ଉଡିଗଲା ଶ୍ରୀମନ୍ଦିରର ପତିତପାବନ ବାନା
ପୁରୀ : ପୁରୀ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଅପରାହ୍ନ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି । କେହି କେହି ଏହାକୁ ଶୁଭ ତ ଆଉ କେହି ଅଶୁଭ ବୋଲି କହୁଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବାତ୍ୟା ଅମ୍ଫାନ ମଧ୍ୟ କାୟା ବିସ୍ତାର କରିମାଡିଆସୁଛି । ଏହାରି ମଧ୍ୟରେ ସାଢେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମରେ ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ବାନା ଉଡିଯିବାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବଙ୍ଗୋପସାଗରେ ବାତ୍ୟା ଅମ୍ଫାନ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପୁରୀରେ ପାଣିପାଗରେ ପରିବର୍ତ୍ତନ ଘଟିବା ସହ ପବନ ବହୁଛି । ଯାହା ଫଳରେ ପତିତପାବନ ବାନା ଉଡି ଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସନ୍ଧ୍ୟାରେ ବାନା ପୁଣି ବନ୍ଧାଯିବ ବୋଲି ଚୂନରା ସେବାୟତ କହିଛନ୍ତି । ସୂଚନାଯୋଗ୍ୟ ଗତବର୍ଷ ସାମୁଦ୍ରିକ ଝଡ ଫୋନି ଆସିବା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରର ପତିତପାବନ ବାନା ଉଡିଯାଇଥିଲା ।
Comments are closed.