www.samajalive.in
Sunday, December 7, 2025
14.1 C
Bhubaneswar

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ରୋହିତ ବାଦ୍‌ ; ପାଞ୍ଚାଲ ସାମିଲ

ନୂଆଦିଲ୍ଲୀ : ଚଳିମାସ ୧୬ରୁ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ଭାରତ ୩ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ୍‌ରୁ ଓପ୍‌ନର ତଥା ଉପଅଧିନାୟକ ରୋହିତ ଶର୍ମା ବାଦ୍‌ ପଡ଼ିଛନ୍ତି। ରୋହିତଙ୍କ ବାମ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଛି। ଫଳ​​‌ରେ‌ ଦକ୍ଷିଣ ଆଫ୍ରିକା ଗସ୍ତରେ ସମ୍ପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳା ସେ ଖେଳିବା ଅସମ୍ଭବ । ରୋହିତଙ୍କ ସ୍ଥାନରେ ଗୁଜରାଟର ଓପ୍‌ନର ପ୍ରିୟଙ୍କ ପାଞ୍ଚାଲ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ପାଞ୍ଚାଲ ମଧ୍ୟ ଜଣେ ଓପ୍‌ନର।
ସୂଚନା ମିଳିଛି ଯେ ମୁମ୍ବଇରେ ଭାରତୀୟ ଟେଷ୍ଟ ଦଳର ଖେଳାଳି ଅଭ୍ୟାସ କରୁଥିବା ବେଳେ ରୋହିତ ଆହତ ହୋଇଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଘୋଷଣା କରିଛନ୍ତି ଯେ ଆସନ୍ତା କିଛି ସପ୍ତାହ ରୋହିତ କ୍ରିକେଟ୍‌ ଖେଳିପାରିବେ ନାହିଁ। ଗତ ୧୨ ମାସ ମଧ୍ୟରେ ୨ୟ ଥର ପାଇଁ ରୋହିତ ଆହତ ହୋଇଛନ୍ତି। ୨୦୨୦ ଆଇପିଏଲ୍‌ରେ ଆହତ ହେବା ପରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‌ ଖେଳି ପାରିନଥିଲେ। ଦକ୍ଷିଣ ଆଫ୍ରିକାରେ ରୋହିତଙ୍କ ଅନୁପସ୍ଥିତି ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଶକ୍ତ ଧକ୍କା। କାରଣ ୨୦୨୧ରେ ସେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି। ୧୦ରୁ ଅଧିକ ଟେଷ୍ଟ ଇନିଂସରେ ୪୦ରୁ ଅଧିକ ଆଭ୍‌ରେଜ୍‌ରେ ସ୍କୋର୍ କରିବାରେ ଋଷଭ ପନ୍ତ୍‌ଙ୍କ ପରେ ରୋହିତ ୨ୟ ବ୍ୟାଟ୍‌ସମ୍ୟାନ। ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟେଷ୍ଟ ଶୃଙ୍ଖଳାରେ ଇନିଂସ ଓପନ୍‌ କରିବାର ସୁଯୋଗ ପାଇବା ପରଠାରୁ ରୋହିତ ୧୬ଟି ଟେଷ୍ଟରୁ ୫୮.୪୮ ଆଭ୍‌ରେଜରେ ୧୪୬୨ ରନ୍‌ କରିଛନ୍ତି। ଏଥିରେ ଅଛି ୫ଟି ଶତକ। ନିକଟରେ ଓଭାଲ୍‌ ଟେଷ୍ଟରେ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ଭାରତ ବିଜୟୀ ହୋଇଥିବା ବେଳେ ତାଙ୍କର ମ୍ୟାଚ୍‌ ବିଜୟୀ ୧୨୭ ରନ୍‌ର ଇନିଂସ ଯୋଗୁଁ ରୋହିତ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ରୋହିତଙ୍କ ଅନୁପସ୍ଥିତିରେ ଭାରତୀୟ ଟେଷ୍ଟ ଦଳରେ ଆଉ ୨ ଜଣ ବିଶେଷଜ୍ଞ ଟେଷ୍ଟ ଓପ୍‌ନର ରହିଛନ୍ତି। ସେମାନେ ହେଲେ କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ। ୩ୟ ଓପ୍‌ନର ଭାବେ ପ୍ରିୟଙ୍କ ପାଞ୍ଚାଲ ଦଳରେ ସାମିଲ ହୋଇଛନ୍ତି। ୩୨ ବର୍ଷ ବୟସ୍କ ପାଞ୍ଚାଲ ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ‘ଏ’ ଦଳର ନେତୃତ୍ବ ନେଇଥିଲେ। ଏହି ଗସ୍ତର ପ୍ରଥମ ଟେଷ୍ଟରେ ପାଞ୍ଚାଲ ୯୦ ରନ୍‌ କରିଥିଲେ। ଗତ କିଛିବର୍ଷ ହେଲା ପାଞ୍ଚାଲ ଭାରତ ‘ଏ’ ଦଳ ପାଇଁ ନିୟମିତ ଖେଳୁଛନ୍ତି। ସେ ୧୦୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୨୪ଟି ଶତକ ସହ ୭୦୧୧ ରନ୍‌ କରିଛନ୍ତି। ରୋହିତ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ କିଏ ଉପଅଧିନାୟକ ନିଯୁକ୍ତ ହେବେ; ତାହା ଦେଖିବାର କଥା। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଡିସେମ୍ବର ୨୬ରୁ ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ, ଜାନୁଆରୀ ୩ରୁ ୨ୟ ଟେଷ୍ଟ ଜୋହାନସବର୍ଗରେ ଓ ୧୧ରୁ ୩ୟ ଟେଷ୍ଟ କେପ୍‌ ଟାଉନ୍‌ରେ ଖେଳିବ। ୩ଟି ଦିନିକିଆ ଜାନୁଆରୀ ୧୯, ୨୧ ଓ ୨୩ରେ ଖେଳାଯିବ। ରୋହିତ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ବେଳେ ସେ ଏହି ଶୃଙ୍ଖଳା ଖେଳୁଛନ୍ତି କି ନାହିଁ; ତାହା ମଧ୍ୟ ଦେଖିବାର କଥା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories