ଆସିଛି ରଜ। ଆଜି ସଜବାଜ କାଲି ପହିଲି ରଜ। ଘରେ ଘରେ ଏଥିପାଇଁ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୁତି। ପ୍ରତିବର୍ଷ ଜୁନ ମାସରେ ପାଳନ କରାଯାଉଥିବା ପର୍ବ ହେଉଛି ଓଡ଼ିଶାର ପାମ୍ପରିକ ଗଣ ପର୍ବ ରଜ ପର୍ବ। ମୁଖ୍ୟତଃ ଏହା କୁଆଁରୀ କନ୍ୟାମାନଙ୍କ ପର୍ବ। ରଜ ପର୍ବ ମୁଖ୍ୟତଃ ୩ଦିନ ପାଳନ କରାଯାଏ। ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ବା ବସୁମତୀ ସ୍ନାନ।
ରଜ ପୂର୍ବଦିନ କୁଆଁରୀ କନ୍ୟାମାନେ ନିଜର ସାଜସଜ୍ଜା ସାମଗ୍ରୀ ଓ ନୂତନ ପୋଷାକ ପ୍ରସ୍ତୁତ କରି ରଖନ୍ତି। ରଜ ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ସାରି ନୂତନ ପୋଷାକ ,ଶାଢୀ ଆଦି ପରିଧାନ କରନ୍ତି। ସାଜସଜ୍ଜା ଜିନିଷରେ ସଜେଇ ହୋଇ ନିଜ ନିଜ ସଙ୍ଗାତଙ୍କୁ ଘରକୁ ବୁଲିବାକୁ ଯାଆନ୍ତୁ। ରଜରେ ମୁଖ୍ୟ ଆକର୍ଷଣ ହେଉଛି ଦୋଳି, ରଜ ପାନ ଓ ସ୍ୱତନ୍ତ୍ର ପିଠାପଣା। ତିନିଦିନ ଯାକ କୁଆଁରୀ ଝିଅ ମାନେ କାମ କରନ୍ତି ନାହିଁ। ପିଠାପଣା ଖାଇ ରଜ ଦୋଳି ଖେଳି ମଉଜ ମଜଲିସ, ହସଖୁସିରେ ପାଳନ କରିଥାଆନ୍ତି।
ରଜର ବିଶେଷତ୍ୱ ପୋଡପିଠା ଏବଂ ଅନ୍ୟାନ୍ୟ ପିଠାପଣା। । ରଜର ଅନ୍ୟତମ ବିଶେଷତ୍ୱ ପାନ । ରଜପାନରେ ନଡିଆ କୋରା, ଶୁଖିଲା ଗୋଲାପ ପାଖୁଡା, ଲବଙ୍ଗ, ପାନମହୁରି, ଖଇର ଆଦି ବ୍ୟବହାର କରାଯାଏ।
ଓଠରେ ହସ ,ପାଟିରେ ରଜ ପାନ ଓ ମନରେ ଉଲ୍ଲାସ ଭରିଦେବ ରଜ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। କାରଣ, ରଜର ତିନିଦିନଯାକ ମହିଳାମାନଙ୍କୁ କାମ କରିବା ମନା। ବିଶେଷକରି ଝିଅ ଏବଂ ନୂଆବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ ରଖାଯାଏ। ଚାଷୀମାନେ ହଳ, ଲଙ୍ଗଳ ରଖିଦେଇ ଆମୋଦପ୍ରମୋଦରେ ଲାଗିଯା’ନ୍ତି। କାରଣ, ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ। ଭୂମିଦହନ ପରଦିନ ବସୁମତି ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ ।
ରଜ: ରଜକୁ କୃଷକର ପର୍ବ ବୋଲି କୁହାଯାଏ। ଓଡ଼ିଶାର କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ଆମ ରାଜ୍ୟରେ ସାଧାରଣତଃ ରଜ ସମୟରେ ହିଁ ମୌସୁମୀ ଆସିଥାଏ। ରଜ ଆଗରୁ ଚାଷୀ ହଳ କରି ଜମିକୁ ଉର୍ବର କରି ରଖିଥାଏ। ଏହି ସମସ୍ତ କାର୍ୟ୍ୟକରି ମଣିଷ ଥକି ଯାଇଥାଏ, ତେଣୁ ରଜକୁ ଉପଭୋଗ କରିବା ପାଇଁ ଚାଷୀ ଏହି ସମୟରେ କୌଣସି କାର୍ୟ୍ୟ କରି ନ ଥାଏ।
ବନସ୍ତେ ଡାକିଲା ଗଜ .. ବରଷକେ ଥରେ ଆସିଛି ରଜ..
Popular Categories



