ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦେଶର ବିଭିନ୍ନ ସ୍ଥାନର ଆଶାକର୍ମୀ
ନୂଆଦିଲ୍ଲୀ . – ଦେଶର ୯୦ ଜଣ ଆଶାକର୍ମୀ ଗୁରୁବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କ ପାଇଁ ବୀମା କବଚ ଘୋଷଣା କରାଯାଇଥିବାରୁ ସେମାନେ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛିଦିନ ତଳେ ଦେଶର ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ତାଙ୍କର ମତ ବିନିମୟ ବିଷୟକୁ ସ୍ମରଣ କରିଥିଲେ । ସେହିଦିନ ଆଶା କର୍ମୀମାନଙ୍କର ଅନୁଭୂତିଗୁଡିକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେଗୁଡିକ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ।
ଆଶା କର୍ମୀମାନେ ସଠିକ ସମୟରେ ସଠିକ କାର୍ଯ୍ୟକ୍ରମ ଜରିଆରେ ସେମାନେ କିଭଳି ଭାବେ ଗରିବ ମା’ ଓ ଶିଶୁମାନଙ୍କ ଜୀବନ ରକ୍ଷା କରୁଛନ୍ତି ସେମାନଙ୍କ ଅନୁଭୂତିକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ଆଶା କର୍ମୀମାନଙ୍କର ଦକ୍ଷତା ଏବଂ ନିଷ୍ଠାପରତାକୁ ଭୂରି ଭୂରି ପ୍ରଶଂସା କରିଥିଲେ । କଳାଜରର ମୂଳତ୍ପାଟନ ଦିଗରେ ସେମାନଙ୍କ କାର୍ଯ୍ୟକୁ ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ପ୍ରଶଂସା କରିଥିବା ବିଷୟରେ ସେ ସ୍ମରଣ କରିଥିଲେ ।
ଗ୍ରାମାଂଚଳ ଜୀବନଶୈଳୀରେ ଗୁଣାତ୍ମକ ମାନ ବୃଦ୍ଧି କ୍ଷେତ୍ରରେ ସରକାରୀ ପ୍ରତିଷ୍ଠାନଗୁଡିକୁ ସହଯୋଗ କରି ଅଙ୍ଗନବାଡିକର୍ମୀମାନେ କାର୍ଯ୍ୟ ନିଷ୍ଠା ଏବଂ କୁଶଳତାର ଯୋଗଦାନ କରିବା ପାଇଁ ସେ ଉତ୍ସାହିତ କରିଥିଲେ । ସରକାରୀ ଯୋଜନାଗୁଡିକ କିଭଳି ଗରିବ ଲୋକମାନଙ୍କୁ ସଶକ୍ତ କରିବା ସହିତ ଦାରିଦ୍ର୍ୟର ମୁକାବିଲା ଦିଗରେ କାର୍ଯ୍ୟ କରୁଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।