ରାହୁଲ ମୁହଁରେ ହସ

କଟକ: ୮୦ଫୁଟ ବୋରୱେଲ ତଳୁ ଉଦ୍ଧାର ହୋଇଥିବା ଛତିଶଗଡ଼ର ୧୧ବର୍ଷୀୟ ଶିଶୁ ରାହୁଲ ସାହୁ ମୁହଁରେ ହସ ଫୁଟିଛି। ପାଞ୍ଚଦିନ କାଳ ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା ରାହୁଲ ମୁହଁରେ ହସ ଦେଖି ସମଗ୍ର ଡାକ୍ତରୀ ଟିମ, ତାର ପିତାମାତାଙ୍କ ମନରେ ଉତ୍ସାହ ଭରିଯାଇଛି। ୧୦୦ଘଣ୍ଟାରୁ ଊର୍ଦ୍ଧ୍ବ ପାଣି ଭିତରେ ସାପ, ବେଙ୍ଗ ସହ ରହି ମରଣ ସହ ଅହରହ ଜୁଝି ଶେଷରେ ଜୀବନ ସଂଗ୍ରାମରେ ବିଜୟୀ ହୋଇଥିବା ଏହି ନିଷ୍ପାପ ଶିଶୁ ବିଳାସପୁରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଆଜି ତିନିଦିନ ପରେ ତା’ ମୁହଁରେ ହସ ଫୁଟିଛି। ହାସପାତାଳ ଶଯ୍ୟା ନିକଟରେ ଜଗି ବସିଥିବା ମା’ ମଧ୍ୟ ବେଶ୍‌ ଖୁସି। ମା’ର ଡାକ ଶୁଣିପାରୁନାହିଁ, କିନ୍ତୁ ପୁଅର ଠାରକୁ ବେଶ ବୁଝିପାରୁଥିବା ତା’ର ମା’ ଓ ବାପା ରାହୁଲର ହସ ଦେଖି ବେଶ୍‌ ଖୁସି। ରାହୁଲ ସୁସ୍ଥ ହେବା ପରେ ସେମାନେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ତା’ ପିତାମାତା କହିସାରିଛନ୍ତି। ଅନ୍ୟପକ୍ଷରେ ହାସପାତାଳ ଶଯ୍ୟାରେ ଚିକିତ୍ସାଧୀନ ରାହୁଲ ଉପରେ ପୁରା ଡାକ୍ତରୀ ଦଳ ନଜର ରଖିଛନ୍ତି।

ରାହୁଲକୁ ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଥିବା ସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଓ ପୁଲିସ ସମେତ ବହୁ ଦଳକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସାର ସୁଅ ଛୁଟୁଛି। ଏବେ ବି ଏହି ଘଟଣା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଉତ୍ସୁକତାର ସହ ସମସ୍ତେ ହାସପାତାଳରୁ ରାହୁଲ କେବେ ସୁସ୍ଥ ହୋଇ ଫେରିବ ତାହାକୁ ଅପେକ୍ଷା କରିଥିବା ବେଳେ ଧୀରେଧୀରେ ରାହୁଲ ସୁସ୍ଥ ହେଉଥିବା ଖବର ସମସ୍ତଙ୍କୁ ଆଶ୍ବସ୍ତ କରିଛି। ସୂଚନାଯୋଗ୍ୟ ରାହୁଲ ଦୀର୍ଘ ସମୟ ଧରି ପାଣିରେ ରହିଥିବାବେଳେ ତାକୁ ତୁରନ୍ତ ବିଳାସପୁରର ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଜାରି ରହିଛି।

Comments are closed.