ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଓ ସ୍କୁଟି ଲୁଟ୍‌‌ ଅଭିଯୋଗ

ପିପିଲି : ପିପିଲି ସ୍ଥିତ ବନ୍ଧନ ବ୍ୟାଙ୍କରେ ଆର୍‌‌ଓ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ଠାରୁ ୩ଜଣ ଦୁର୍ବୁତ୍ତ ନଗଦ ଟଙ୍କା ଓ ସ୍କୁଟି ଲୁଟି ନେଇଥିବା ସଂପର୍କରେ ପୁଲିସରେ ଅଭିଯୋଗ ହୋଇଛି। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣାର ତଦନ୍ତ ଚଳାଇବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

ପିପିଲି ସ୍ଥିତ ବନ୍ଧନ ବ୍ୟାଙ୍କର ଆର୍‌‌ଓ ସୁଚିସ୍ମିତା ଜେନା ସୋମବାର ଦିନ ନୂଆଶାସନ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଥିବା ମହିଳା ଏସ୍‌‌ଏଚ୍‌‌ଜି ଠାରୁ ଋଣ କିସ୍ତି ଆଦାୟ କରି ଅନ୍ୟ ଗ୍ରାମକୁ ଯାଉଥିବା ବେଳେ ଲୁଟ୍‌‌ର ଶିକାର ହୋଇଥିଲେ। ଇଚ୍ଛାପୁର ଗ୍ରାମ ଠାରୁ ପ୍ରାୟ ୬ଶହ ମିଟର ଦୂରରେ ଥିବା ଏକ ନିଛାଟିଆ ଅଞ୍ଚଳରେ କଦଳୀ ଗଛ ଆଢୁଆଳରେ ଲୁଚି ବସିଥିବା ୩ଜଣ ଦୁର୍ବୁତ୍ତ ହଠାତ୍‌‌ ସୁଚିସ୍ମିତାଙ୍କୁ ଧକ୍କା ମାରିବା ଫଳରେ ସେ ତଳେ ପଡ଼ିଯାଇଥିଲେ।

ତାଙ୍କ ପାଖରେ ଥିବା ମୋଟ୍‌‌ ୩୫୯୭୦ ଟଙ୍କା, ଅଫିସ୍‌‌ ଟ୍ୟାବ୍‌‌, ପାୱାର ବ୍ୟାଙ୍କ, ଏଟିଏମ୍‌‌ କାର୍ଡ ଓ ସ୍କୁଟିକୁ ଛଡାଇ ନେଇ ଦୁର୍ବୁତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏ ସଂପର୍କରେ ସେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଅପରାଧିମାନେ ସଂପୃକ୍ତ ଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି।

Comments are closed.