ରେଳବାଇରେ ୯୦,୦୦୦ ପଦ ପାଇଁ ୨.୮ କୋଟି ପ୍ରାର୍ଥୀ

0

ନୂଆଦିଲ୍ଲୀ : ରେଳବାଇ ପକ୍ଷରୁ ବିଭିନ୍ନ ବିଭାଗରେ ପ୍ରାୟ ୯୦,୦୦୦ ପଦ ପାଇଁ ଅନଲାଇନରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ୨.୮ କୋଟି ପ୍ରାର୍ଥୀ ଆବେଦନ କରିଥିବା ଜଣାପଡିଛି। ଏହା ବିଶ୍ୱର ସର୍ବବୃହତ ନିଯୁକ୍ତି ସଂକ୍ରାନ୍ତ ପରୀକ୍ଷା ଭାବେ ମାନ୍ୟତାଲାଭ କରିଛି। ଦେଶର ବୃହତ୍ତମ ସରକାରୀ ଉଦ୍ୟୋଗ ଭାବେ ପରିଗଣିତ ରେଳବାଇରେ ପ୍ରାୟ ୧୪ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଉପରୋକ୍ତ ପଦ ମଧ୍ୟରୁ ସହକାରୀ ଟ୍ରେନ ଡ୍ରାଇଭର ନିମନ୍ତେ ୨୬,୫୦୨ ପଦ ପାଇଁ ପରୀକ୍ଷା ହେବାକୁ ଥିବାବେଳେ ଗ୍ୟାଙ୍ଗ୍‌ମ୍ୟାନ, ସ୍ୱିଚ୍‌ମ୍ୟାନ, ଟ୍ରାକ୍‌ମ୍ୟାନ, କ୍ୟାବିନମ୍ୟାନ, ୱେଲଡର, ହେଲପର, କୁଲି ୬୨,୯୦୭ ପଦ ପାଇଁ ପରୀକ୍ଷା କରାଯିବ। ପ୍ରାୟ ଏକ ଲକ୍ଷ ଯୁବକଙ୍କୁ ଚାକିରି ଯୋଗାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି। ସପ୍ତମ ବେତନ କମିସନ ସୁପାରିସ ଲାଗୁ ହେବାପରଠାରୁ କର୍ମଚାରୀଙ୍କୁ ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାରେ ରେଳବାଇ ଉପରେ ଆର୍ଥôକ ବୋଝ ପଡୁଛି। ତେଣୁ ରେଳବାଇ ପକ୍ଷରୁ ସଂଖ୍ୟାଧିକ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆଯିବା ସହ ଠିକା କର୍ମଚାରୀଙ୍କୁ ବିଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ନୂତନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରାଯାଉଛି ବୋଲି ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟୁଥିବାରୁ ରେଳବାଇ କର୍ତ୍ତୃପକ୍ଷ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଦୁର୍ଘଟଣା ଏଡାଇବା ସହ ଯାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବ ବୋଲି ଗୋଏଲ ସ୍ପଷ୍ଟ କରିଛନ୍ତି। ପୁନଶ୍ଚ ରେଳବାଇରେ ନିଯୁକ୍ତି ସୁବିଧା ମିଳୁନାହିଁ ବୋଲି ବିରୋଧୀ ଦଳଗୁଡିକ ଯେଉଁ ଅଭିଯୋଗ କରୁଛନ୍ତି, ତାହାକୁ ଭୁଲ ପ୍ରମାଣିତ କରିବାକୁ ଏତେ ସଂଖ୍ୟକ ପଦ ପାଇଁ ପରୀକ୍ଷା କରାଯାଉଛି ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Leave A Reply