Patra electronics

ଅତାବିରା ସାପ୍ତାହିକ ବଜାର ଭିତରେ ଟ୍ରାଫିକ ସମସ୍ୟା

ଅଡ଼ୁଆରେ ଗ୍ରାହକ ଓ ଖାଉଟି

ରେଙ୍ଗାଲିକ୍ୟାମ୍ପ: ଅତାବିରା ସାପ୍ତାହିକ ବଜାର ଉପରେ ଆଖପାଖ ୨୦/୨୫ ଖଣ୍ଡ ଗ୍ରାମର ଲୋକେ ନିର୍ଭରଶୀଳ । ଛୋଟ ବେପାରୀଠୁ ଆରମ୍ଭ କରି ବଡ ବେପାରୀମାନେ ଏହି ବଜାରରେ ନିଜ ଉତ୍ପାଦିତ ତଥା କ୍ରୟ ଜିନିଷ ପତ୍ର ବିକ୍ରି କରି ବେଶ୍ ଦୁଇ ପଇସା ଲାଭ ପାଇଥାନ୍ତି । ସେହିପରି ଅଞ୍ଚଳର ଖାଉଟିମାନେ ମଧ୍ୟ ସଦ୍ୟ ଉତ୍ପାଦିତ ପନିପରିବା ତଥା ଅନ୍ୟ ଜିନିଷ ପତ୍ର ସୁଲଭ ମୂଲ୍ୟରେ ତଥା ନିଜ ମନ ମୁତାବକ କ୍ରୟ କରି ପାରିଥାନ୍ତି । ତେଣୁ ଏହି ବଜାରରେ ସକାଳ ୭ଟାରୁ ପ୍ରାୟ ଭିଡ଼ ଦେଖିବାକୁ ମିଳିଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏହି ବଜାର ଭିତରେ ବଡ ବଡ ବେପାରୀମାନେ ବଡ ଯାନ ବାହାନରେ ମାଲ ଆଣି ବଜାର ଭିତରେ ଗାଡ଼ି ସବୁ ଅଟକାଇ ରଖୁଛନ୍ତି। ଫଳରେ ବଜାର ଭିତରେ ଗ୍ରାହକମାନଙ୍କର ଯିବା ଆସିବାରେ ବେଶ୍ ଅସୁବିଧା ହେଉଛି । ସୋମବାର ଦିନ ଏହି ବଜାର ବସୁଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ ଚାକିରିଆ ଲୋକମାନେ ଶୀଘ୍ର ବଜାର କରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟରେ ଯୋଗ ଦେବା ପାଇଁ ତତ୍ପରତା ପ୍ରକାଶ କରିଥାନ୍ତି । କିନ୍ତୁ ବଜାର ଭିତରେ ଟ୍ରାଫିକ ସମସ୍ୟା ରହୁଥିବାରୁ ବଜାର କରିବାରେ ଅଧିକ ସମୟ ଲାଗୁଛି । ବେଳେ ବେଳେ ଅଧ ଘଣ୍ଟା ଧରି ମଧ୍ୟ ଅପେକ୍ଷା କରିବାକୁ ପଡୁଛି । ଏପରିକି ବଜାର ବାହାରେ ମଧ୍ୟ ସର୍ଭିସ୍ ରାସ୍ତା ଉପରେ ଦୁଇ କଡ଼ରେ ଲମ୍ବା ଧାଡ଼ି ଧରି ବଜାର ବସୁଛି। ଲୋକେ ଏଠାରେ କ୍ରୟ କରୁଥିବା ବେଳେ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଜାମ ହୋଇଯାଉଛି । ପଦଚାରୀମାନଙ୍କ ଯିବା ଆସିବାରେ ସମସ୍ୟା ହେଉଛି । ଫଳରେ ଲୋକେ ଜାତୀୟ ରାଜପଥ ଦେଇ ଯିବା ଆସିବା କରୁଛନ୍ତି । ଯଦ୍ବାରା କୌଣସି ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ ନାହିଁ । ଏହି ବେପାରୀ ବା ବିକ୍ରେତାମାନଙ୍କ ପାଇଁ ବଜାର ଭିତରେ କୌଣସି ସୁବିଧା କରାଯାଉନାହିଁ । ଅଥଚ ତାଙ୍କଠାରୁ ଟ୍ୟାକ୍ସ ନିଆଯାଉଛି । ନିୟନ୍ତ୍ରିତ ବଜାର କମିଟିର କର୍ତ୍ତୃପକ୍ଷମାନଙ୍କୁ ଅନେକ ଥର ଏହି ବ୍ୟବସାୟୀମାନେ କହିସାରିଛନ୍ତି । କିନ୍ତୁ ଏମାନଙ୍କ କଥାକୁ କେହି କର୍ଣ୍ଣପାତ କରି ନାହାନ୍ତି । ଏହାର ସଭାପତି ଉପ ଜିଲ୍ଲାପାଳ। ଅନେକ ଉପ ଜିଲ୍ଲାପାଳ ଆସି ଚାଲି ଗଲେଣି । କିନ୍ତୁ ଏମାନଙ୍କ ଥଇଥାନ କେବେ କେହି କରୁ ନାହାନ୍ତି । ବର୍ଷା ଦିନରେ ସର୍ଭିସ୍ ରାସ୍ତା ଉପରେ ଥିବା ବେପାରୀମାନଙ୍କ ସମସ୍ୟା କହିଲେ ନ ସରେ । ଏମାନଙ୍କ ପାଇଁ ବିଜୁଳି ବ୍ୟବସ୍ଥା କରିବା ପାଇଁ ଛାଉଣୀ ଯୁକ୍ତ କଂକ୍ରିଟ ସ୍ଥାନ ଯୋଗାଇବା କଥା । ହେଲେ କିଏ ଦେଖୁଛି କାହା ଅସୁବିଧା । ଟ୍ୟାକ୍ସ ଅସୁଲି ହେଲେ କାମ ସରିଲା । ଚାଷୀ କାଦୁଅରେ ବସି ଜିନିଷ ବିକୁ ବା ଟାଣ ଖରାରେ । ଡିଭାଇଡର ଉପରେ ଗାଡ଼ି ଜାମ ହେଇ ଲୋକେ ଯିବା ଆସିବା କରି ନ ପାରିଲେ ମଧ୍ୟ ତେଣିକି ଅନେଇବା ତାଙ୍କ ପାଖରେ ସମୟ ନାହିଁ । ତେବେ କେଉଁ କାମ ପାଇଁ କର୍ମଚାରୀ ନିଯୁକ୍ତି ହୋଇଛନ୍ତି, ତାହା ସେମାନଙ୍କୁ ଜଣା। ତେବେ ବ୍ୟବସାୟୀମାନଙ୍କ ଥଇଥାନ ତଥା ସେମାନଙ୍କ ସୁବିଧା କରିବା ସହ ଜନ ସାଧାରଣଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Comments are closed.