୫-ଟି ବିଦ୍ୟାଳୟ ଉପରେ ଚକାଚକ୍, ଭିତରେ ସମସ୍ୟା ମାଳ ମାଳ
ଝିଲିମିଣ୍ଡା ୫-ଟି ବିଦ୍ୟାଳୟର ବିକଳ ଚିତ୍ର
ରେଙ୍ଗାଲିକ୍ୟାମ୍ପ : ବିଦ୍ୟାଳୟ ବାହାର ଚକାଚକ୍ । ଦେଖିବାକୁ ବହୁତ ସୁନ୍ଦର । ହେଲେ ଭିତରେ ସମସ୍ୟା ମାଳମାଳ। ପଢ଼ିବାକୁ ଦୁଇରୁ ଅଧିକ ସ୍ମାର୍ଟ କ୍ଲାସରୁମ୍ ନାହିଁ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ବି ଗୁଣାତ୍ମକ ଶିକ୍ଷାରେ ସମସ୍ୟା ସୃଷ୍ଟି କରୁଛି। ଏହା କୌଣସି ଉପାନ୍ତ କି ଆଦିବାସୀ ଅଞ୍ଚଳ ନୁହେଁ ଅତାବିରା ବ୍ଲକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଝିଲିମିଣ୍ଡା ରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଏହି ସ୍କୁଲର ବିକାଶ କରାଯାଇଛି । ଲାଇବ୍ରେରି, ଲାବରେଟୋରି ପ୍ରତିଷ୍ଠା ହୋଇଛି। କ୍ଲାସରୁମ୍ରେ ରଙ୍ଗ ବୋଳି ଚିକ୍କଣ କରାଯାଇଛି । ମାତ୍ର ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଶ୍ରେଣୀରେ ୯୩ ଜଣ ପିଲା ବସି ପାଠ ପଢୁଛନ୍ତି। ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ମୋଟ ୧୮୭ ଜଣ ପିଲା ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି । ୫-ଟି ଯୋଜନାରେ କ୍ଲାସ୍ ରୁମ୍ଗୁଡ଼ିକ ସ୍ମାର୍ଟ ହୋଇଛି । ଯେଉଁଥିପାଇଁ ଆଗ ଅପେକ୍ଷା ଶ୍ରେଣୀଗୃହରେ ପିଲାଙ୍କ ଉପସ୍ଥାନ ବଢ଼ିଛି । ହେଲେ ପିଲାଙ୍କ ତୁଳନାରେ ସ୍ମାର୍ଟ ଶ୍ରେଣୀ କୋଠରୀ ନାହିଁ କି ଅଧିକ ପ୍ୟାନେଲ ବୋର୍ଡ ନାହିଁ । ମାତ୍ର ଦୁଇଟି ପ୍ୟାନେଲ ବୋର୍ଡ । ଗୋଟିଏ ଶ୍ରେଣୀ କୋଠରୀ ଭିତରେ ବସି ୯୩ ପିଲା ପାଠ ପଢୁଛନ୍ତି । ପ୍ୟାନେଲ ବୋର୍ଡରେ ଆସୁଥିବା ଭିଡିଓ ଗୁଡ଼ିକର ଶବ୍ଦ ପଛରେ ବସୁଥିବା ପିଲାଙ୍କ ନିକଟକୁ ପହଞ୍ଚି ପାରୁନାହିଁ । ପିଲାମାନେ ଲଗା ଲାଗି ହୋଇ ବସିଥିବାରୁ ସେମାନଙ୍କୁ ଲେଖିବା ପଢ଼ିବାରେ ଅସୁବିଧା ହେଉଛି । ଗରମ ଦିନରେ ଶ୍ରେଣୀ କୋଠରୀ ଭିତରେ ପିଲା ମାନେ ଅଣନିଃଶ୍ବାସୀ ପରି ହେଉଛନ୍ତି ।
ସମସ୍ୟା କେବଳ ଏତିକିରେ ଅଟକିନି। ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଅନୁପାତରେ ଶିକ୍ଷକ ନାହାନ୍ତି । ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ମିଶାଇ ମୋଟ ୩ଜଣ ଶିକ୍ଷକ ଅଛନ୍ତି । ଦୁଇଜଣ ବିଜ୍ଞାନ ଶିକ୍ଷକ ଓ ଜଣେ ହିନ୍ଦୀ ଶିକ୍ଷକ। ସଂସ୍କୃତ ଶିକ୍ଷକ ନ ଥିବାରୁ ପିଲାମାନଙ୍କ ଇଚ୍ଛା ଥିଲେ ମଧ୍ୟ ସଂସ୍କୃତ ପଢ଼ିପରୁ ନାହାନ୍ତି । ଖେଳ ଶିକ୍ଷକ ନ ଥିବାରୁ ଖେଳ ଛୁଟି ସମୟରେ ପିଲାମାନେ ଶ୍ରେଣୀଗୃହରେ ବସି ସମୟ ବିତାଉଛନ୍ତି । ଏବେ ପୁଣି ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚାଲୁ ହୋଇଛି ବିଜେତା । ଯେଉଁଥିରେ ବିଦ୍ୟାଳୟର ଚାରିଜଣ ଶିକ୍ଷକ ମେଣ୍ଟର ଶିକ୍ଷକ ଭାବେ ଚାରିଟି ହାଉସ ଗଠନ କରି ପିଲାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ କରାଇବେ। ହେଲେ ମୋଟ ତିନି ଜଣ ଶିକ୍ଷକରେ ଚାରିଟି ହାଉସର କାମ ତୁଲାଯାଉଛି। କଳା ବିଭାଗର କୌଣସି ଶିକ୍ଷକ ନାହାନ୍ତି ।ପିଲାମାନେ ମାତୃଭାଷା ଭାଷା ଓ ଦ୍ଵିତୀୟ ଭାଷା ଇଂରାଜୀ ଯାହା ଶିଖିବେ ତାହା ବେଶ୍ ଅନୁମେୟ।
ବିଦ୍ୟାଳୟ ସ୍ଥାପନ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଏହାର ଦୁଇ ପାର୍ଶ୍ଵରେ ପାଚେରୀ ନାହିଁ । ତେଣୁ ବିଦ୍ୟାଳୟଟି ସୁରକ୍ଷିତ ବି ନୁହେଁ। ଅବିଭାବକ ମାନେ କହିଛନ୍ତି ଯେ, ଏହି ବିଦ୍ୟାଳୟକୁ ୫୦ ବର୍ଷ ପୂରିବା ବେଳକୁ ଆଉ ଜଣେ ବି ଶିକ୍ଷକ ଏହି ବିଦ୍ୟାଳୟ ରେ ନଥିବେ ,ସମସ୍ତେ ଅବସର ନେଇ ସାରିଥିବେ ବୋଲି ଜଣାପଡ଼ିଛି । ତେବେ ପରବର୍ତ୍ତୀ ସମୟରେ ବିଦ୍ୟାଳୟର ଅବସ୍ଥା କଣ ହେବ ଏହା ଅଭିଭାବକ ମହଲରେ ଚିନ୍ତା ସୃଷ୍ଟି କରିଛି। ୫-ଟି ଜରିଆରେ ରୂପାନ୍ତରଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପର ଚିକ୍କଣ ବ୍ୟବସ୍ଥା ହୋଇଛି। ମାତ୍ର ପିଲାଙ୍କ ଅନୁପାତରେ ଶିକ୍ଷକ ନାହାନ୍ତି । ଏପରିକି ଏହି ୫-ଟି କାମ ମଧ୍ୟ ଏତେ ନିମ୍ନ ମାନର କାମ ହୋଇଛି,ଯେ ଗତ ଦୁଇ ଦିନ ତଳେ ବିଜ୍ଞାନାଗାରର ସିଲିଂ ଖସି ପଡିଥିଲା ପିଲାମାନେ ପରୀକ୍ଷଣ କରୁଥିବା ସମୟରେ। ତେଣୁ ବିଭାଗୀୟ ଅଧିକାରୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଗଲେ ବହୁ ପିଲା ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି ।
Comments are closed.