www.samajalive.in
Saturday, December 13, 2025
23.1 C
Bhubaneswar

ରାହୁଲଙ୍କ ଗସ୍ତ ବେଳେ ସଫଳ ସମାବେଶ ପାଇଁ ପ୍ରଦେଶ କଂଗ୍ରେସର ଜୋରଦାର ପ୍ରୟାସ

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୫ରେ ଓଡ଼ିଶା ଗସ୍ତରେ ଆସୁଥିବାରୁ ରାଜ୍ୟ କଂଗ୍ରେସରେ ତତ୍ପରତା ପ୍ରକାଶ ପାଇଛି। ଏହି ଗସ୍ତକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲାଗିପଡିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ରାହୁଲ ଗାନ୍ଧୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଭୁବନେଶ୍ୱର ଠାରେ ବିଶାଳ ଜନ ସମାବେଶ ପାଇଁ ଶ୍ରୀ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି।
ପ୍ରଥମେ କଟକ ବାଲିଯାତ୍ରା ପଡ଼ିଆରେ ଶ୍ରୀ ଗାନ୍ଧୀଙ୍କ ସମାବେଶ କରିବା ପାଇଁ କଂଗ୍ରେସ ସ୍ଥିର କରିଥିଲା। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରରେ କରିବା ପାଇଁ ନିଷ୍ପତ୍ତି ନେଇଛି। ଗତ ୨୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଥର ଆସିଥିବାବେଳେ ଆସନ୍ତା ୧୫ରେ ବଲାଙ୍ଗିର ଆସୁଛନ୍ତି। ଓଡ଼ିଶା ଗସ୍ତରେ ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ଆସିବା ନେଇ ଏଆଇସିସିର ନଜର ଏବେ ଓଡ଼ିଶା ଉପରେ ପଡ଼ିଛି। ରାଜ୍ୟର ବିଜେଡ଼ି ସରକାର କେନ୍ଦ୍ରର ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ରାହୁଲଙ୍କ ଗସ୍ତ ସମୟରେ ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କରିବା ପାଇଁ ସମସ୍ତ ରଣକୌଶଳ ଚାଲିଛି। ରାଜ୍ୟସଭା ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ , ବିମୁଦ୍ରାୟନ ଓ ଜିଏସ୍‍ଟି ଭଳି ପ୍ରସଙ୍ଗରେ ବିଜେଡ଼ି ନିଃସର୍ତ୍ତ ସମର୍ଥନ ଦେଇଥିବାରୁ ରାଜ୍ୟ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ କରି କାର୍ଯ୍ୟକ୍ରମ ହାତକୁ ନେଇଛି। କେନ୍ଦ୍ର ଓ ରାଜ୍ୟର ବିଫଳତାକୁ କଂଗ୍ରେସ ଟାର୍ଗେଟ କରିବା ପାଇଁ ଦଳରେ ବିଚାରବିମର୍ଶ ଚାଲିଛି।
ବରିଷ୍ଠ ନେତାଙ୍କୁ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାହୁଲଙ୍କ ଗସ୍ତ କିଭଳି ସଫଳ କରାଯିବ ଇତିମଧ୍ୟରେ ପ୍ରସ୍ତୁତି ବୈଠକ କରିଛନ୍ତି। ବିମାନ ବନ୍ଦରଠାରୁ ଧରି ଆୟୋଜିତ ଜନସଭା ପର୍ଯ୍ୟନ୍ତ ଏକ ରୋଡ ଶୋ କରିବାକୁ ଦଳୀୟ ନେତାମାନେ ବିଚାର କରିଛନ୍ତି। ଏହି ସମାବେଶ ଦିନ କେତେକ ବରିଷ୍ଠ ନେତା କଂଗ୍ରେସରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି। ରାହୁଲଙ୍କ ଗସ୍ତ ପୂର୍ବରୁ ନିକଟରେ ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଓଡ଼ିଶା ଗସ୍ତରେ ଆସି ପିପିଲି ପୀଡ଼ିତାଙ୍କ ଅର୍ଜୁନଗୋଦା ଗ୍ରାମକୁ ଯାଇଥିଲେ। ରାଜ୍ୟରେ ମହିଳା ମାନଙ୍କୁ ନ୍ୟାୟ ମିଳୁନଥିବାବେଳେ ମହିଳା ହିଂସା ମଧ୍ୟ ବୃଦ୍ଧି ପାଇଥିବାର ଅଭିଯୋଗ କରିଥିଲେ। ରାଜ୍ୟରେ ମହିଳାଙ୍କୁ ଅବହେଳା ଓ ନ୍ୟାୟ ମିଳୁନଥିବାରୁ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।
ରାଜ୍ୟ କଂଗ୍ରେସର ଛାମୁଆ ସଂଗଠନ ଗୁଡ଼ିକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସକ୍ରିୟ କରୁଥିବାବେଳେ ବିଜେପି ଓ ବିଜେଡ଼ିକୁ ମୁକାବିଲା ପାଇଁ ସମଭାବାପନ୍ନ ଦଳ ଗୁଡ଼ିକ ସହ ବିଚାରବିମର୍ଶ ଚଳାଇଛନ୍ତି। ରାହୁଲଙ୍କ ଗସ୍ତକୁ ନେଇ ସବୁମତେ ସଫଳ କରିବା ପାଇଁ ଚାଷୀ ନେତା, ସାମାଜିକ ଗଣ ସଂଗଠନ , ବୃଦ୍ଧିଜୀବୀଙ୍କୁ ରାହୁଲଙ୍କ ସହ ଆଲୋଚନା ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଛି। ନିର୍ବାଚନ ପାଖେଇ ଆସୁଥିବାରୁ ରାହୁଲଙ୍କ ଏହି ଗସ୍ତକୁ ରାଜ୍ୟ କଂଗ୍ରେସ ଗୁରୁତ୍ୱ ଦେଇ ସବୁ ନେତାଙ୍କୁ ଏକାଠି କରି ସଂଗଠନକୁ ସୁଦୃଢ ପ୍ରୟାସ କରିଛି। ରାଜ୍ୟର ବିଭିନ୍ନ ଜିଲାକୁ ପିସିସି ସଭାପତି ଗସ୍ତ କରି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ ସଭା ସମାବେଶ ଆୟୋଜନ କରୁଛନ୍ତି।
ନିକଟରେ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିଥିବାରୁ ରାଜ୍ୟ କଂଗ୍ରେସ ଆଗ ଅପେକ୍ଷା ଚଳଚଞ୍ଚଳ ହୋଇଛି। ଅନ୍ୟ ପକ୍ଷରେ ରାହୁଲଙ୍କ ଗସ୍ତ ସମାବେଶ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱର ପରାକାଷ୍ଠା ପାଇଁ ଏକ ପରୀକ୍ଷା ବୋଲି କୁହାଯାଉଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories