ବିଜେପିକୁ କୌରବ ଓ କଂଗ୍ରେସକୁ ପାଣ୍ଡବ ସହ ତୁଳନା କଲେ ରାହୁଲ

0

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ କଂଗ୍ରେସର ୩ ଦିନିଆ ମହାଅଧିବେଶନର ଉଦ୍‌ଯାପନୀ ତଥା ଅନ୍ତିମ ଦିବସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ଓ ଆରଏସ୍‌ଏସ୍‌ର ତୁଳନା କୌରବ ଓ କଂଗ୍ରେସର ତୁଳନା ପାଣ୍ଡବ ସହ କରିଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାହୁଲ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ନିଜ ଅଭିଭାଷଣରେ ରାହୁଲ କହିଥିଲେ ଯେ ହଜାର ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ଏକ ଯୁଦ୍ଧ ହୋଇଥିଲା । ସେଥିରେ କୌରବଙ୍କ ପାଖରେ ଅର୍ଥ ଓ ଅହଂକାର ଥିଲାବେଳେ ପାଣ୍ଡବଙ୍କ ସେନା ଛୋଟ ଥିଲା । ବିଜେପି ଏବଂ ଆରଏସ୍‌ଏସ୍‌ କୌରବଙ୍କ ଭଳି ହୋଇଗଲେଣି ଆଉ ଆମେ ପାଣ୍ଡବଙ୍କ ଭଳି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛୁ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ ସହସ୍ରାଧିକ ଲୋକଙ୍କ ହତ୍ୟାର ଅଭିଯୁକ୍ତଙ୍କୁ ବିଜେପି ଅଧ୍ୟକ୍ଷ କରୁଛି; ହେଲେ କଂଗ୍ରେସ କେବେ ବି ଏଭଳି କରିପାରିବ ନାହିଁ ।

‘ଆମେ ବିଜେପି ଭଳି ମିଛ ଓ ଘୃଣାର ପ୍ରଚାର କରିପାରିବୁ ନାହିଁ’
ସେହିପରି ରାହୁଲ କହିଥିଲେ ଯେ ଆମେ ବିଜେପି ଭଳି ମିଛ କି ଘୃଣାର ପ୍ରଚାର କରିନାହୁଁ । ବିଜେପି ଏକ ସଂଗଠନ ଏବଂ କଂଗ୍ରେସ ଦେଶର ସ୍ୱର । ଗାନ୍ଧିଜୀବ ଦେଶର ସ୍ୱାଧୀନତା ପାଇଁ ଜେଲ ଯାଇଥିଲେ । ଆମର ୬୦ ହଜାର କାର୍ଯ୍ୟକର୍ତ୍ତା ପଞ୍ଜାବରେ ହତ୍ୟାର ଶିକାର ହେଲେ । ତାଙ୍କ ପାଖରେ ଗୋଟିଏ ବି ନାମ ନାହିଁ ଯେ ଦେଶର ସ୍ୱାଧୀନତା ସଂଗ୍ରମାରେ ସହିଦ ହୋଇଥିବ ।

‘ରୋଜଗାର ନାହିଁ, ପ୍ରଧାନମନ୍ତ୍ରୀ କହୁଛନ୍ତି ଯୋଗ କର’
ସବୁ ଜାଗାରେ ମେଡ଼ ଇନ ଚାଇନା ଦେଖିବାକୁ ମିଳୁଛି । ବେପାରୀଙ୍କୁ ୩୩ ହଜାର କୋଟି ଟଙ୍କା ଦିଆଗଲା । ଅର୍ଥ ମନ୍ତ୍ରୀ ଠକେଇକୁ ନେଇ ଗୋଟିଏ ଶବ୍ଦ କହିନାହାନ୍ତି । ଅଚ୍ଛେ ଦିନ, ସ୍ୱଚ୍ଛ ଭାରତ ଏବଂ ବ୍ୟାଙ୍କ ଖାତାରେ ୧୫ ହଜାର ଲକ୍ଷ ଟଙ୍କା ଜମା ହେବାର ପ୍ରତିଶ୍ରୁତି, ନୋଟବନ୍ଦୀ, ଗବର ସିଂହ ଟିକସ୍‌ (ଜିଏସ୍‌ଟି) ଯୋଗ ପ୍ୟାରେଡ ଭଳି ସମସ୍ତ ପ୍ରତିଶ୍ରୁତି ଡ୍ରାମାବାଜି । ଦେଶରେ ରୋଜଗାର ନାହିଁ, ଚାଷୀ ମରୁଛନ୍ତ; ହେଲେ ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଲ ଇଣ୍ଡିଆ ଗେଟରେ ଯୋଗ କର ।

‘କେବଳ ମନ୍ଦିର ନୁହେଁ ସବୁଠିକି ଯାଏ’
ସତ କହିବାରୁ ଗୌରୀ ଲଙ୍କେଶଙ୍କ ହତ୍ୟା କରାଗଲା । ଲକ୍ଷାଧିକ ଟଙ୍କା ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ନିରବ ମୋଦିଙ୍କ ନାମ ସହ ଆମ ପ୍ରଧାନମନ୍ତ୍ରୀଙ୍କ ନାମ ମିଶୁଛି । ମୋଦି ମୋଦିକୁ ୩୩ ହଜାର କୋଟି ଟଙ୍କା ଦେଲେ ଆଉ ସେ ନେଇ ଫେରାର ହୋଇଗଲେ । ଗୁଜରାଟ ନିର୍ବାଚନରେ କେତେକ ଲୋକ କହିଲେ ଯେ ମୁଁ ମନ୍ଦିର ଯାଉଛି । ବର୍ଷ ବର୍ଷ ଧରି ମୁଁ ମନ୍ଦିର, ମସଜିଦ୍‌, ଗୁରୁଦ୍ୱାରା ଏବଂ ଚର୍ଚ୍ଚ ଯାଉଛି । କେବଳ ମନ୍ଦିର ନୁହେଁ ରାଜନୀତିରେ ମୋତେ ଯେଉଁଠିକି ଡକାଯାଏ ମୁଁ ସେଇଠିକି ଯାଏ ।

Leave A Reply