କତରବଗା ପଞ୍ଚାୟତରେ ୯ଜଣ ସରପଞ୍ଚ ପ୍ରାର୍ଥୀ: ପିଇବା ପାଣି, ଜମିକୁ ଜଳ ଏବଂ ରାସ୍ତାଘାଟ ମୁଖ୍ୟ ସମସ୍ୟା

ରେଙ୍ଗାଲି: କତରବଗାର ସମ୍ବଲପୁର ଜିଲ୍ଲା ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। କତରବଗା ସ୍ଵାଧୀନୋତ୍ତର ଭାରତର ପ୍ରଥମ ନିର୍ବାଚନରେ କତରବଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା। ଏଠାରେ ଇଂରେଜ ଅମଳର ସର୍ବପୁରାତନ ଥାନା ମଧ୍ୟ ରହିଛି। କତରବଗା, ଲୁଧାପାଲି, ଲାଉମାଲ, ନୁଆତିଲିଙ୍ଗି, ଠୁରୁପାଲି ଏବଂ ବ୍ରହ୍ମଣୀପାଲି ଆଦି ୬ଟି ରାଜସ୍ୱ ଗ୍ରାମକୁ ନେଇ ୬୦ ଦଶକରୁ ଗଠିତ ହୋଇଥିବା କତରବଗା ଗ୍ରାମ ପଞ୍ଚାୟତ ଅଞ୍ଚଳର ଜନସାଧାରଣଙ୍କ ଜୀବନଜୀବିକାର ମୁଖ୍ୟ ଆଧାର ହେଉଛି କୃଷି। ଚଳିତ ପଞ୍ଚାୟତ ନିର୍ବାଚନରେ ଏଠାରୁ ୯ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଅନେକ ନିର୍ବାଚନ ଆସିଲା ଗଲା ହେଲେ କତରବଗା ପଞ୍ଚାୟତର ଅନେକ ମୌଳିକ ଜନସମସ୍ୟା ଏବେ ଅସମାହିତ।

କତରବଗା ଗ୍ରାମ ପଞ୍ଚାୟତ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସର୍ବ ପୁରାତନ ପଞ୍ଚାୟତ ହୋଇଥିଲେ ମଧ୍ୟ ଏହି ପଞ୍ଚାୟତର ଯେଭଳି ବିକାଶ ହେବା କଥା ହୋଇ ପାରିନାହିଁ। ପାନିୟ ଜଳ ସମସ୍ୟା ଏହି ପଞ୍ଚାୟତ ରେ ଅସମାହିତ ହୋଇ ରହିଯାଇଥିବାରୁ ଲୋକେ ସ୍ୱଚ୍ଛ ପିଇବା ପାଣି ମୁନ୍ଦେ ପାଇବା ପାଇଁ ଚାତକ ଭଲି ଚାହିଁ ବସିଛନ୍ତି। କତରବଗା ଗ୍ରାମରେ ୬୦ ବର୍ଷ ପୂର୍ବରୁ ଜିଲ୍ଲା ର ସର୍ବ ପ୍ରଥମ ଗ୍ରାମ୍ୟ ଜଳ ଯୋଗଣ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ତେବେ ତାହା କେବେ ଠାରୁ ବିପର୍ଯ୍ୟସ୍ତ ହୋଇ ପଡ଼ିବାରୁ ବସୁଧା ଯୋଜନା ରେ ଗ୍ରାମ୍ୟ ଜଳ ଯୋଗଣ ବିଭାଗ ପକ୍ଷରୁ କତରବଗା ଗ୍ରାମ ରେ ପିଇବା ପାଣି ଯୋଗାଇ ଦେବାକୁ ଓଭର ହେଡ୍‍ ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ଦୀର୍ଘ ବର୍ଷ ବିତିଗଲା ପରେ ବି ଓଭର୍‍ ହେଡ଼ ଟାଙ୍କି ଜରିଆରେ ପାଇପ୍‍ ଯୋଗେ ସ୍ୱଚ୍ଛ ପିଇବା ପାଣି ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ ନାହିଁ। ପାନିୟ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଜିଲ୍ଲାପାଳ, ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷ, ବିଧାୟକ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ ଯଥା ପୁର୍ବଂ ତଥା ପରଂ ଅବସ୍ଥା ବଜାୟ ରହଛି। କତରବଗାର ଓଭର ହେଡ ଟାଙ୍କି ଗ୍ରାମବାସୀଙ୍କ ପାଇଁ ଏକ ସୋ-ପିସ ଏବଂ ଲଲିପପ୍‍ ପାଳଟିଯାଇଛି। ଆଉ କତେ ବର୍ଷ ପରେ ଆମକୁ ଓଭର ହେଡ୍‍ ଟାଙ୍କିରୁ ପାଣି ମିଳିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ପଂଚାୟତର ମାତ୍ର ୨୦ରୁ ୨୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇଛି ଚିନ୍ତୁ ବିଡମ୍ବନାର ବିଷୟ ଯେ ସବୁ ଚାଷ ଜମି ଜଳସେଚିତ ବୋଲି ସରକାରୀ ଖାତା ଖତିୟାନରେ ଉଲ୍ଲେଖ ରହିଛି। ଫଳରେ ଚାଷୀ ମାନଙ୍କ ଏହା ପାଇଁ ବିଷମ ସମସ୍ୟା ସୃଷ୍ଟି କରୁଛି। ଜଳ ସେଚନ ସୁବିଧା ନଥାଇ ମଧ୍ୟ ସରକାରୀ ଖାତା ଖତିୟାନରେ ଚାଷ ଜମି ଜଳସେଚିତ ବୋଲି ଲେଖା ହେବା ଫଳରେ ଗଭୀର ନଳକୂପ ଖନନପାଇଁ ଚାଷୀମାନଙ୍କୁ ଅନୁମତି ମିଳୁନାହିଁ। ଏ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଠାରୁ ନେତା ମନ୍ତ୍ରୀଙ୍କ ଦ୍ୱାରସ୍ତ ହୋଇଥିଲେ ବି ଚାଷୀଙ୍କୁ କିଛି ସୁଫଳ ମିଳୁ ନାହିଁ। ଚାଷ ଜମିରେ ଜଳ ସେଚନ ସୁବିଧା ନଥିବାରୁ ବର୍ଷା ଜଳ ଉପରେ ଭରସା କରି ଚାଷ କରୁଥିବା ଚାଷୀ ଅନିୟମିତ ବର୍ଷା, ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ନିୟମିତ ବର୍ଷ ବ୍ୟବଧାନ ରେ ମରୁଡ଼ି ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ସବୁ ଚାଷ ଜମିକୁ ଜଳ ସେଚନ ସୁବିଧା ପାଇଁ ଦାବୀ ହେଉଛି।

ପିଇବା ପାଣି ଏବଂ ଚାଷ ଜମି କୁ ପାଣି ବ୍ୟତୀତ ଏଠାକର ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ। କତରବଗାରେ ଏଲୋପାଥିକ ଏବଂ ଆର୍ୟୁବେଦିକ ଡାକ୍ତରଖାନା ଅଛି। କିନ୍ତୁ ଡାକ୍ତର ନିୟମିତ ଆସୁନାହାନ୍ତି। ବର୍ଷର ଅନେକ ସମୟ ଫର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ଚିକିତ୍ସା। ପ୍ରାଣୀଧନ ଚିକିତ୍ସାର ଅବସ୍ଥା ମଧ୍ୟ ତଦୃପ। ପ୍ରାଣୀଧନ ନୀରିକ୍ଷକ ପଦ ବହୁ ବର୍ଷ ହେଲା ଖାଲି ପଡ଼ିଛି। ଫଳରେ ଭଗବାନ ଭରସା ରେ ଚାଲିଛି ପ୍ରାଣି ଚିକିତ୍ସା। କତରବଗା ରେ କଲ୍ୟାଣ ମଣ୍ଡପ ନିର୍ମାଣ କାମ ଚାଲିଥିବା ବେଳେ ଗୋଲାମାଲ ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଂ ଟଙ୍କା ମଞ୍ଜୁରୀ ହୋଇ ଥିଲେ ମଧ୍ୟ ସରକାରୀ ଜମି ଜବରଦଖଲ ଯୋଗୁଁ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇପାରୁନାହିଁ। ରାଜସ୍ୱ ବିଭାଗ ଜବର ଦଖଲ ଉଚ୍ଛେଦ କରିବା ଦିଗରେ କାଳ କ୍ଷେପଣ ନୀତି ଅବଳ୍ୱନ କରୁଥିବାରୁ କଲ୍ୟାଣମଣ୍ଡପ ନିର୍ମାଣ ହୋଇ ପାରୁନାହିଁ। କତରବଗା ଏବଂ ଗୋଲାମାଲ ବ୍ୟତୀତ ଠୁରୁପାଲି, ବ୍ରାହ୍ମଣିପାଲି, ନୁଆତିଲିଙ୍ଗି, ଲୁଧାପାଲି ଆଦି ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣର ଆବଶ୍ୟକତା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତହା ହୋଇ ପାରିନାହିଁ।

କତରବଗା ପଞ୍ଚାୟତର ଅନେକ ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ପଞ୍ଚାୟତର ସଦର ମହକୁମା କୁହାଯାଉଥିବା କତରବଗା ସାପ୍ତାହିକ ବଜାର ଛକରୁ ପାଣି ଟାଙ୍କି ଦେଇ ଗାଁ ଭିତରକୁ ସଂଯୋଗ କରୁଥିବା ପିଚୁ ରାସ୍ତା କାହିଁ କେତେ ବର୍ଷ ହେଲା ଅପନ୍ତରା ହୋଇ ପଡ଼ିଥିଲେ ବି ମରାମତି ହେଉ ନାହିଁ। କତରବଗାରୁ ପୋଢଗୁହାଲଗାଁ ଦେଇ ନୁଆ ତିଲିଙ୍ଗି, ଝରନପାଲିକୁ ସଂଯୋଗ କରୁଥିବା ରାସ୍ତା ଏବଂ କତରବଗାରୁ କିସାନପଡ଼ା ଅତି ଶୋବନୀୟ ଅବସ୍ଥାରେ ଦୀର୍ଘ ବର୍ଷ ହେଲା ପଡ଼ି ରହିଥିବାରୁ ସଂପୃକ୍ତ ଅଞ୍ଚଳର ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଁ ଗହଳିରେ ଥିବା ରାସ୍ତା ଘାଟର ଉନ୍ନତି ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏସବୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଦୟନିୟ ସ୍ଥିତିରେ ପଡ଼ି ରହିବା ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ନିଷ୍କ୍ରିୟତା ସ୍ପଷ୍ଟ ଭାବରେ ଜଣାପଡୁଛି। ରାସ୍ତାଘାଟ ବ୍ୟତୀତ ପ୍ରତି ପଞ୍ଚାୟତ ରେ ମିନି ଷ୍ଟାଡିୟମ କରାଯିବ ବୋଲି ହୋଇଥିବା ସରକାରୀ ଘୋଷଣା ଏହି ପଞ୍ଚାୟତ ରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ନିର୍ବାଚନ ଆସୁଛି ଯାଉଛି। ସରକାର ବଦଳୁଛି ନେତା ବଦଳୁଛନ୍ତି,ନୀତୀ ବଦଳୁଛି। କିନ୍ତୁ କତରବଗା ଗ୍ରାମ ପଞ୍ଚାୟତ ରେ ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ମୌଳିକ ଜନସମସ୍ୟା ର କୌଣସି ସମାଦନ ହେଉ ନାହିଁ।

Comments are closed.