୧୦ ମାସ ହେଲା ବନ୍ଦ ରହିଛି ଶୁଣାଣି ଶିବିର, ଆଗ୍ରହ ଦେଖାଉନି ପ୍ରଶାସନ

ବାବୁଙ୍କୁ ଡର କରୋନା, କେବେ ହେବ ଅଭିଯୋଗ ଶୁଣାଣି?

ବ୍ରହ୍ମପୁର: ଲୋକେ ଅଭିଯୋଗ କରିବେ କାହାକୁ ? ଗଞ୍ଜାମ ଜିଲାବାସୀଙ୍କ ସମ୍ମୁଖରେ ଏବେ ଏଭଳି ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଜନତାଙ୍କ ଅଭିଯୋଗ ଶୁଣିବାକୁ ବୋଧେ ବାବୁମାନେ ଆଗ୍ରହ ଦେଖାଉନାହାନ୍ତି । କରୋନା କାରଣରୁ ଯଦିଓ ଶୁଣାଣି ବନ୍ଦ ରହିଛି ତେବେ ମାସେ କି ଦୁଇ ମାସ ନୁହଁ, ଗତ ୧୦ ମାସ ହେଲା ଜିଲାରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିଛି । କରୋନା ଭୟରେ ବନ୍ଦ ହୋଇଥିବା ଶିବିର ବର୍ତ୍ତମାନ ସ୍ଥିତି ସୁଧୁରିବା ପରେ ମଧ୍ୟ ଆରମ୍ଭ କରାଯାଇନି। କେବେ ଅଭିଯୋଗ ଶୁଣାଣି ପୁନଃ ଆରମ୍ଭ ହେବ, ତାହାକୁ ନେଇ ମଧ୍ୟ ବାବୁମାନେ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି । ଅନ୍ୟପଟେ ନିଜ ଅଭିଯୋଗକୁ ନେଇ ଲୋକମାନେ ଗୋଟିଏ କାର୍ଯ୍ୟାଳୟରୁ ଆଉ ଗୋଟିଏ କାର୍ଯ୍ୟାଳୟ ବୁଲିବାରେ ଲାଗିଛନ୍ତି । ହେଲେ ବାବୁଙ୍କ ଦେଖା ମିଳୁନି ।

ପ୍ରତ୍ୟେକ ମାସର ପ୍ରଥମ ସୋମବାର ଜିଲା ମୁଖ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥାଏ । ପରବର୍ତ୍ତୀ ସୋମବାରଗୁଡ଼ିକରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିବିର ଆୟୋଜନ କରାଯାଇଥାଏ । ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଶିବିର ମାସର ଶେଷ ସୋମବାରରେ ଅନୁଷ୍ଠିତ ହୁଏ । ଏନେଇ ପୂର୍ବରୁ ଅଞ୍ଚଳବାସୀଙ୍କୁ ସୂଚନା ଦିଆଯାଏ । ଯାହାର ଯାହା ଅଭିଯୋଗ, ସେମାନେ ଶିବିରକୁ ଆସି ନିଜ ନିଜର ଅଭିଯୋଗ ଦାଖଲ କରନ୍ତି । ପ୍ରତି ଶିବିରରେ ପ୍ରାୟ ୧୫୦ରୁ ୨ଶହ ଅଭିଯୋଗର ଶୁଣାଣି ହୋଇଥାଏ । ଜିଲାପାଳଙ୍କ ଠାରୁ ଆରମ୍ଭ କରି ଏସ୍‌ପି ଏବଂ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣିଥାନ୍ତି ।

କରୋନା ପ୍ରକୋପ ପରେ ମାର୍ଚ୍ଚ ୧୪ ତାରିଖରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫ୍ରେନ୍ସିଂ ଜରିଆରେ ଉପଜିଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର୍‌ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲାରେ କରୋନା ବ୍ୟାପିବାର ଆଶଙ୍କା ଥିବା ଯୋଗୁ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ସୀମିତ ରଖାଯାଇଥିଲା । ସାପ୍ତାହିକ ଅଭିଯୋଗ ଶୁଣାଣି ଶିବିର, ମୋ ନିବେଦନ ଏବଂ ମୋ ଗାଁରେ ତହସିଲ୍‌ ଭଳି ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ ଧିରେ ଧିରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଲା । ମାର୍ଚ୍ଚ ୨୪ ତାରିଖରେ ୨୧ଦିନ ପାଇଁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଫଳରେ ମାର୍ଚ୍ଚ ୩୧ ତାରିଖରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହେବା ସମ୍ଭବ ହେଲାନି । ପରେ ପରେ ଗଞ୍ଜାମକୁ ପ୍ରବାସୀ ଓଡ଼ିଆ ଫେରିବା ଏବଂ ମେ’ ପ୍ରଥମ ସପ୍ତାହରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଣୁ ପ୍ରଶାସନ ଅଧିକ ସତର୍କ ହୋଇପଡ଼ିଲା । ସାପ୍ତାହିକ ଅଭିଯୋଗ ଶୁଣାଣି ହେଉ ଅବା ଅନ୍ୟ କାର୍ଯ୍ୟକ୍ରମ, ସବୁ କିଛି ବନ୍ଦ ହୋଇଯାଇଥିଲା ।

ବର୍ତ୍ତମାନ ଜିଲାରେ କରୋନା ଏକ ପ୍ରକାର ନିୟନ୍ତ୍ରଣକୁ ଆସିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ସଂଖ୍ୟାରେ ସୀମିତ ରହୁଛି । ତଥାପି ଅଭିଯୋଗ ଶୁଣାଣି ଶିବିର ପୁନଃ ଆରମ୍ଭ ଦିଗରେ ପ୍ରଶାସନିକ ଅଧିକାରୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଅନ୍ୟପଟେ ମୋ ଗାଁରେ ତହସିଲ୍‌, ନିର୍ଭୟ କଢ଼ି, ମୋ ଗେହ୍ଲା ଝିଅ ଭଳି ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କେବଳ ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିଛି । ଶିବିର କେବେ ପୁଣିଥରେ ଆରମ୍ଭ ହେବ, ସେନେଇ ଅଧିକାରୀମାନେ କୌଣସି ସୂଚନା ଦେଇପାରୁନାହାନ୍ତି । ଫଳରେ ଲୋକମାନେ ସେମାନଙ୍କ ଅଭିଯୋଗ ଦାଖଲ କରିବାରେ ଅସମର୍ଥ ହେଉଛନ୍ତି । ବାବୁମାନଙ୍କ ପାଖକୁ ଗଲେ, ସେମାନେ ମଧ୍ୟ ବ୍ୟକ୍ତିଗତ ଭାବେ କାହାକୁ ଭେଟିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଅନେକ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ବାରଣ କରାଯାଉଛି । ବାବୁମାନେ ଦୂରରେ ରହୁଛନ୍ତି । ଏଣୁ ଅଭିଯୋଗ ଧରି ଦିଗହରା ହେଉଛନ୍ତି ଜିଲାବାସୀ ।
ଏନେଇ ବ୍ରହ୍ମପୁର ଆସିଷ୍ଟାଣ୍ଟ କଲେକ୍ଟର ତଥା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ଭାରପ୍ରାପ୍ତ ଅଧିକାରୀ ବିନୋଦ କୁମାର ବେହେରା କୁହନ୍ତି, ରାଜ୍ୟବ୍ୟାପି ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିଛି । ସରକାରଙ୍କ ନିର୍ଦେଶ ପରେ ହିଁ ଶିବିର ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.