ସରିଲା ଚକ ନିର୍ମାଣ

0

ପୁରୀ : ଜୁଲାଇ ୧୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ରଥଖଳା ଚଳଚଞ୍ଚଳ। ଗୁରୁବାର ତିନି ରଥ ପାଇଁ ୪୨ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୧୪ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୧୨ଟି ଚକ ଲାଗିଥାଏ। ପୂର୍ବରୁ ୩୯ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। କାଠରେ ତ୍ରୁଟି ଯୋଗୁଁ ୩ଟି ଚକ ନିର୍ମାଣ କାର୍ଯ୍ୟ ବାକି ରହିଥିଲା। ମଙ୍ଗଳବାର ୩ଟିରୁ ଗୋଟିଏ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଗୁରୁବାର ଅନ୍ୟ ୨ଟି ଚକ ନିର୍ମାଣ ଶେଷ ହୋଇଥିବା ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।
୪୨ଟି ଚକ ପାଇଁ ୨୧ ଅଖ ନିର୍ମାଣ ଶେଷ ହୋଇଛି। ଶୀତଳଷଷ୍ଠୀ ତିଥିରେ ରଥଖଳାରେ ପଂକ୍ତିଭୋଗ ପରେ ଚକ ଅଖ ସଂଯୋଗ କରାଯିବ ବୋଲି ଜଣାପଡ଼ିଛି। ଏବେ ରଥଖଳାରେ ୧୪ନାହାକା କଟା ଯାଉଛି। ଦଣ୍ଡାକାମ ଜାରି ରହିଛି। ବିଶ୍ୱକର୍ମାମାନେ ବାରିଶିରେ ଦଣ୍ଡା କାଟି ସାଇଜ କରୁଛନ୍ତି। ଗରଗରା ନିର୍ମାଣ ଶେଷ ହୋଇଛି। ଅଖ ଉପରେ ରହିବ ଦଣ୍ଡା। ତା’ଉପରେ ଗରଗରା ସ୍ଥାପନ କରାଯିବ। ଗରଗରା ଉପରେ ଉଠିବ ୪ନାହାକା। ୪ନାହାକା ଚାରିପଟେ ବୁଲିବ ୧୪ନାହାକା। ତା’ଉପରେ ୬କାଠ ଉଠିବ। ପରମ୍ପରା ଅନୁଯାୟୀ ଆସନ୍ତା ୨୮ତାରିଖ ସ୍ନାନପୂର୍ଣ୍ଣମୀ ତିଥିରେ ଚାରି ନାହାକା କାର୍ଯ୍ୟ ଶେଷ କରାଯିବ। ୩ରଥ ପାଇଁ ଚାରପରିଚ୍ଛା କାଠ ହଣା ଚାଲିଛି। ମହାରଣାମାନେ ମୁହାଣ୍ଟରେ ବିନ୍ଦ କାମ କରୁଛନ୍ତି। ଚାରି ନାହାକା ଚତୁଃପାର୍ଶ୍ବରେ ବୁଲିବ ୧୪ ନାହାକା। ଦଣ୍ଡା ନିର୍ମାଣ ସରିଲେ ତିନି ରଥର ଫ୍ରେମ୍‍ ପଡ଼ିବ। ୫ଟି ମୁଖ୍ୟ ଦଣ୍ଡାକୁ ମାପଚୁପ କରାଯିବ। ସେଥିରେ ଦୁଇପାର୍ଶ୍ବରେ ୨ଟି ଲେଖାଏଁ ମୁହାଣ୍ଟ ସଂଯୋଗ କରାଯିବ। ୩ଟି ଜଳଯନ୍ତ୍ର ଓ ୨ଟି ଗୁଜ ଖୁଣ୍ଟଭଳି ଦିଆଯାଇ ତା’ଉପରେ ନିରାଡ଼ି ସଂଯୋଗ କରାଯିବ। ଏହାପରେ ପାର୍ଶ୍ବରେ ଆଉ ୨ଟି ଦଣ୍ଡା ଲଗାଯିବ। ପରେ ସେଗୁଡ଼ିକୁ ଚିହ୍ନଟ କରାଯାଇ ସେସବୁକୁ ଖୋଲି ଦିଆଯିବ। ଚିହ୍ନଟ ହୋଇଥିôବା ଦଣ୍ଡା ସେହି ଅନୁସାରେ ରଥରେ ଖଞ୍ଜାଯିବ। ରଥରେ ପାର୍ଶ୍ବ ଦେବଦେବୀଙ୍କୁ ସ୍ଥାପନ ପାଇଁ ଜଳଯନ୍ତ୍ର କାମ ଜାରି ରହିଛି।

Leave A Reply