ନିର୍ବାଚନରେ ଟଙ୍କା, ସୁନା ଓ ମଦର ଖେଳ ; ଏବେଠୁ ଏତେ, ଆଗକୁ କେତେ

ନୂଆଦିଲ୍ଲୀ : ନିର୍ବାଚନରେ କଳାଟଙ୍କାର ବ୍ୟାପକ ଉପଯୋଗ ଓ ମଦ ବଣ୍ଟାଯିବାର ଚମକ୍‌ପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ତିନି ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଯେତିକି ଟଙ୍କା, ମଦ ଓ ସୁନା ଜବତ ହୋଇଛି ସେଥିରେ ଆଖି ଖୋସି ହୋଇଯାଉଛି।
ଦେଶବ୍ୟାପୀ ଚଢ଼ଉରେ ଅଦ୍ୟାବଧି ୩୭୭ କୋଟି ୫୧ ଲକ୍ଷ ନଗଦ ଟଙ୍କା ଓ ୧୫୭କୋଟି ଟଙ୍କା ମୂଲ୍ୟର ୭୮ ଲକ୍ଷ ଲିଟର ମଦ ଜବତ କରାଯାଇଥିବା ବୋଲି ଇସିଙ୍କ ସୂତ୍ରରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ; ବୁଧବାର ସୁଦ୍ଧା ୭୦୫କୋଟି ଟଙ୍କାର ନିଶାଦ୍ରବ୍ୟ ଓ ୩୧୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ଧାତବ ସାମଗ୍ରୀ ଜବତ ହୋଇଥିବା ପ୍ରକାଶ।
ବୁଧବାର ସୁଦ୍ଧା ମୋଟ ଜବତ ଟଙ୍କା ଓ ସାମଗ୍ରୀର ୧୫୮୨କୋଟି ୧୯ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ସୂଚନା ମିଳିଛି। ଅନ୍ୟାନ୍ୟ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୨୯କୋଟି ବୋଲି କୁହାଯାଇଛି। ୨୦୧୪ ନିର୍ବାଚନ ସମୟରେ ଜବତ ହୋଇଥିବା ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ତୁଳନାରେ ଏଥରର ଜବତ ପରିମାଣ ୮୪ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ସେ ବର୍ଷ ମୋଟ ଜବତ ଟଙ୍କା ପରିମାଣ ଥିଲା ୨୯୯କୋଟି ୯୪ ଲକ୍ଷ।
ଗତ ମାର୍ଚ୍ଚ ୧୦ରେ ଆଦର୍ଶ ଆଚରଣବିଧି ଲାଗୁହେବା ପରଠାରୁ ଗୁଜରାଟରୁ ସାମଗ୍ରିକ ଭାବେ ସର୍ବାଧିକ ପରିମାଣ ଟଙ୍କା, ମଦ ଓ ସୁନା ଆଦି ଜବତ ହୋଇଥିବା ଇସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିମାଣ ୫୧୦କୋଟି ହେବ ବୋଲି ଦାବିକରାଯାଇଛି। ଦ୍ବିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ। ଏହି ରାଜ୍ୟରୁ ଜବତ ପରିମାଣ ମୋଟ ୨୭୦କୋଟି ୧୫ଲକ୍ଷ ଟଙ୍କା। ତାମିଲନାଡୁରୁ ସର୍ବାଧିକ ଟଙ୍କା (୧୨୮କୋଟି) ଓ ସୁନା, ମହାରାଷ୍ଟ୍ରରୁ ସର୍ବାଧିକ ମଦ (୧୯ଲକ୍ଷ ଲିଟର) ଜବତ ହୋଇଛି। କେବଳ ଜବତ ସୁନାର ପରିମାଣ ୧୩୫କୋଟି ଟଙ୍କା। ସେହିପରି ଉତ୍ତରପ୍ରଦେଶ ଓ ପଞ୍ଜାବରୁ ସର୍ବାଧିକ ପରିମାଣ ନିଶାଦ୍ରବ୍ୟ (୧୧୬କୋଟି ଟଙ୍କା ମୂଲ୍ୟର) ଜବତ ହୋଇଛି। ଆନ୍ଧ୍ରପ୍ରଦେଶରୁ ୧୫୮କୋଟିର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲାବେଳେ ପଞ୍ଜାବରେ ଏହି ପରିମାଣ ୧୫୫କୋଟି ୯୧ ଲକ୍ଷ ଏବଂ ଉତ୍ତରପ୍ରଦେଶରେ ୧୪୨କୋଟି ୩୧ ଲକ୍ଷ ଟଙ୍କା ହେବ। ଉତ୍ତରପ୍ରଦେଶରୁ ୧୨ ଲକ୍ଷ ଲିଟର ମଦ ଜବତ ହୋଇଥିବାବେଳେ କର୍ଣ୍ଣାଟକରୁ ୭.୪୫ଲକ୍ଷ ଲିଟର, ପଶ୍ଚିମବଙ୍ଗରୁ ୬ ଲକ୍ଷ ୯୨ ହଜାର ଲିଟର ଓ ଆନ୍ଧ୍ରରୁ ୫ ଲକ୍ଷ ୫୫ହଜାର ଲିଟର ମଦ ଜବତ ହୋଇଛି। ଆନ୍ଧ୍ରରୁ ମୋଟ ୯୫ କୋଟି ୭୯ଲକ୍ଷ, ମହାରାଷ୍ଟ୍ରରୁ ୨୬କୋଟି ୬୯ ଲକ୍ଷ ଓ ଉତ୍ତର ପ୍ରଦେଶରୁ ୨୪କୋଟି ୧୧ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ନିର୍ବାଚନ ପ୍ରକ୍ରିୟା ଶେଷହେବାକୁ ଆହୁରି ଯଥେଷ୍ଟ ସମୟ ଥିଲାବେଳେ ଟଙ୍କା, ସୁନା ଓ ମଦ ଜବତ ପରିମାଣ କେତେ ହେବ ତାହା କଳନା କରାଯାଇପାରୁ ନାହିଁ।
ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରରେ ଯିବାର ଅବ୍ୟବହିତ ପୂର୍ବରୁ ଅରୁଣାଚଳପ୍ରଦେଶର ପୂର୍ବ ସିଆଙ୍ଗ ଜିଲା ଅନ୍ତର୍ଗତ ପାସିଘାଟ ସହରସ୍ଥିତ ସରକାରୀ ଅତିଥି ଭବନରେ ରହିଥିବା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ରାଜ୍ୟ ବିଜେପି ମୁଖ୍ୟ ତାପିର ରାଓଙ୍କ ଗାଡ଼ିରୁ ୧କୋଟି ୮୦ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ସେହିପରି ବୁଧବାର ତାମିଳନାଡ଼ୁର ପେରାମ୍ବାଲୁର ନିକଟସ୍ଥ ଏକ ତନଖି ଫାଟକରେ ଏକ କମ୍ପାନୀ କାର୍‌ରୁ ୨କୋଟି ୧୦ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହିି ଟଙ୍କା କାର୍‌ର କବାଟ ଭିତରେ ଲୁଚା ଯାଇଥିଲା।

Comments are closed.