ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ
କେନ୍ଦୁଝରଗଡ : ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ ପକ୍ଷରୁ ୩ଦଫା ଦାବିରେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ନେତା ମନୋଜ କୁମାର ମହାନ୍ତ, ଉମାଶଙ୍କର ମିଶ୍ର, ଭୈରବ ମହାନ୍ତି, ସୂର୍ଯ୍ୟପ୍ରସାଦ ସେଠୀ, ଅଲେଖ ଚରଣ ବାରିକ, ଆଶିଷ କୁମାର ନାୟକ, ସୁନୀଲ କୁମାର ସାମଦ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ କାଳୀପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ, ରାଜ୍ୟର ସମସ୍ତବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମୂଳ ବେତନ ଲେବୁଲ-୯ କେନ୍ଦ୍ରୀୟ ହାରରେ ୪୨୦୦ଟଙ୍କା ଗ୍ରେଡ ପେ’ ପ୍ରଦାନ ଏବଂ ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଦାବିରେ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ମର୍ମରେ ଏକ ପ୍ରତିନିଧିଦଳ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।
Comments are closed.