କାଶୀ ଏବଂ ତାମିଲନାଡୁ ଆମ ସଂସ୍କୃତି ଓ ସଭ୍ୟତାର କାଳଜୟୀ କେନ୍ଦ୍ର : ପ୍ରଧାନମନ୍ତ୍ରୀ

କାଶୀ-ତାମିଲ୍‌ ସଙ୍ଗମମ୍‌ କୁ ଉଦ୍‌ଘାଟନ କଲେ ନରେନ୍ଦ୍ର ମୋଦୀ

ବାରାଣସୀ : ‘କାଶୀ ଏବଂ ତାମିଲନାଡୁ ଆମର ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର ’ ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାସବ୍ୟାପୀ ଚାଲିବାକୁ ଥିବା କାଶୀ- ତାମିଲ୍‌ ସଙ୍ଗମମ୍‌  କାର୍ଯ୍ୟକ୍ରମକୁ ଶନିବାର ଉଦ୍‌ଘାଟନ କରି ‘ସମଗ୍ର ଭାରତକୁ ଆଲିଙ୍ଗନ କରି କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହୋଇଥିବା ବେଳେ ତାମିଲନାଡୁ ଏବଂ ତାମିଲ ସଂସ୍କୃତି ହେଉଛି ଭାରତର ପ୍ରାଚୀନତା ଏବଂ ଗୌରବର କେନ୍ଦ୍ର’ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି। ଅମୃତ କାଳରେ ଆମର ସଂକଳ୍ପ ସମଗ୍ର ଦେଶର ଏକତା ଦ୍ୱାରା ପୂରଣ ହେବ। ‘ତାମିଲ ଐତିହ୍ୟର ସଂରକ୍ଷଣ ଏବଂ ଏହାକୁ ସମୃଦ୍ଧ କରିବା ୧୩୦ କୋଟି ଭାରତୀୟଙ୍କ ଦାୟିତ୍ୱ’ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାଷାଭିତ୍ତିକ ତାରତମ୍ୟ ଦୂର କରିବା ସହ ଆମର ଆବେଗାତ୍ମକ ଏକତା ଦୃଢ଼ୀଭୂତ କରିବାପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଭାରତର ଇତିହାସ ଏବଂ ସଂସ୍କୃତି ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଇଥାଏ । ଦେଶର ନଦୀ, ସ୍ଥାନ, ସଂସ୍କୃତି କିମ୍ବା ଦର୍ଶନ ଉପରେ ଏହାର ପ୍ରଭାବ ପଡ଼ିଥାଏ ଏବଂ କାଶୀ-ତାମିଲ୍‌ ସଙ୍ଗମମ୍‌ ଏହି ପରମ୍ପରା ଆଧାରରେ ଆଗକୁ ବଢ଼ୁଅଛି । ଯେତେବେଳେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି, ସେହି ସମୟରେ ଏହିଭଳି ସମାରୋହ ରାଷ୍ଟ୍ରୀୟ ଏକୀକରଣର ମଞ୍ଚ ଭାବେ ଅଭିହିତ ହୋଇପାରିବ।

prayash

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ ଏବଂ ତାମିଲ୍‌ନାଡ଼ୁର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାରୋହରେ ଉପସ୍ଥିତ ଥିଲେ । ଉଦ୍‌ଘାଟନ ସମାରୋହ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଇଲିୟାରାଜାଙ୍କ ସଙ୍ଗୀତ ପରିବେଷଣ ସହ ପୁସ୍ତକ ଉନ୍ମୋଚନ ମଧ୍ୟ କରାଯାଇଥିଲା। ଏହି ସଙ୍ଗମମ୍‌ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ପ୍ରଥମ ବ୍ୟାଚ୍‌ରେ ତାମିଲ୍‌ନାଡ଼ୁରୁ ୨୦୦ ପ୍ରତିନିଧି ଗତକାଲି ବାରାଣସୀରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପରାଯାଇଥିଲା ।
‘ଏକ୍‌ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ହାସଲ ନେଇ ‘ସଙ୍ଗମମ୍‌’ ଆଜାଦୀ କା ଅମୃତ ମହୋତ୍ସବ ଅଂଶସ୍ୱରୂପ ଭାରତ ସରକାରଙ୍କଦ୍ୱାରା ଆୟୋଜନ କରାଯାଉଛି । ଭାରତର ଦୁଇ ପ୍ରାଚୀନ ଅଞ୍ଚଳ ତାମିଲ୍‌ନାଡ଼ୁ ଓ ବିଦ୍ୟାନଗରୀ କାଶୀ ମଧ୍ୟରେ ରହୁଥିବା ପୁରାତନ ସମ୍ପର୍କକୁ ଉଜ୍ଜୀବିତ ଓ ସୁଦୃଢ଼ କରିବା ହେଉଛି ଏହି ସମାରୋହର ଉଦ୍ଦେଶ୍ୟ । ଏହି ସମାରୋହ ଛାତ୍ର, ଦାର୍ଶନିକ, କଳାକାର ଓ ବ୍ୟବସାୟୀଙ୍କ ସମେତ ଜନସାଧାରଣ ପାରସ୍ପରିକ ଅନୁଭୂତିରୁ ଶିକ୍ଷା ଲାଭ କରିବା ସହିତ ସେମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହୋଇପାରିବ। ଏହି ସମାବେଶ ଦ୍ୱାରା ଆଧୁନିକ ଶିକ୍ଷା ପଦ୍ଧତି ସହିତ ପୁରାତନ ଭାରତୀୟ ଶିକ୍ଷା ମଧ୍ୟରେ ସମନ୍ୱୟ ରକ୍ଷାକରି ୨୦୨୦ ଜାତୀୟ ଶିକ୍ଷାନୀତି ବିକଶିତ ହୋଇପାରିବ। ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ସମାରୋହରେ ୧୨ଟି ବର୍ଗରେ ତାମିଲ୍‌ନାଡ଼ୁରୁ ୮ଟି ପର୍ଯ୍ୟାୟରେ ଅଢ଼େଇ ହଜାର ପ୍ରତିନିଧି ଅଂଶଗ୍ରହଣ କରିବେ।

ଏହି ସମାରୋହ ଅବସରରେ ସେଠାରେ ହସ୍ତତନ୍ତ, ହସ୍ତଶିଳ୍ପ, ପୁସ୍ତକ, ବୃତ୍ତଚିତ୍ର, ବିଭିନ୍ନ ଚିତ୍ରକଳା ଓ ଇତିହାସ ସମ୍ପର୍କିତ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସଙ୍ଗମମ୍‌ର ଆୟୋଜକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସାମିଲ୍‌ ରହିଛି । ତାମିଲ୍‌ନାଡ଼ୁରୁ ଏହି ସମାରୋହ ଯୋଗଦେଉଥିବା ପ୍ରତିନିଧି ମାନଙ୍କ ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମର ଆୟୋଜନ କରିଛି । ବିଶ୍ୱବିଦ୍ୟାଳୟ ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ଗ୍ରାମାଞ୍ଚଳ ଜୀବନ ସମ୍ବନ୍ଧିତ ବିଭିନ୍ନ ବିଷୟବସ୍ତୁ ଆଧାରିତ ଆଲୋଚନାଚକ୍ରର ଆୟୋଜନ ମଧ୍ୟ କରିଛି ।

Comments are closed.