www.samajalive.in
Friday, December 5, 2025
23.1 C
Bhubaneswar

ବାତ୍ୟା ‘ମନ୍ଥା’: ରେଡ୍ ଜୋନ୍‌ରେ ୮ ଜିଲା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି। ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି)ଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଜଳ ସମ୍ପଦ ବିଭାଗ ୧୪ଟି ଜିଲାରେ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରି ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି। ୯ଟି ଜିଲା ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ କରିଛି। କୋରାପୁଟ, ମାଲକାନଗିରି, ଗଞ୍ଜାମ ଏବଂ ଗଜପତି ଜିଲା ପ୍ରଶାସନ ୩୦ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି, ବିଦ୍ୟାଳୟ ଛୁଟି ଘୋଷଣା ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ଦଳ ନିୟୋଜିତ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କାମ ଶେଷ କରିବା ପାଇଁ ଜିଲାପାଳମାନଙ୍କୁ ଏସ୍‌ଆରସି ନିର୍ଦେଶ ଦେଇଛନ୍ତି।

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ପରିସ୍ଥିତି ସ୍ବାଭାବିକ ହେବା ଯାଏ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତେବେ ରେଡ୍‌ ଜୋନରେ ଥିବା ୮ଟି ଜିଲାରେ
୨୮ ଏବଂ ୨୯ତାରିଖରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ବାକି ଜିଲାରେ ପରିସ୍ଥିତି ଦେଖି ଜିଲାପାଳ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ଉପରେ ନିଷ୍ପତ୍ତି ନେବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ କୁହାଯାଇଛି। ଏଥିସହ ସମ୍ପୃକ୍ତ ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରିବା ସହ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ନି‌େ‌ର୍ଦଶ ଦିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

- Advertisement -

ମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ଦେଓରଞ୍ଜନ ସିଂ ରବିବାର ସମସ୍ତ ଜିଲାର ଜିଲାପାଳଙ୍କ ସହିତ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକ ପରେ ରାଜୀବ ଭବନଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ମଛିଲିପଟନମ ଓ କଳିଙ୍ଗପଟନମ ମଝିରେ ଭୂପୃଷ୍ଠକୁ ସ୍ପର୍ଶ କରିବ। ଯାହା ଆଶା କରାଯାଉଛି ମାଲକାନଗିରିଠାରୁ ବାତ୍ୟା ୨୦୦କି.ମି. ଦୂରରେ ସ୍ଥଳଭାଗ ଅତିକ୍ରମ କରିବ। ତେଣୁ ମାଲକାନଗିରି ଜିଲା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲା ପ୍ରଭାବିତ ହେବା ଅଶଙ୍କା ରହିଛି। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ପ୍ରଭାବ ଅଧିକ ରହିବ।

ଏହି ୮ଟି ଜିଲାକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଏସବୁ ଜିଲାରେ ବାତ୍ୟା ଓ ବର୍ଷା ମୁକାବିଲା ପ୍ରସ୍ତୁତି ଜାରି ରହିଛି। ସେହିପରି ଅନ୍ୟ ଜିଲାରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାକୁ ସତର୍କ କରାଯାଇଛି। ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ସହ ଆଲୋଚନା କରାଯାଇଛି। ଆବଶ୍ୟକ ପଡ଼ିଲେ ପଡ଼ୋଶୀ ଜିଲାକୁ ସହାୟତା କରିବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଗଜପତି ଜିଲାରେ ଭୂସ୍ଖଳନର ଆଶଙ୍କା ଥିବାରୁ ସେଠାରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀକୁ ଆଗୁଆ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଉଦ୍ଧାକରକାରୀ ଦଳ ପଠାଯିବ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା ହୋଇଛି। ଡାକ୍ତରଖାନା, ଜରୁରୀ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବୟସ୍କ, ଶିଶୁଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆସନ୍ନ ପ୍ରସବାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା ହୋଇଛି। ଗଜପତି ଜିଲାର ମହେନ୍ଦ୍ରଗିରି ଭଳି ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିଭଳି ସମୁଦ୍ର କୂଳରେ ରହୁଥିବା ପର୍ଯ୍ୟଟକ ମଧ୍ୟ ସମୁଦ୍ର ତଟକୁ ନଯିବା ପାଇଁ ନିର୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।

ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ସହ ବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ରକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ନି‌େ‌ର୍ଦଶ ଦିଆଯାଇଛି। ସହରାଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଥିବାରୁ ଆବଶ୍ୟକ ସ୍ଥଳେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ନି‌େ‌ର୍ଦଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍‌ ଆୟୁକ୍ତ ଶ୍ରୀ ସିଂ କହିଲେ, ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲାରେ ସୋମବାରଠାରୁ ବର୍ଷା ସମ୍ଭାବନା ରହିଛି। ୨୮ ଓ ୨୯ ତାରିଖ ବେଳକୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ଏବଂ ୩୦ ତାରିଖ ବେଳକୁ ପ୍ରଭାବ ହ୍ରାସ ପାଇପାରେ। ବର୍ତ୍ତମାନ ସୁଦ୍ଧା ୧୨୮ଟି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଦଳଗୁଡ଼ିକୁ ୮ଟି ଜିଲାରେ ମୁତୟନ କରାଯାଇଛି। ପୁରୀ ଓ ଖୋର୍ଦ୍ଧା ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories