www.samajalive.in
Monday, December 15, 2025
24.1 C
Bhubaneswar

ଯୁବ ରେଡ଼କ୍ରସର ଦିଗଦର୍ଶନ କାର୍ଯ୍ୟକ୍ରମ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ପରାମର୍ଶଦାତା ତଥା ପ୍ରାଧ୍ୟାପକ ଡ଼. କୁଳମଣି ପ୍ରଧାନଙ୍କ ସଂଯୋଜନାରେ ଏବଂ ଅଧ୍ୟକ୍ଷ ଅଶ୍ଵଥମା ଗିରିଙ୍କ ସଭାପତିତ୍ୱରେ ନବାଗତ ପ୍ରଥମ ବର୍ଷ କଳା ଓ ବିଜ୍ଞାନର ୫୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଯୁବ ରେଡକ୍ରସର ଦିଗଦର୍ଶନ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ରେଡକ୍ରସ ପରାମର୍ଶ ଦାତା ତଥା ଇଂରାଜୀ ଅଧ୍ୟାପକ ସୁରେଶ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ତଥା ସନ୍ତୋଷୀ ମା ରେଜିଓନାଲ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ ଯୋଗଦେଇ ଅଧ୍ୟକ୍ଷଙ୍କ ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ତିନୋଟି ପର୍ଯାୟରେ ଅନ୍ତର୍ଗତ ଏହି କାଯ୍ୟକ୍ରମ ପ୍ରଥମରେ ଅଧ୍ୟକ୍ଷ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କୁ ତାଙ୍କର ଯୋଗଦାନ କିପରି ସମାଜର ବିଭିନ୍ନ ସ୍ତରରେ ମଙ୍ଗଳ କରେ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମହେଶ କୁମାର ଚାଟାର୍ଜି ଯୋଗଦେଇ ନବାଗତଙ୍କୁ ବକ୍ତବ୍ୟରେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯାୟରେ ଅଧ୍ୟାପକ ସୁରେଶ କୁମାର ଆଚାର୍ଯ୍ୟ ରେଡକ୍ରସର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ବୁଝାଇବା ସହ ରେଡକ୍ରସର ପ୍ରତିଷ୍ଠାତା ହେନରୀ ଡୁନାଣ୍ଟଙ୍କ ଜୀବନ ବୃତ୍ତାନ୍ତ ସହ ଆଦର୍ଶ ଗତ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ ରେଡ଼କ୍ରସ ସ୍ବେଛାସେବୀ ଙ୍କୁ ରେଡ଼କ୍ରସର ଲକ୍ଷ୍ୟ, ଉଦେଶ୍ୟ ଓ ନୈତିକତା ଉପରେ ଆକର୍ଷଣୀୟ ଦୀକ୍ଷାନ୍ତ ଆଲୋଚନା ସହ ରକ୍ତଦାନ କରି ହୃଦୟରେ ଅଦୃଶ୍ୟ ସମ୍ପର୍କ ଯୋଡିବାର ମହତ କଥା କହିଥିଲେ। ପ୍ରାଧ୍ୟାପକ ଡ଼. କୁଳମଣି ପ୍ରଧାନ ସମସ୍ତ ସ୍ବେଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ଭବ୍ୟ ସ୍ୱାଗତ କରିବା ସହ ରେଡ଼କ୍ରସର ସାତୋଟି ମୌଳିକ ନୀତି ଓ ନିୟମକୁ ପ୍ରାଞ୍ଜଳ ଭାବେ ବୁଝାଇ ରେଡ଼କ୍ରସ ମନସ୍କ କରିବା ସହ ତାଙ୍କର ସୁଗୁଣ କିପରି ବିକଶିତ ହେବ ସୁନ୍ଦର ଭାବେ ବୁଝାଇଥିଲେ। ତୃତୀୟ ପର୍ଯାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ନୃତ୍ୟ, ସଂଗୀତ ଓ ଅଭିନୟର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ୪୦ ଥର ରକ୍ତ ଦାନ କରିଥିବା ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ସୁଧାଂଶୁ ଶେଖର ସାହୁ ନବାଗତ ସ୍ବେଛାସେବୀ ମାନଙ୍କୁ ଭଲମଣିଷ ହେବାର ଉପଦେଶ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଶୀଲ କୁମାର ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ମଦନ ମୋହନ ସାହୁ, ହରେକୃଷ୍ଣ ମହାନ୍ତ, ସପନ ହାଁସଦା ସହଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories