ଅଦିନିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ

ଆଠଗଡ: ଲଘୁଚାପ ଜନିତ ଲଗାଣ ବର୍ଷା ଦୁଇଦିନ ଧରି ଲାଗି ରହିବା ଫଳରେ ପନିପରିବା ଓ ଅମଳକ୍ଷମ ଧାନ ଫସଲ ଉଜୁଡିବା ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ଆଠଗଡ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ ପ୍ରଚୁର ପରିମାଣରେ ପନିପରିବା ଉତ୍ପାଦନ ହୋଇ କଟକ, ଭୁବନେଶ୍ବର, ଢେଙ୍କାନାଳ, ଅନୁଗୁଳ ଓ ଅନ୍ୟାନ୍ୟ ଅଞ୍ଚଳକୁ ଯାଇଥାଏ। ଏହି ଦୁଇଦିନିଆ ଅଦିନିଆ ବର୍ଷାରେ ଶୀତଦିନିଆ ପନିପରିବା ବ୍ୟାପକ କ୍ଷତି ହେବାର ସମ୍ଭାବନା ଥିବାରୁ ଚାଷୀମାନଙ୍କୁ ଚିନ୍ତା ଘାରିଛି । ଆଠଗଡ ବ୍ଲକର ଇଚ୍ଛାପୁର, ଜେନାପଦା, ସମସରପୁର, ସଠିଲୋ, ଖୁଣ୍ଟକଟା, ବଡଭୂଇଁ, ମହାକାଳବସ୍ତ, କଟକିଆସାହି ପଞ୍ଚାୟତ ପନିପରିବା ଫସଲ ଉତ୍ପାଦନ ପାଇଁ ବେଶ ପ୍ରସିଦ୍ଧ। ଏସବୁ ଅଞ୍ଚଳରେ ଶହ ଶହ ହେକ୍ଟର ଜମିରେ ପନିପରିବା ବିଶେଷକରି ଶୀତଦିନରେ ଫୁଲ କୋବି, ବନ୍ଧା କୋବି, ଟମାଟୋ, ବିନ୍, ବାଇଗଣ, ଝୁଡ଼ଙ୍ଗ, ଭେଣ୍ଡି, ବିଭିନ୍ନ ସାଗ ଓ ଅନ୍ୟାନ୍ୟ ପନିପରିବା ଚାଷ କରାଯାଇଛି। ଅଦିନିଆ ବର୍ଷା ଯୋଗୁଁ ପନିପରିବା ଫସଲରେ ପୋକ ଲାଗିବା ଓ ରୋଗ ହେବା ଦ୍ବାରା ଚାଷୀମାନଙ୍କର ବହୁତ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି । ବ୍ଲକର ତରଡିଙ୍ଗ, ଯୋରନ୍ଦା, ଦୋରଡ, କୁଲାଇଲୋ ଓ ଅନ୍ୟ ନଦୀକୂଳିଆ ପଞ୍ଚାୟତରେ ମଧ୍ଯ ପନିପରିବା ଓ ଧାନ ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଯେତିକି ଅର୍ଥ ବ୍ୟୟ ଓ ଅକ୍ଳାନ୍ତ ଶ୍ରମଦାନ କରି ପନିପରିବା ଫସଲରୁ କିଛି ଲାଭ ପାଇବାର ଆଶା ରଖିଥିବା ଚାଷୀ ଚଳିତବର୍ଷ ସହଜେ ନିଜ ଉତ୍ପାଦର ସଠିକ୍ ମୂଲ୍ୟ ପାଉନଥିବା ବେଳେ ଏବେ ଏଇ ଅଦିନିଆ ବର୍ଷା ସେମାନଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ହୋଇଛି । ଆଠଗଡର ଅନେକ ଅଞ୍ଚଳରେ ଏବେବି କ୍ଷେତରେ ଅମଳକ୍ଷମ ପାଚିଲା ଧାନ କଟା ହୋଇନଥିବାରୁ ସେସବୁ ପାଚିଲା ଧାନଗଛ ଏହି ଲଗାଣ ବର୍ଷାରେ ଜମିରେ ଲୋଟି ପଡିଛି । ଆଉ କେତେକ ଜମିରେ ଚାଷୀ ଧାନ କାଟି ଅମଳ କରିନପାରି ଗଦା କରି ରଖିଥିବାରୁ ବର୍ଷାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସରକାର ଏହି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।

Comments are closed.