ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ

ପିପିଲି :ପିପିଲି ତହସିଲ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଭୂମିହୀନ ପରିବାରକୁ ସରକାରଙ୍କ ପକ୍ଷରୁ ୪ଡିସିମିଲ ଲେଖାଏଁ ଘରଡିହ ଜମି ପ୍ରଦାନ କରିବା ଦାବିରେ ସିପିଆଇ(ଏମ୍‌‌ଏଲ୍‌‌) ଲିବରେସନ ଦଳ ପକ୍ଷରୁ ସୋମବାର ପିପିଲିରେ ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସିପିଆଇ(ଏମ୍‌‌ଏଲ୍‌‌) ଲିବରେସନ ଦଳର ଶତାଧିକ କର୍ମୀ, ସମର୍ଥକ ଓ ନେତାମାନେ ପିପିଲି ହାଟଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ବିରୋଧି ସ୍ଲୋଗାନ ଦେଇ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲେ।

ସେଠାରେ ଦଳର ପିପିଲି ବ୍ଲକ କମିଟିର ସଂପାଦକ ସର୍ବେଶ୍ୱର ଭାରତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ନେତା ଅଶୋକ ପ୍ରଧାନ, କିଶାନ ପଟ୍ଟନାୟକ, ସୁନନ୍ଦ ଗଡ଼ନାୟକ, ରବିନ୍ଦ୍ର ସ୍ୱାଇଁ, କାହ୍ନୁଚରଣ ବେହେରା, ରାଜକିଶୋର ଶତପଥୀ, ଗୋବିନ୍ଦ ବେହେରା ପ୍ରମୁଖ ଯୋଗଦେଇ ଅଞ୍ଚଳର ଗରୀବ, ଭୂମିହୀନ ଓ ଅବହେଳିତ ଜନସାଧାରଣଙ୍କ ପ୍ରତି ପ୍ରଶାସନର ଅଣଦେଖା, ଅବହେଳା ଓ ଗରୀବମାରଣ ନୀତିକୁ କଡାସମାଲୋଚନା କରିଥିଲେ।

ସରକାରଙ୍କ ଘୋଷଣା ଅନୁଯାଇ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଭୂମିହୀନ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କୁ ୪ ଡିସିମିଲ ଲେଖାଏଁ ଘରଡିହ ଜମି ପ୍ରଦାନ କରାଯିବା, ୬୦ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ହିତାଧିକାରୀଙ୍କୁ ମାସିକ ୩ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବା, ୩ଶହ ୟୁନିଟ୍‌‌ ବିଦ୍ୟୁତ ଶୁଳ୍କ ଛାଡ କରାଯିବା, ଦିନମଜୁରିଆଙ୍କୁ ଦୈନିକ ୬ଶହ ଟଙ୍କା ମଜୁରୀ ସହ ବର୍ଷକୁ ସର୍ବନିମ୍ନ ୨ଶହ ଦିନ କାର୍ଯ୍ୟ ଯୋଗାଇ ଦିଆଯିବା, ଘରବାରୀ କିସମ ପରିବର୍ତ୍ତନ ସମୟରେ ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯିବା ଆଦି ଦାବି କରିଥିଲେ। ପରେ ଏ ସଂପର୍କିତ ଏକ ଦାବିପତ୍ରକୁ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ଉପସ୍ଥିତିରେ ତହସିଲଦାର ଦିଲିପ କୁମାର ମାଝୀଙ୍କୁ ପ୍ରଦାନ କରାଯାଇଥିଲା।

Comments are closed.