ଜଷ୍ଟିସ୍‍ ପ୍ରସାଦ ଅଧ୍ୟକ୍ଷ, ଛାୟାକାନ୍ତ ସଦସ୍ୟ

0

ନୂଆଦିଲ୍ଲୀ :  ପ୍ରେସ୍‍ କାଉନ୍‍ସିଲ ଅଫ ଇଣ୍ଡିଆ ପୁନର୍ଗଠିତ ହୋଇଛି। ଏ ସମ୍ପର୍କରେ ଗୁରୁବାର ବିଧିବଦ୍ଧ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ସି.କେ ପ୍ରସାଦ ଦ୍ୱିତୀୟ ଥର ପାଇଁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ବୃହତ୍‍ ଖବରକାଗଜ ବର୍ଗରୁ ବିଜୟ କୁମାର ଚୋପ୍ରା ଓ ରାକେଶ ଶର୍ମା ନୂଆ ପରିଷଦର ସଦସ୍ୟତା ଲାଭ କରିଥିବାବେଳେ କ୍ଷୁଦ୍ର ଖବରକାଗଜ ବର୍ଗରୁ ଶ୍ୟାମ ସିଂହ ପନୱାର ଓ କେଶବ ଦତ୍ତ ଚାଣ୍ଡୋଲା ମନୋନୀତ ହୋଇଛନ୍ତି। ଖବରକାଗଜ ପରିଚାଳନା ମଣ୍ଡଳୀ ସଦସ୍ୟ ବର୍ଗରୁ ସମ୍ବାଦ ସରବରାହ ସଂସ୍ଥା ୟୁଏନ୍‍ଆଇର ସମ୍ପାଦକ ଅଶୋକ ଉପାଧ୍ୟାୟ ମନୋନୀତ ହୋଇଥିବାବେଳେ ମଧ୍ୟମ ଖବର କାଗଜ ବର୍ଗରୁ କେହି ସଦସ୍ୟତା ଲାଭ କରି ନାହାନ୍ତି। ଏ ନେଇ ଅଦାଲତରେ ମାମଲା ବିଚାରାଧୀନ ଥିବାରୁ ଏହି ବର୍ଗରୁ କାହାରିକୁ ସଦସ୍ୟତା ମିଳି ନାହିଁ। ପ୍ରେସ୍‍ କାଉନ୍‍ସିଲ ଆଇନ ଅନୁସାରେ କାଉନ୍‍ସିଲର ଅଧ୍ୟକ୍ଷ ଓ ୨୮ଜଣ ସଦସ୍ୟ ରହିବା ବ୍ୟବସ୍ଥା ରହିଛି।
ବରିଷ୍ଠ ସାମ୍ବାଦିକ ତଥା ଦିଲ୍ଲୀ ଓଡ଼ିଆ ଜର୍ଣ୍ଣାଲିଷ୍ଟ ଫୋରମ୍‍ର ସଭାପତି ଛାୟାକାନ୍ତ ନାୟକ ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସରକାରୀ ମାନ୍ୟତାପ୍ରାପ୍ତ ପତ୍ରକାରଙ୍କ ସଂଘ ‘ପ୍ରେସ ଆସୋସିଏସନ୍‍ ଅଫ ଇଣ୍ଡିଆ’ର ସାଧାରଣ ସଂପାଦକ ଭାବେ ମଧ୍ୟ ଛାୟାକାନ୍ତ ନାୟକ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସମୟରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଦିଲ୍ଲୀ, ଭୁବନେଶ୍ୱର ଏବଂ ଉତ୍ତରପୂର୍ବ ରାଜ୍ୟ ପ୍ରତିନିଧି ଭାବେ କାର୍ଯ୍ୟକରି ପ୍ରତିଷ୍ଠା ଲାଭ କରିଛନ୍ତି। ସଂପ୍ରତି ସମ୍ବାଦ ସରବରାହ ସଂସ୍ଥା ଥମସନ ରଏଟରର ଦିଲ୍ଲୀ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ମେଘାଳୟ ସରକାର ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅବୈତନିକ ସଦସ୍ୟ ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ସମଗ୍ର ଦେଶରୁ ସମୁଦାୟ କୋଡ଼ିଏ ଜଣ ସାମ୍ବାଦିକଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରଭାତ ଦାସ ଏବଂ ଶରତ ବେହେରାଙ୍କ ନାମ ରହିଥିବାର ଜଣାପଡ଼ିଛି।

Leave A Reply