ଦଳିତ ଓ କୃଷକଙ୍କୁ ନେଇ କଂଗ୍ରେସ ମିଥ୍ୟା ଅପପ୍ରଚାର କରୁଛି : ମୋଦି
ଭାଗପତ (ୟୁପି): ଦଳିତ ଓ କୃଷକ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ମିଥ୍ୟା ପ୍ରଚାର କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଏଠାରେ ସାଧାରଣ ସଭାରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଏସ୍ଟି/ଏସଟି ଅତ୍ୟାଚାର ନିରୋଧ ଆଇନରେ ସୁପ୍ରିମକୋର୍ଟ ଯେଉଁ ପରିବର୍ତ୍ତନ ଆଣିଛନ୍ତି ସେଥିପାଇଁ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛି। ସେହିପରି କୃଷକଙ୍କ ପ୍ରସଙ୍ଗରେ କଂଗ୍ରେସ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳଗୁଡିକ ଶାସକ ବିଜେପିକୁ ବିରୋଧ କରିବାକୁ ଯାଇ ଏବେ ଦେଶକୁ ବିରୋଧ କରୁଛନ୍ତି। ଯେଉଁ ପରିବାରକୁ ଦେଶର ଲୋକେ ଦିନେ ପୂଜା କରୁଥିଲେ ସେହି ପରିବାର ଏବେ ନିଜର ସ୍ୱାର୍ଥ ପାଇଁ ଦେଶକୁ ବିରୋଧ କରିବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓ ବିଜେପିକୁ ବିରୋଧ କରିବାର ଜିଦ୍ରେ ବିରୋଧୀମାନେ ଦେଶକୁ ବିରୋଧ କରିବେ ବୋଲି କେବେ ଭାବି ନଥିଲି। ରାଜନୀତି କରିବାର କିଛି ସୀମା ସରହଦ ଅଛି। ଦଳିତ ଓ କୃଷକଙ୍କ ପାଇଁ ସରକାର ଯାହା କିଛି କାମ କରିଛନ୍ତି କଂଗ୍ରେସ ତାକୁ ପରିହାସ କରୁଛି। କଂଗ୍ରେସର ଏପରି ପରିହାସ ଦେଶ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ମହିଳାଙ୍କ ପାଇଁ ପାଇଖାନା ତିଆରି କରିବା, ସ୍ୱସ୍ଥ ଭାରତ ଅଭିଯାନ, ଲୋକଙ୍କୁ ମାଗଣରେ ଏଲପିଜି ସିଲିଣ୍ଡର ବଣ୍ଟନ, ବ୍ୟାଙ୍କରେ ଜମାଖାତା ଖୋଲିବାର ସୁବିଧା ସମସ୍ତଙ୍କୁ ଦେବା ଭଳି କାର୍ଯ୍ୟକୁ କଂଗ୍ରେସ ପରିହାସ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ପାଇଁ ପରିବାର ହେଉଛି ଦେଶ; ମାତ୍ର ମୋ ପାଇଁ ଦେଶ ହେଉଛି ପରିବାର। ଲୋଭୀମାନେ କୁମ୍ଭୀର କାନ୍ଦଣା କରନ୍ତି। ସେମାନେ ତୁଷ୍ଟୀକରଣ ରାଜନୀତି କରନ୍ତି। ମାତ୍ର ଯିଏ ବାସ୍ତବରେ ଦେଶବାସୀଙ୍କ କଥା ଚିନ୍ତା କରେ ସିଏ ବିକାଶ ଉପରେ ଗୁରୁତ୍ୱ ଦେଇଥାଏ। ଦଳିତମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରର ବିଚାର ପାଇଁ ସରକାର ସ୍ୱତନ୍ତ୍ର ଅଦାଲତ ଗଠନ କରିଛନ୍ତି। ଦଳିତ ପ୍ରସଙ୍ଗରେ କଂଗ୍ରେସ ସୁପ୍ରିମକୋର୍ଟଙ୍କୁ ନେଇ ମିଥ୍ୟା ପ୍ରଚାର କରୁଛି। ସେହିପରି ନିର୍ବାଚନ ଆୟୋଗ, ରିଜର୍ଭ ବ୍ୟାଙ୍କଙ୍କ କାର୍ଯ୍ୟ ଧାରା ଉପରେ ପ୍ରଶ୍ନ ଉଠାଉଛି। କଂଗ୍ରେସ ବୁଝିପାରୁ ନାହିଁ ଯେ ଏହାର ମିଥ୍ୟା ବୟାନ ଦେଶରେ ଅସ୍ଥିରତା ସୃଷ୍ଟି କରୁଛି। ଦେଶର ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ ପାଇଁ ସରକାର ଏକ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ; ମାତ୍ର କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡିକ ଏପରି ଆୟୋଗ ଗଠନ ପ୍ରକ୍ରିୟାକୁ ହସରେ ଉଡାଇବ ସହ ସଂସଦରେ ବିରୋଧ କରିଥିଲେ। ତେଣୁ କଂଗ୍ରେସ ଓ ଏହାର ସହଯୋଗୀ ବିରୋଧୀ ଦଳଗୁଡିକର ମିଥ୍ୟା ପ୍ରଚାରରେ କୌଣସି ବିଶ୍ୱାସ ନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିବେଦନ କରିଛନ୍ତି।