ଆଜି ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି

ପୁରୀ: ଗୌଡୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ପ୍ରଭୁପାଦଙ୍କ ଆଜି ୧୫୦ତମ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ପୁରୀ ଚୈତନ୍ୟ ଗୌଡୀୟ ମଠକୁ ଯାଇ ଶ୍ରୀଳ ଭକ୍ତିସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ ଭକ୍ତିଅର୍ଘ୍ୟ ପ୍ରଦାନ କରିବା ସହ ଶରଧାବାଲିରେ ଅନୁଷ୍ଠିତ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସପତ୍ନୀକ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଗର୍ଭଗୃହ ଭିତରେ ଦାରୁବ୍ରହ୍ମଙ୍କୁ ପୂଜାର୍ଚ୍ଚନା କରିବା ସହ ନୀଳଚକ୍ରରେ ମାନସିକ ବାନା ବାନ୍ଧିଛନ୍ତି। ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ପ୍ରଣାମ କରି ସେ ଆଶୀର୍ବାଦ କାମନା କରିଛନ୍ତି। ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦୀପଦାନ କରିବା ସହ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କିଛି ଅର୍ଥ ଦାନ କରିଥିବା ଜଣାପଡିଛି। ଅପରାହ୍ଣ ୫ଟାରୁ ୫ଟା ୫୦ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ରହିଥିଲେ ରାଷ୍ଟ୍ରପତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ତାଙ୍କୁ ସ୍ବାଗତ କରିବା ସହ ଦାରୁବ୍ରହ୍ମଙ୍କ ଆକର୍ଷଣୀୟ ପଟଚିତ୍ର ଫଟୋ ଉପହାର ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ସବିତା ଏବଂ କନ୍ୟା ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି।

ଶ୍ରୀମନ୍ଦିରରେ ପ୍ରବେଶ ସମୟରେ ଅରୁଣସ୍ତମ୍ଭ ଉପରକୁ ଚାହିଁ ହାତଯୋଡ଼ି ରାଷ୍ଟ୍ରପତି ପ୍ରଣାମ କରିଥିଲେ। ଅରୁଣସ୍ତମ୍ଭର ଐତିହ୍ୟ ସମ୍ପର୍କରେ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ସୂଚନା ଦେଇଥିଲେ। ବାଇଶ ପାହାଚ ଦେଇ ରାଷ୍ଟ୍ରପତି ଦମ୍ପତି ମନ୍ଦିର ଭିତରକୁ ଯାଇଥିଲେ। ଗରୁଡସ୍ତମ୍ଭ ନିକଟରେ ଯାତ୍ରୀପଣ୍ଡା ନାରାୟଣ ଗୋଛିକାର ଓ ଭଗବାନ ଗୋଛିକାର ସେମାନଙ୍କୁ ଭିତରକୁ ପାଛୋଟି ନେଇଥିଲେ। ରାଷ୍ଟ୍ରପତି ଦମ୍ପତି ଗର୍ଭଗୃହ ଭିତରେ ପ୍ରାୟ ୧୦ମିନିଟ ରହି ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଲକ୍ଷ୍ମୀ ମନ୍ଦିରରେ କୌଳିକ ଯାତ୍ରୀପଣ୍ଡାଙ୍କୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏକ ଲଫାପାରେ କିଛି ଅର୍ଥ ପ୍ରଦାନ କରିଛନ୍ତି। ଶ୍ରୀଜୀଉଙ୍କୁ ଦର୍ଶନ ପରେ ରାଷ୍ଟ୍ରପତି ଦମ୍ପତି ପୁରୀ ରାଜଭବନରେ ରାତ୍ରିଯାପନ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଶନିବାର ବାୟୁସେନାର ଏକ ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତିଙ୍କ ସହ ଆସିଥିଲେ। ଅତିରିକ୍ତ ପୁଲିସ ମହାନିର୍ଦେଶକ ରାଧାକୃଷ୍ଣ ଶର୍ମା, ଜିଲାପାଳ ସମର୍ଥ ବର୍ମା ଏବଂ ଆରକ୍ଷୀ ଅଧୀକ୍ଷକ କନୱର ଡ. ବିଶାଲ ସିଂହ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ଶ୍ରୀ କୋବିନ୍ଦ ସେଠାରୁ କଡା ସୁରକ୍ଷା ବ୍ୟବସ୍ଥା ସହ ବୁଲେଟ ପ୍ରୁଫ୍‌ ଗାଡିଯୋଗେ ପୁରୀ ରାଜଭବନକୁ ଯାଇଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ ପରେ ପ୍ରାୟ ୧ଘଣ୍ଟା ବିଶ୍ରାମ କରିଥିଲେ। ଅପରାହ୍ଣ ଠିକ୍‌ ୫ଟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଭିମୁଖେ ବାହାରି ଥିଲେ । ମୁଖ୍ୟ ପ୍ରଶାସକଙ୍କ ସମେତ ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ଏବଂ ପରିଚାଳନା କମିଟିର ସେବାୟତ ସଭ୍ୟମାନେ ତାଙ୍କୁ ସ୍ବାଗତ କରିଥିଲେ।

Comments are closed.