ଶିଶୁ-ଅଭିଭାବକ ବାଣିଜ୍ୟ ମେଳା ଅନୁଷ୍ଠିତ
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଶିଶୁ-ଅଭିଭାବକ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ପରିବାର ଠାରୁ ଦୂରରେ ରହିଲେ ତାର ବିକାଶ ପ୍ରକ୍ରିୟାରେ ବାଧା ପହଞ୍ଚେ, କିନ୍ତୁ ପରିବାର ଭିତରେ ହିଁ ତାର ପ୍ରକୃତ ବିକାଶ ସମ୍ଭବ ହୋଇଥାଏ। ଅଭାବ ଅସୁବିଧା ଭିତରେ ତାର ବ୍ୟକ୍ତିତ୍ବର ପ୍ରକୃତ ପରିସ୍ଫୁଟନ ହୋଇଥାଏ। ଭବିଷ୍ୟତରେ ଗୋଟିଏ ଶିଶୁକୁ କେଉଁ କେଉଁ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡ଼ିବ, ତାହା କିଏ ଜାଣିଛି। ସମାଜରେ ଅନେକ କୋମଳମତି ଶିଶୁ ଉପରେ ପରିବାରର ବୋଝ ରହିଥିବା ଦୃଷ୍ଟାନ୍ତ ରହିଛି। ତେଣୁ ଶିକ୍ଷା ସହ ବାଣିଜ୍ୟ ବ୍ୟବସାୟ, କ୍ରୟ ବିକ୍ରୟ ପ୍ରକ୍ରିୟା ଦିଗରେ ମଧ୍ୟ ତାର ଜ୍ଞାନ ରହିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଆଜି ଏହି ମେଳା ଆୟୋଜିତ କରାଯାଇଥିଲା। ଏ ଅବସରରେ ସମାଜସେବୀ ଅର୍ଜୁନ କର୍ଣ୍ଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣା ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମିତିର କୋଷାଧ୍ୟକ୍ଷ ପ୍ରେମାନନ୍ଦ ମେହେର ଶିଶୁ ମେଳା ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ। ଅଭିଭାବକ ଅଭିଭାବିକା ତଥା ଶିଶୁ ଭାଇ ଭଉଣୀମାନଙ୍କ ଦ୍ବାରା ଶିଶୁ ବାଣିଜ୍ୟ ମେଳାରେ ବିଭିନ୍ନ ପ୍ରକାରର ଜିନିଷ କିଣା ବିକା ଚାଲିଥିଲା। କୁନି କୁନି ପିଲାମାନେ ନିଜ ପିତା ବା ମାତାଙ୍କ ସହ ଖୁବ୍ ଆନନ୍ଦରେ ଜିନିଷ କ୍ରୟ ବିକ୍ରୟ ପ୍ରକ୍ରିୟାକୁ ବୁଝିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସାହାଯ୍ୟ ଓ ସହଯୋଗ କରିଥିଲେ।
Comments are closed.