ଆର୍‍ବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକ : ସୁଧହାର ଅପରିବର୍ତ୍ତିତ

0

ନୂଆଦିଲ୍ଲୀ : ଆଗାମୀ ଦିନରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମୁଦ୍ରାସ୍ଫୀତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ଦୃଷ୍ଟିରୁ ଏ ନେଇ ଆଶଙ୍କା ପ୍ରକାଶ କରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ଆଜି ଏକ ଗୁରୁତ୍ୱପୂର୍ଣ୍ଣର୍ ନିଷ୍ପତ୍ତି କ୍ରମେ ଏହାର ପ୍ରମୁଖ ସୁଧହାରକୁ ଅପରିବର୍ତ୍ତିତ ରଖିଛି। ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଏହା ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ପ୍ରଥମ ସମୀକ୍ଷା ବୈଠକ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜ୍ଜିତ୍‍ ପଟେଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି (ଏମ୍‍ପିସି) ବୈଠକରେ ବୁଧବାର ୨୦୧୮-୧୯ ଆର୍ଥିକବର୍ଷର୍ ଲାଗି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ରିପୋର୍ଟ ପ୍ରକାଶ ପାଇଛି। ବୈଠକରେ ଆର୍‍ବିଆଇ ତା’ର ପ୍ରମୁଖ ସୁଧହାରରେ କୌଣସି ହ୍ରାସ ନ କରି ତାହାକୁ ଅପରିବର୍ତ୍ତିତ ରଖିଛି। ଏଥିଯୋଗୁ ଆର୍‍ବିଆଇ ରେପୋ ହାର (ଯେଉଁ ସୁଧ ହାରରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ କରିଥାଏ)କୁ ୬%ରେ ରଖିଥିôବାବେଳେ ରିଭର୍ସ ରେପୋ (ଯେଉଁ ସୁଧ ହାରରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡିକଠାରୁ ଋଣ ଆଣିଥାଏ)ହାରକୁ ୫.୭୫%ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରାସ୍ଫୀତି ପ୍ରତି ବିପଦ ଆଶଙ୍କା କରି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଅଗଷ୍ଟରେ ଅନୁଷ୍ଠିିତ ସମୀକ୍ଷା ବୈଠକ ସମୟରେ ଆର୍‍ବିଆଇ ସୁଧହାରରେ ୨୫ ବେସିସ୍‍ ପଏଣ୍ଟ ହ୍ରାସ ଘଟାଇଥିଲା। ଏମ୍‍ପିସିର ରିପୋର୍ଟ ଅନୁଯାୟୀ, ଅନେକ କାରଣକୁ ନେଇ ଆଗାମୀ ଦିନରେ ମୁଦ୍ରାସ୍ଫୀତିରେ ଅନିଶ୍ଚିତତା ଦେଖାଦେଇପାରେ। ତାହା ହେଉଛି, ଅଶୋଧିତ ତୈଳରେ ବୃଦ୍ଧି ଏବଂ ଖାଦ୍ୟ ସାମଗ୍ରୀର ଦର ଉଚ୍ଚରେ ରହିବା। ଏଥିରେ ୨୦୧୮-୧୯ର ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ୪.୭-୫.୧% ଏବଂ ଦ୍ୱିତୀୟାର୍ଦ୍ଧରେ ୪.୪% ରହିବ ବୋଲି ଆକଳନ କରାଯାଇଛି।
ନିବେଶ କାର୍ଯ୍ୟକଳାପ ତ୍ୱରିତ ହେବା ଫଳରେ ଗତ ଆର୍ଥିକବର୍ଷରେ ଅଭିବୃଦ୍ଧି ହାର ୬.୬% ଥିବାବେଳେ ୨୦୧୮-୧୯ରେ ୭.୪% ରହିବ ବୋଲି ପଟେଲ ଆଶା ପ୍ରକାଶ କରିଛନ୍ତି। ଏମ୍‍ପିସିରେ ରହିଥିବା ଆର୍‍ବିଆଇ ଗଭର୍ଣ୍ଣରଙ୍କ ସମେତ ୬ ସଦସ୍ୟଙ୍କ ମଧ୍ୟରୁ ୫ଜଣ ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବା ସପକ୍ଷରେ ଭୋଟ୍‍ ଦେଇଥିଲେ। ତେବେ ଆର୍‍ବିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ମାଇକେଲ୍‍ ପାତ୍ର ସୁଧହାରରେ ୨୫ ବେସିସ୍‍ ପଏଣ୍ଟ ବୃଦ୍ଧି ସପକ୍ଷରେ ଭୋଟ୍‍ ଦେଇଥିଲେ।

Leave A Reply