ବେଲେଘାଟାରେ ବିସ୍ଫୋରଣ; ଉଡ଼ିଗଲା ଛାତ

କଲକାତା : ବେଲେଘାଟାଠାରେ ଆଜି ସକାଳେ ଭୟଙ୍କର ବିସ୍ଫୋରଣ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସ୍ଥାନୀୟ ଏକ କ୍ଲବ ଘରେ ବିସ୍ଫୋରଣ ଘଟିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ବିସ୍ଫୋରଣରେ ଏତେଟା ତୀବ୍ରତା ଥିଲା ଯେ ନିମିଷକ ମଧ୍ୟରେ ଘରର ଛାତ ଓ ପାଚେରି ଭାଙ୍ଗି ଚୁରମାର କରିଦେଇଛି। ତେବେ ଆଜିର ଏହି ଘଟଣାରେ କୌଣସି ମୃତାହତ ଖବର ମିଳିନାହିଁ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୬ଟା ବେଳେ ବେଲେଘାଟା ଗାନ୍ଧୀ ଭବନ ପାର୍ଶ୍ବସ୍ଥ ଏକ କ୍ଲବ ଘରୁ ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଅଞ୍ଚଳବାସୀ ଆସି ଦେଖନ୍ତି ଯେ କ୍ଲବ ଘରଟିରୁ ବିଭିନ୍ନ ଅଞ୍ଚଳରେ ଫାଟ ସୃଷ୍ଟି ହେବା ସହ ଘରର ଛାତ ଓ ପାଚେରି ଭାଙ୍ଗି ଚୁରମାର ହୋଇଯାଇଛି। ସଙ୍ଗେସଙ୍ଗେ ପୁଲିସକୁ ଖବର ଦିଆଯିବାରୁ ପୁଲିସର ବିଶେଷ ଦଳ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି। ପରେ ବେଲେଘାଟା ଥାନାରୁ ପୁଲିସ ସ୍କ୍ବାର୍ଡ଼ ଆସି ଅନୁସନ୍ଧାନ ଚଳାଇବାରୁ କିଛି ଦୁର୍ବୃତ୍ତ କ୍ଲବ ଘର ଉପରକୁ ବୋମା ଫିଙ୍ଗିବା ଦ୍ବାରା ଏଭଳି ଘଟିଛି ବୋଲି ଜାଣିପାରିଛି। ତେବେ କ୍ଲବ ଘର ଛାତ ଓ ଘର ମଧ୍ୟରେ କୌଣସି ବିସ୍ଫୋରକ ସାମଗ୍ରୀ ମହଜୁଦ୍‌ ରହିଥିଲା କି ନାହିଁ ତାହା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ଅଭିଯୋଗରେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ କୌଣସିଙ୍କୁ ପୁଲିସ ଗିରଫ କରିବାରେ ସମର୍ଥ ହୋଇନାହିଁ। ଏପରିକି ବୋମା ମହଜୁଦ୍‌ ଥିଲା କି ନାହିଁ ଜାଣିପାରି ନାହିଁ।
ଏହି ପ୍ରସଙ୍ଗରେ ବେଲେଘାଟା କ୍ଲବ କର୍ତ୍ତୃପକ୍ଷ ପୁଲିସକୁ କହିଛନ୍ତି ଯେ କ୍ଲବ ଘରେ ବିସ୍ପୋରକ ସାମଗ୍ରୀ ଅଥବା ବୋମା ରଖିବାର କୌଣସି ପ୍ରଶ୍ନ ଉଠୁନାହିଁ। ସମ୍ଭବତଃ ଶତୃତା ଅଥବା ହିଂସା ବଶତଃ କେହି କ୍ଲବ ଘରେ ବୋମା ଫିଙ୍ଗି ଚାଲିଯାଇ ପାରିଥାଆନ୍ତି। ତେବେ ଘଟଣା ନେପଥ୍ୟରେ କେଉଁ ମାନେ ରହିଛନ୍ତି ସେ ସମ୍ବନ୍ଧରେ ମଧ୍ୟ କୌଣସି ପ୍ରତି ସନ୍ଦେହ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପୁଲିସର ବିଶେଷ ଟିମ୍‌ ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଥିବା ଦେଖାଯାଇଛି।
ଆଗକୁ ଦୁର୍ଗାପୂଜା ଥିବାବେଳେ ଏଭଳି ବିସ୍ଫୋରଣ ଘଟଣା କାହିଁକି ଘଟିଲା ତାର ଅନୁସନ୍ଧାନ ନିମିତ୍ତ ବିଜେପି ପକ୍ଷରୁ ଏନ୍‌ଆଇଏ ତଦନ୍ତ ପାଇଁ ସାଂସଦ ଲକେଟ୍‌ ଚାଟ୍ଟାର୍ଜୀ ଦାବି କରିଛନ୍ତି। ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିବା ଦେଖାଯାଇଥିଲା। ସେହିପରି ବିଜେପି ନେତା କୈଳାଶ ବିଜୟ ବର୍ଗୀୟ ଅଭିଯୋଗ କରିଛନ୍ତି ଯେ ଆଗକୁ ନିର୍ବାଚନ ଥିବାରୁ ପରିସ୍ଥିତିକୁ ବ୍ୟତିକ୍ରମୀ ରୂପ ଦେବା ନିମନ୍ତେ ରାଜ୍ୟ ଶାସକ ଦଳ ତୃଣମୂଳ କଂଗ୍ରେସ ସମଗ୍ର ରାଜ୍ୟରେ ଅରାଜକତା ସୃ​‌ଷ୍ଟି କରିବାକୁ ଚାହୁଁଛି, ଯାହାଦ୍ବାରା ରାଜ୍ୟବାସୀ ଭୟଭୀତ ହୋଇ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରିବେ।

Comments are closed.