ରଥଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ

ସକାଳ ୮ରେ ପହଣ୍ଡି, ୧୧.୩୦ରେ ରଥ ବିଜେ

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବୁଧବାର ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏଥିରେ ଅଧ୍ୟକ୍ଷତା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଦୁଇଟି ପ୍ରମୁଖ ଯାତ୍ରାକୁ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଛି। ଜୁଲାଇ ୧ ତାରିଖ ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରୁ ଦାରୁବ୍ରହ୍ମଙ୍କ ପହଣ୍ଡି ଅନୁଷ୍ଠିତ ହେବ। ଦିନ ୧୧ଟା ୩୦ ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତି ତିନିରଥରେ ବିଜେ କରିବେ। ଏହାପରେ ମଦନମୋହନଙ୍କୁ ରଥ ଉପରେ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ତିନିରଥରେ ଛେରାପହଁରା କରିବେ। ଏହାପରେ ଚାରମାଳ ଖୋଲାଯାଇ ଘୋଡ଼ା ଓ ସାରଥି ଲଗାଯିବ। ଦିନ ୨ଟା ୩୦ରୁ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ। କୌଣସି ଭକ୍ତ ରଥ ଉପରେ ଚଢ଼ିପାରିବେ ନାହିଁ କିମ୍ବା ଦାରୁବ୍ରହ୍ମଙ୍କୁ ସ୍ପର୍ଶ କରିପାରିବେ ନାହିଁ। କରୋନା ସଂକ୍ରମଣ ଯୋଗୁଁ ଦୁଇବର୍ଷ ଧରି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ତେଣୁ ଚଳିତ ବର୍ଷ ପୂର୍ବାପେକ୍ଷା ଅଧିକ ଭକ୍ତ ରଥଯାତ୍ରାରେ ଯୋଗଦେବା ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି କରିବାକୁ ଦଇତାପତି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ହେରାପଞ୍ଚମୀ, ରଥ ଦକ୍ଷିଣମୋଡ, ସନ୍ଧ୍ୟାଦର୍ଶନ, ବାହୁଡାଯାତ୍ରା, ସୁନାବେଶ, ଅଧରପଣା ଭୋଗ ଏବଂ ନୀଳାଦ୍ରି ବିଜେ ନୀତିନିର୍ଘଣ୍ଟ ବୁଧବାର ବୈଠକରେ ପ୍ରସ୍ତୁତ କରାଯାଇଛି।

prayash

ଖୁବ୍‌ଶୀଘ୍ର ପରିଚାଳନା କମିଟି ବୈଠକ ଡକାଯଇ ତାହାକୁ ଅନୁ‌େମାଦନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ପ୍ରକାଶ କରିଛନ୍ତି। ସେହିପରି ଜୁନ୍‌ ୧୪ରେ ଅନୁଷ୍ଠିତ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଛି। ସୂଚନା ଅନୁଯାୟୀ ସେଦିନ ମଙ୍ଗଳାର୍ପଣ ପରେ ଭୋର ୪ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ସ୍ନାନମଣ୍ଡପ ଉପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ଅବକାଶ ଓ ବେଶ କରାଯିବ। ୧୦୮ଗଡୁ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରିବେ। ମହାପ୍ରଭୁଙ୍କୁ ଆକର୍ଷଣୀୟ ହାତୀବେଶ କରାଯିବ। ଏହି ବେଶ ଦର୍ଶନ ପାଇଁ ୨ରୁ ୩ଘଣ୍ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସ୍ନାନମଣ୍ଡପ ତଳେ ଛିଡ଼ା ହୋଇ ଦର୍ଶନ ପାଇଁ ସୁଯୋଗ ଦିଆଯିବ। ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ଅନୁମତି ଦିଆଯିବ। ଏହାଛଡ଼ା ହଜାର ହଜାର ଭକ୍ତ ବଡ଼ଦାଣ୍ଡରେ ଛିଡ଼ା ହୋଇ ମହାପ୍ରଭୁଙ୍କ ସ୍ନାନ ଏବଂ ବେଶ ଦର୍ଶନ କରିବେ। ତେଣୁ ଠାକୁରଙ୍କ ସମ୍ମୁଖରେ ଛିଡ଼ା ନ ହେବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ଜିଲାପାଳ ତଥା ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହଙ୍କ ସମେତ ପରିଚାଳନା କମିଟି ସଭ୍ୟ ଏବଂ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

kalyan agarbati

Comments are closed.