ଭାରତୀୟ ଡାକ ପେମେଣ୍ଟସ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0
-ପ୍ରଥମ ପର୍ଯ୍ୟାୟରେ ଦେଶର ୬୫୦ଟି ଶାଖା, ୩୨୫୦ଟି ସାଧାରଣ ଡାକଘରେ ଖୋଲିଲା ନୂତନ ବ୍ୟାଙ୍କ ଶାଖା
-ଓଡିଶାରେ ୩୩ଟି ଶାଖା ସମେତ ୧୬୫ଟି ଡାକଘରେ ଆପିପି ସେବାର ଆରମ୍ଭ
– ଅପହଂଚ ଇଲାକାରେ ମିଳିବ ଡାକବ୍ୟାଙ୍କର ସେବା, ପୁଣି ଶୁଭିବ ଡାକବାଲାର ସ୍ୱର – ଧର୍ମେନ୍ଦ୍ର ପ୍ରଧାନ
-ବିମୁଦ୍ରୀକରଣ ଯୋଗୁଁ ବ୍ୟାଙ୍କ ବ୍ୟବସ୍ଥାକୁ ଫେରିଛି ଲୁଚାଛପା ଟଙ୍କା, କମିଛି ଟିକସ ଫାଙ୍କି, ବଢ଼ିଛି ଡିଜିଟାଲ ନେଣଦେଣ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତୀୟ ଡାକ ବିଭାଗ ଅଧୀନରେ  ଦେଶବ୍ୟାପୀ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆରମ୍ଭ ହୋଇଛି। ଏହା ଦେଶର ସାଧାରଣର ଜନତାଙ୍କୁ ଶତ ପ୍ରତିଶତ ସହଜ, ସୁଲଭ ଓ ବିଶ୍ୱସନୀୟ ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବ। ଆଜି ଦିନରେ ବ୍ୟାଙ୍କ ସେବାରୁ ବଂଚିତ ଥିବା ଲୋକମାନଙ୍କୁ ଦେଶର ଆର୍ଥିକ ପ୍ରଗତିରେ ସାମିଲ କରିବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ପ୍ରମୁଖ ଉଦ୍ଦେଶ୍ୟ।
ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କକୁ ଶୁଭାରମ୍ଭ କରିଛନ୍ତି।  ପ୍ରଥମ ପର୍ଯ୍ୟାୟରେ ଦେଶର ୬୫୦ଟି ଶାଖାରେ ଏବଂ ୩୨୫୦ଟି ଏକସେସ ପଏଣ୍ଟ/ ସାଧାରଣ ଡାକଘରରେ ଆଇପିପି ବ୍ୟାଙ୍କ ଏକସଙ୍ଗେ ଉଦଘାଟିତ ହୋଇଛି। ଆଗାମୀ ୩୧ ଡିସେମ୍ବର ୨୦୧୮ ସୁଦ୍ଧା ଏହି ସେବା ଦେଶର ସମସ୍ତ ୧.୫୫ ଲକ୍ଷ ଡାକଘର ମାଧ୍ୟମରେ ଯୋଗାଇ ଦେବାକୁ ଯୋଜନା ରଖାଯାଇଛି।

ସେହିଭଳି ଭୁବନେଶ୍ୱରସ୍ଥିତ ଓଡିଶା ଡାକ ପରିମଣ୍ଡଳ କାର୍ଯ୍ୟାଳୟରେ ଆଞ୍ଚଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ତଥା ଉଦ୍ୟମୀତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଆପିପିବି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆଜି ଓଡିଶାରେ ମଧ୍ୟ ଏକସଙ୍ଗେ ୩୦ ଜିଲ୍ଲାର ସଦର ମହକୁମା ପ୍ରଧାନ ଡାକଘର ସମେତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା, ଗଞ୍ଜାମର ଭଞ୍ଜନଗର ଏବଂ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର (୩୩ଟି) ଶାଖା ଏବଂ ୧୬୫ ଟି ଡାକଘରରେ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଖୋଲାଯାଇଛି। ଆଗାମୀ ୩୧ ଡିସେମ୍ବର ୨୦୧୮ ସୁଦ୍ଧା ରାଜ୍ୟର ଅବଶିଷ୍ଟ ୮୦୫୦ ଡାକ ଘରେ ଏହି ସେବା ଉପଲବ୍ଧ ହେବ। ୧୩୬୭ ଜଣ ପୋଷ୍ଟମେନ ଏବଂ ୭୦୦୯ ଜଣ ଡାକ ବିତରକଙ୍କ ମାଧ୍ୟମରେ ଦୂଆର-ମୁହଁ (ଡୋର-ଷ୍ଟେପ) ବ୍ୟାଙ୍କିଙ୍ଗ ସେବା ଓଡ଼ିଶାରେ ଯୋଗାଇ ଦିଆଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ସଦ୍ୟତମ ଉଦ୍ୟୋଗ କ୍ରାନ୍ତିର ଅନନ୍ୟ ଦିଗ ହେଲା ଇଣ୍ଟରନେଟ ସେବାର ପରିପ୍ରସାର ଏବଂ ସମସ୍ତଙ୍କୁ ଏହି ସେବା ଉପଲବ୍ଧ କରାଇବା। ଭାରତୀୟ ଡାକ ବିଭାଗ ନିଜସ୍ୱ ପେମେଂଟ୍ସ ବ୍ୟାଙ୍କ ମାଧ୍ୟମରେ ଏହି ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ଘରେ ଘରେ ପହଂଚାଇବ। ଏହା ଭାରତୀୟ ଜନମାନସକୁ ପ୍ରଭାବିତ କରିବା ସହ ଗାଁ ଗହଳରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ନେଟୱାର୍କକୁ ସମ୍ପ୍ରସାରିତ କରିବ। ଗ୍ରାମୀଣ ଡାକ ସେବକ ଏବଂ ପୋଷ୍ଟମେନମାନେ ଡିଜିଟାଲ ସାକ୍ଷରତା ବଢ଼ାଇବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ। ସେମାନେ ସବୁଠାରୁ ବିଶ୍ୱସନୀୟ ଏବଂ ଆସ୍ଥାର ପ୍ରତୀକ। ଏଣୁ ନୂତନ ଡାକଘର ପେମେଂଟ୍ସ ବ୍ୟାଙ୍କ ଖୁବ୍‍ ଲୋକପ୍ରିୟ ହେବ। ବ୍ୟାଙ୍କ ବ୍ୟବସ୍ଥା ଆଉ ବଡବଡିଆଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ରହିନାହିଁ। ଏବେ ସମସ୍ତେ ବ୍ୟାଙ୍କ ସେବା ପାଉଛନ୍ତି। ଡାକଘର ପେମେଂଟ୍ସ ବ୍ୟାଙ୍କ ଗରିବ ଲୋକଙ୍କୁ ଡିଜିଟାଲ ସାକ୍ଷର କରିବା ସହ ସେମାନଙ୍କୁ ନୂତନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବ। ପୂର୍ବ ସରକାର ଅମଳରେ ସ୍ଥାଣୁ ହୋଇ ପଡିଥିବା ଡାକଘର ବ୍ୟବସ୍ଥା ଏବେ ଚଳଚଂଚଳ ହେବ ଏବଂ ଗ୍ରାମାଂଚଳ ଲୋକଙ୍କ ମୁହଁରେ ହସ ଫୁଟାଇବ। ପୁଣି ଥରେ ଡାକବାଲାର ସ୍ୱର ଶୁଭିବ। ଗାଁ ଲୋକେ ମନି ଅର୍ଡର ପାଇବେ। ପାସବୁକ୍‍ର ଅପଡେଟ କରିପାରିବେ। ଜମାଖାତାର ହିସାବ ଜାଣିପାରିବେ। ରାଜ୍ୟରେ ୪,୫୦୦ ରୁ ଅଧିକ ପଂଚାୟତରେ ଏବେ ମଧ୍ୟ ବ୍ୟାଙ୍କ ସେବା ଅପହଂଚ ଅଛି। ଏଣୁ ଡାକଘର ପେମେଂଟ୍ସ ବ୍ୟାଙ୍କ ଏହିସବୁ ଅଂଚଳରେ ଗରିବ, ନିମ୍ନ ମଧ୍ୟବିତ, ଆଦିବାସୀ ଓ ମଧ୍ୟବିତ ପରିବାରମାନଙ୍କୁ ସୁଲଭ ବ୍ୟାଙ୍କ ସେବା ଯୋଗାଇଦେବ।
ଶ୍ରୀ ପ୍ରଧାନ କହିଥିଲେ ଯେ, ଜମାଖାତା, ଟଙ୍କା ସ୍ଥାନାନ୍ତରଣ (ମନି ଟ୍ରାନ୍ସଫର) ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି), ବିଲ ଏବଂ ବ୍ୟବସାୟୀଙ୍କୁ ଅର୍ଥ ପୈଠ ଆଦି ସେବା ଆଇପିପି ବ୍ୟାଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ। ପେମେଂଟସ ବ୍ୟାଙ୍କ ନିୟମାବଳୀ ଅନୁଯାୟୀ ଆଇପିପିବି ପକ୍ଷରୁ ଅନ୍ୟାନ୍ୟ ଆର୍ଥିକ ସେବା ଯଥା ଋଣ, ଛୋଟ ନିବେଶ ଏବଂ ବୀମା ଆଦି ସୁବିଧା ମିଳିବ।
ସେ କହିଥିଲେ ଯେ, ସୁନା ଚାମଚରେ ଖାଇ ବଢ଼ିଥିବା ବଡବଡିଆମାନେ ଏବେ ବିମୁଦ୍ରାୟନକୁ ନିନ୍ଦା କରୁଛନ୍ତି କିନ୍ତୁ ଏହା ପଛରେ ଥିବା ମହତ୍‍ ଉଦ୍ଦେଶ୍ୟକୁ ବୁଝି ପାରୁନାହାନ୍ତି। ବିମୁଦ୍ରାୟନ ଦେଶରେ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ସହିତ ଟିକସ ଫାଙ୍କିକୁ ରୋକିବାରେ ବିଶେଷ ଭାବେ ସହାୟକ ହୋଇଛି। ଲୁଚାଛପାରେ ରଖାଯାଇଥିବା ବଡ ବଡ ନୋଟ୍‍ ଏବେ ବ୍ୟାଙ୍କ ବ୍ୟବସ୍ଥା ମଧ୍ୟକୁ ଆସିଛି। ଘରେ ଅର୍ଥ ରଖିବା ବଦଳରେ ଲୋକେ ବ୍ୟାଙ୍କରେ ଅର୍ଥ ଜମା ରଖିବାକୁ ପସନ୍ଦ କରୁଛନ୍ତି। ଏଣୁ ବିମୁଦ୍ରାକରଣକୁ ସମାଲୋଚନା କେବଳ ରାଜନୀତି ଉଦ୍ଦ୍ୟେଶ ପ୍ରଣୋଦିତ ବୋଲି ସେ କହିଥିଲେ।
ଆଇପିପିବି ଦେଶର ସର୍ବ ବୃହତ ନେଟୱାର୍କ ଭାରତୀୟ ଡାକ ବିଭାଗ ମାଧ୍ୟମରେ ୧.୫୫ ଲକ୍ଷ ଡାକ ଘରେ କାର୍ଯ୍ୟକାରୀ ହେବ। ଯାହା ମଧ୍ୟରୁ ୧,୩୦,୦୦୦ ଡାକ ଘର ଗ୍ରାମାଂଚଳ ଅନ୍ତର୍ଗତ ଜନସାଧାରଣଙ୍କୁ ଏହି ସେବା ଯୋଗାଇଦେବ। ୩,୦୦,୦୦୦ ପୋଷ୍ଟମେନ ଏବଂ ଗ୍ରାମୀଣ ଡାକ ସେବକଙ୍କ ଦ୍ୱାରା ଏହି ବ୍ୟାଙ୍କିଙ୍ଗ ସେବା ଦେଶର ସମସ୍ତ ସହର, ଗ୍ରାମ ଏବଂ ଦୂରବର୍ତି ଅଂଚଳର ଲୋକମାନଙ୍କ ଘରେ ପହଂଚାଇ ଦିଆଯିବ, ଯାହା ଦ୍ୱାରା ଲୋକମାନଙ୍କୁ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ଆଉ ଭବିଷତ୍ୟରେ ରହିବ ନାହିଁ।

ବ୍ୟାଙ୍କିଙ୍ଗ ସେବା ସମ୍ପୂର୍ଣ୍ଣ ସରଳ କରିବା ନିମନ୍ତେ ଆଇପିପିବି ଆଧାର କାର୍ଡ ଏବଂ ବାୟୋମେଟ୍ରିକ ପ୍ରମାଣୀକରଣ ଗ୍ରାହକଙ୍କୁ କାଗଜ ବିହୀନ ସଂଚୟଖାତା ଖୋଲିବାରେ ସହାୟକ ହେବ। କ୍ୟୁଆର କାର୍ଡ ସାହାଯ୍ୟରେ ଗ୍ରାହକମାନେ ଖୁବ ସହଜରେ ଅର୍ଥ ବିନିମୟ କରିପାରିବେ ଏବଂ ଏଥିନିମନ୍ତେ ସେମାନଙ୍କୁ ଏକାଂଉଟ ନମ୍ବର କିମ୍ବା ପିନ ନମ୍ବର ମନେ ରଖିବାର ଆବଶ୍ୟକ ହେବନାହିଁ।
ଏହି ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ସୁକନ୍ୟା ସମୃଦ୍ଧି ଯୋଜନା ଅଧିନରେ ମାନ୍ୟତା ବିଶ୍ୱାଳ ଏବଂ ଆରାଧନା ରାଜକୁମାରୀ ନାମକ ଦୁଇଟି ଶିଶୁଙ୍କୁ ପାସବୁକ୍‍ ପ୍ରଦାନ କରିଥିଲେ। ଏହାଛଡା ପଦ୍ମଶ୍ରୀ ଶ୍ରୀମତୀ କୁମକୁମ ମହାନ୍ତି ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କମିଳା ସମାରୋହରେ ଉଦବୋଧନ ଦେଇ ନୂତନ ଭାବେ ଆରମ୍ଭ ହୋଇଥିବା ଆଇପିପିବି ବ୍ୟାଙ୍କର ବିଭିନ୍ନ ସେବା ସମ୍ପର୍କିତ ବିବରଣୀ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କ ଉପରେ ଏକ ସ୍ପେଶାଲ କଭର (ସ୍ୱତନ୍ତ୍ର ଲଫାପା) ଦ୍ୱାରା ଉନ୍ମୋଚିତ ହୋଇଥିଲା। ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କ ଶାଖାରେ ନୂତନ ଖାତା ଖୋଲିଥିବା ସମସ୍ତ ଗ୍ରାହକମାନଙ୍କୁ କ୍ୟୁଆର କାର୍ଡ ପ୍ରଦାନ କରାଯାଇଥିଲା।

Leave A Reply