ଦେଶକୁ ଦୁର୍ନୀତିମୁକ୍ତ କରିବା ଦାୟିତ୍ବ ସିବିଆଇ ହାତରେ : ମୋଦୀ
ନୂଆଦିଲ୍ଲୀ : ଦୁର୍ନୀତି ଦେଶର ଗଣତନ୍ତ୍ର ପାଇଁ ବଡ ପ୍ରତିବନ୍ଧକ ସୃଷ୍ଟି ହୋଇ ରହିଛି । ଦୁର୍ନୀତି ଯୋଗୁଁ ଲୋକେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଦେଶକୁ ଦୁର୍ନୀତିମୁକ୍ତ କରିବା ପୂର୍ବକ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାର ଗୁରୁ ଦାୟିତ୍ବ ସିବିଆଇ ଉପରେ ନ୍ୟସ୍ତ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସିବିଆଇ ପ୍ରତିଷ୍ଠାର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ସିବିଆଇ ଏବେ ନ୍ୟାୟ ଓ ସତ୍ୟର ଚିହ୍ନ ପାଲଟିଛି । ଏହା ସାଧାରଣ ଲୋକଙ୍କୁ ଆଶା ଓ ଶକ୍ତି ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ ଭାରତ ଗଠନର ଦାୟିତ୍ବ ମଧ୍ୟ ସିବିଆଇ ଉପରେ ରହିଛି। ସିବିଆଇ ଭଳି ଦକ୍ଷ ଓ ପ୍ରଭାବଶାଳୀ ତଦନ୍ତକାରୀ ଏଜେନ୍ସି ବିନା ଦେଶ ଆଗକୁ ବଢିପାରିବ ନାହିଁ । ବ୍ୟାଙ୍କ ଠକେଇ ଠାରୁ ଆରମ୍ଭ କରି ବନ୍ୟପ୍ରାଣୀ ସମ୍ପର୍କିତ ଜାଲିଆତି ସବୁ କ୍ଷେତ୍ରରେ ସିବିଆଇ ଦୁର୍ନୀତିର ପରଦା ହଟାଇବାରେ ସଫଳ ହୋଇଆସିଛି। ଦୁର୍ନୀତି କେବେହେଲେ ଛୋଟ ଅପରାଧ ନୁହେଁ। ଦୁର୍ନୀତି ଯୋଗୁଁ ସାଧାରଣ ଗରିବ ଲୋକଟିଏ ନିଜର ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାଏ। ଯାହା ପରୋକ୍ଷରେ ଅନେକ ଅପରାଧୀଙ୍କୁ ଜନ୍ମ ଦେଇଥାଏ । ସିବିଆଇର କାର୍ଯ୍ୟକୁ ପ୍ରଶଂସା କରି ମୋଦୀ କହିଛନ୍ତି ଯେ କୌଣସି ଦୁର୍ନୀତି ବା ଅପରାଧ ଯେତେବେଳେ ଅସମାହିତ ହୋଇ ରହେ ସେତେବେଳେ ସିବିଆଇ ତଦନ୍ତ ପାଇଁ ଦାବି କରାଯାଏ । ଏହା ସିବିଆଇର ସଫଳତା ଓ ବିଶ୍ବସନୀୟତାକୁ ପ୍ରତିପାଦିତ କରିଥାଏ ।
Comments are closed.