ବଧୂହତ୍ୟା ଅଭିଯୋଗରେ ଶାଶୂଘରଲୋକଙ୍କୁ ବାନ୍ଧିଲା ପୁଲିସ

କଳାପଥର (ବାଙ୍କୀ) : ବାଙ୍କୀ ଉପଖଣ୍ଡ ବୈଦେଶ୍ଵର ଥାନା ଅନ୍ତର୍ଗତ କାଳିପୋଇ  ଉପର  ସାହିରେ  ବଧୂହତ୍ୟା ଅଭିଯୋଗ ଘଟଣାରେ ବୈଦେଶ୍ଵର ପୋଲିସ କେସ ନମ୍ବର ୧୩୭ /୨୪ ରେ ମାମଲା ରୁଜୁ କରି ଆଜି ମୃତ ମହିଳା ପାର୍ବତୀ ନାୟକ (ପୂଜା )ଙ୍କ ସ୍ୱାମୀ ନିରଞ୍ଜନ ବେହେରା, ଶାଶୂ ପ୍ରମିଳା ବେହେରା ଏବଂ ଶ୍ବଶୂର ଗଙ୍ଗାଧର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ । ମୃତ ମହିଳା ବାପା ଫକୀର ନାୟକଙ୍କ ଏତଲାକୁ ଭିତ୍ତିକରି ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

prayash

ସୂଚନା ଅନୁସାରେ ବଡମ୍ବା ଥାନା ଅନ୍ତର୍ଗତ ଗୋପୀନାଥ ପୁର ଗାଁର ଫକୀର ନାୟକ ନିଜର ଝିଅକୁ ୪ ବର୍ଷ ତଳେ କାଳୀପୋଇ ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ନିରଞ୍ଜନ ବେହେରାଙ୍କୁ ବୈଦିକ ରୀତିନୀତିରେ ଯଥା ସମ୍ଭବ ଟଙ୍କା ସହ ଆସବାପତ୍ର ଏବଂ ସୁନା ଅଳଙ୍କାର ଦେଇ ବିବାହ ସମ୍ପନ୍ନ କରିଥିଲେ । ଦାବି ମୁତାବକ ଜ୍ବାଇଁ ପୁଅକୁ ଯୌତୁକ ମଧ୍ୟ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ଶେଷରେ ଶ୍ବଶୂର ପକେଟରୁ ଶହେ ଟଙ୍କା କିଏ ଚୋରି କରିଛି ବୋଲି କେନ୍ଦ୍ର କରି ଘରେ ତୁମୁଳ କାଣ୍ଡ ହୋଇଥିଲା । ଏହା ପରେ ଶାଶୂ ଘର ଲୋକେ ମିଶି ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣି ପାର୍ବତୀଙ୍କ ବାପଘରଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଅନ୍ୟପଟେ ବାଙ୍କୀ ଉପଖଣ୍ଡରୁ ଶବ ବ୍ୟବଚ୍ଛେଦ କରାଯାଇ ଶାଶୂଘର କାଳୀପୋଇର ଗାଁ ଶ୍ମଶାନକୁ ଶବ ଦାହ ପାଇଁ ନେଇଥିଲେ କିନ୍ତୁ ସେଠି ଶବକୁ ଅସମ୍ମାନ କରାଯାଇଥିଲା । ଗ୍ରାମବାସୀ ଶେଷକୃତ ପାଇଁ ରାଜି ହୋଇ ନଥିଲେ ।  ପରେ ଶାଶୂଘର ଶ୍ମଶାନ ଛାଡି ବାଙ୍କୀ ସହର ମଧ୍ୟରେ ଥିବା ଏକ ଶ୍ମଶାନରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଝିଅର ମୃତଦେହକୁ ଫକୀର ନାୟକ ଦାହ କରିଥିବା ଦେଖିବାକୁ ମିଳିଥିଲା । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ମୃତ ମହିଳାଙ୍କ ବାପା ଓ ବୁଢୀମା କାନ୍ଦି କାନ୍ଦି ପ୍ରଶାସନକୁ ଗୁହାରି କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଶାଶୂଘରଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.