଳ ୩୦୦୦ କି.ମି.ରେ ସୀମିତ। ରାଜ୍ୟରେ ପ୍ରତି ୧୦୦ ବର୍ଗ କି.ମି.ରେ ୧୫କି.ମି. ଦେଇ ରେଳଲାଇନ ରହିଛି, ଯାହା ଜାତୀୟ ହାର (୧୯କି.ମି.) ତୁଳନାରେ କମ୍‌। ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶଠାରୁ ମଧ୍ୟ ଓଡ଼ିଶାରେ ରେଳ ସାନ୍ଧ୍ରତା କମ୍‌। ପୂର୍ବତଟ ରେଳବାଇ କ୍ଷେତ୍ରରୁ ରାଜସ୍ବ ବାବଦରେ ପ୍ରମୁଖ ଅଂଶ ରେଳବାଇ ପାଉଛି ଯାହା କୋଇଲା, ଲୁହାପଥର ବିଭିନ୍ନ ଖଣିଜ ସାମଗ୍ରୀ ପରିବହନରୁ ମିଳୁଛି। କିନ୍ତୁ ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାରେ ରେଳ ବିକାଶ ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଇନାହିଁ। ସ୍ବାଧୀନତାର ପରବର୍ତ୍ତୀ ଦୀର୍ଘ ୭୫ବର୍ଷ ଭିତରେ ଓଡ଼ିଶାରେ ମାତ୍ର ୫ଟି ବ୍ରଡଗଜ ରେଳ ସଂଯୋଗ କଟକରୁ ପାରାଦ୍ବୀପ ୮୩କି.ମି., ତାଳଚେର ସମ୍ବଲପୁର ୧୭୪କି.ମି., କୋରାପୁଟ-ରାୟଗଡା ୧୬୪କି.ମି. ଦୈତାରୀ ବାଂଶପାଣି ୧୫୫କି.ମି., ଲାଞ୍ଜିଗଡ-ଜୁନାଗଡ ୫୬କି.ମି. କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ୧୯୯୪-୯୫ରୁ ମଞ୍ଜୁର ଖୋର୍ଦ୍ଧା-ବଲାଙ୍ଗୀର, ୨୦୦୩-୦୪ରୁ ତାଳଚେର-ବିମଳାଗଡ, ୧୯୯୯-୨୦୦୦ରୁ ଦୋହରୀକରଣ ପାଇଁ ପଡିରହିଥିବା ରାଜାଆଠଗଡ-ବାରଙ୍ଗ, ୨୦୦୩-୦୪ରୁ ବାରଙ୍ଗ-ଖୋର୍ଦ୍ଧା ତୃତୀୟ ଲାଇନ, ୨୦୦୬-୦୭ରୁ ସମ୍ବଲପୁର-ଟିଟିଲାଗଡ ଦୋହରୀକରଣ, ୨୦୦୭-୦୮ରୁ ଟିଟିଲାଗଡ-ରାୟପୁର ପାଣ୍ଠି ଅଭାବରୁ କଚ୍ଛପଗତିରେ ଚାଲିଛି। ଏହାଦ୍ବାରା ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ଧାରା ପଛେଇଛି।

କେବଳ ଏତିକି ନୁହେଁ, ଏପର୍ଯ୍ୟନ୍ତ କନ୍ଧମାଳ, ବୌଦ୍ଧ, ମୟୂରଭଞ୍ଜ, କେନ୍ଦ୍ରାପଡା, ଦେବଗଡ, ମାଲକାନଗିରି ଆଦି ୬ଜିଲାକୁ ରେଳ ଯୋଗାଯୋଗ ନାହିଁ। ରାଜ୍ୟରେ ଶାସକ ବିଜୁ ଜନତା ଦଳ ସମେତ ବିଭିନ୍ନ ଫୋରମ ପକ୍ଷରୁ ଓଡ଼ିଶାକୁ କେନ୍ଦ୍ରର ରେଳବାଇ କ୍ଷେତ୍ରରେ ଅବହେଳା ନେଇ ଅଭିଯୋଗ ହୋଇଆସୁଛି। ଓଡ଼ିଶାରୁ ରେଳବାଇ ବାର୍ଷିକ ୨୦,୦୦୦କୋଟି ଟଙ୍କା ରାଜସ୍ବ ପାଉଛି । ଗତ ୭ବର୍ଷରେ ରେଳବାଇ ୧,୪୦,୦୦୦କୋଟି ପାଇଥିବାବେଳେ ଓଡ଼ିଶାକୁ ମିଳିଛି ମାତ୍ର ୧୪ହଜାର କୋଟି। ଏହି ୭ବର୍ଷରେ ମାତ୍ର ଗୋଟିଏ ଜିଲାକୁ ରେଳ ସଂଯୋଗ ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ୨୯୦କି.ମି. ମଧ୍ୟରୁ ମାତ୍ର ୯୦କି.ମି. ସମ୍ପୂର୍ଣ୍ଣ ହୋଇଛି, ତାହା ପୁଣି ଗତ ୨୫ବର୍ଷ ଭିତରେ। ରେଳବାଇ କ୍ଷେତ୍ରରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ଏପରି କାଳବିଳମ୍ବ ପାଇଁ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଲେଖିଥିବା ତାଙ୍କ ଚିଠିରେ ଏହାକୁ ‘ହିଷ୍ଟୋରିକ ସ୍ଲୋ ଇଫେକ୍ଟ’ ବୋଲି ଉଲ୍ଲେଖ କରିଥିଲେ। ତାଳଚେର-ବିମଳାଗଡ ରେଳ ଲାଇନ ୨୦୦୩ରୁ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୨୦କ.ିମ.ି ସବୁବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ୧୯୯୪-୯୫ରେ ୪୭୦କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୧୮-୧୯ସୁଦ୍ଧା ଏହି ଖର୍ଚ୍ଚ ପରିମାଣ ୩୭୯୧.୬୬କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା। ଗତ ମାର୍ଚ୍ଚ ସୁଦ୍ଧା ମୋଟ ୧୪୯୬.୫୭ କୋଟି ଖର୍ଚ୍ଚ ହୋଇଥିବାବେଳେ ପ୍ରକଳ୍ପର ଆହୁରି ଦୁଇ ତୃତୀୟାଂଶ କାମ ବାକି ପଡିଛି।

ତାଳଚେର-ବିମଳାଗଡ ପାଇଁ ଘରୋଇ ଜମି ବାବଦ କ୍ଷତିପୂରଣ ଗତ ୩ବର୍ଷ ଧରି ପ୍ରଦାନ କରାଯାଇପାରିନି। ମୋଟ ୧୫୦କି.ମି. ଦୈର୍ଘ୍ୟର ଏହି ପ୍ରକଳ୍ପ ପାଇଁ ମୂଳରୁ ୮୧୦.୭୮କୋଟି ଟଙ୍କା ଖର୍ଚ୍ଚ ଅଟକଳ ମଞ୍ଜୁର ହୋଇଥିବାବେଳେ କାଳବିଳମ୍ବ ସହିତ ପ୍ରକଳ୍ପ ଖର୍ଚ୍ଚ ପରିମାଣ ୧୯୨୮କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହାଛଡ଼ା ଦୋହରୀକରଣ ଯୋଜନାରେ ଜଗଦଲପୁର-କୋରାପୁଟ (୧୧୦କି.ମି.), କୋଟ୍ଟାଭାଲସା-କୋରାପୁଟ (୧୮୯କି.ମି.), କୋରାପୁଟ-ବାଲିଗୁଡା-ସିଙ୍ଗାପୁର ରୋଡ (୧୬୫କି.ମି.), ସମ୍ବଲପୁର-ତାଳଚେର (୧୭୫କି.ମି.), ଜରପଡା-ବୁଢାପଙ୍କ (୯୧ କି.ମି.) କାମ ଏବେ ସୁଦ୍ଧା ଅସମ୍ପୂର୍ଣ୍ଣ ରହିଛି। ଜୟପୁର-ମାଲକାନଗିରି ନୂଆ ଲାଇନ (୧୩୦କି.ମି.), ଜୟପୁର-ନବରଙ୍ଗପୁର (୪୨ କି.ମି.), ନୂଆପଡା-ଗୁଣୁପୁର ନୂତନ ବ୍ରଡଗଜ ଲାଇନ (୮୦କି.ମି.), ତାଳଚେର-ଅନୁଗୋଳ, ନୂଆ ଲାଇନ (୧୫ କି.ମି.), ବାଘୁଆ କାମ ମଧ୍ୟ ଆଗେଇ ପାରିନାହିଁ।

ସୂଚନାଯୋଗ୍ୟ ଯେ ୨୦୨୧-୨୨ ରେଳ ବଜେଟରେ ଓଡ଼ିଶା ପାଇଁ ୬୯୯୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଯାହା ପୂର୍ବବର୍ଷ ବଜେଟଠାରୁ ୬୦ପ୍ରତିଶତ ଅଧିକ ଥିଲା। ୨୦୨୦-୨୧ରେ ଓଡ଼ିଶାକୁ ୪୩୭୩କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ୨୦୧୯-୨୦ରେ ଏହି ପରିମାଣ ଥିଲା ୪୫୯୩କୋଟି ଟଙ୍କା। ଓଡ଼ିଶାରେ ରେଳପଥ ବିକାଶ କ୍ଷେତ୍ରରେ କେନ୍ଦ୍ରର ଅବହେଳାକୁ ରାଜ୍ୟ ସରକାର ଦାୟୀ କରି ଆସୁଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଜ୍ୟରେ ନିର୍ମାଣାଧୀନ ଏକାଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା କ୍ଷେତ୍ରରେ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ବୋଲି ରାଜ୍ୟ ସରକାରଙ୍କ ବିରୋଧରେ ପାଲଟା ଅଭିଯୋଗ କରୁଛନ୍ତି।

ଏବେ କେନ୍ଦ୍ରରେ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଥିବାରୁ ଓଡ଼ିଶାକୁ ରେଳ ବଜେଟରେ ଅନୁଦାନ ରାଶି ବୃଦ୍ଧି ପାଇବା ସହିତ ନିର୍ମାଣାଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବା ଏବଂ ନୂଆ ପ୍ରକଳ୍ପ ଅନୁମୋଦନ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ମିଳିବା ନେଇ ବିଭିନ୍ନ ମହଲ ଆଶା ରଖିଛନ୍ତି। ଏହାଛଡ଼ା ଅଶ୍ବିନୀ ବିଜେପି ସାଂସଦ ହୋଇଥିଲେ ହେଁ ତାଙ୍କୁ ରାଜ୍ୟସଭା ପଠାଇବା କ୍ଷେତ୍ରରେ ବିଜେଡିର ପ୍ରମୁଖ ଅବଦାନ ଥିବାରୁ ରେଳମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଦିଗରେ ଉଦ୍ୟମ କରିପାରନ୍ତି।

Comments are closed.