ପିପିଲି :ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପିପିଲି ପୁଲିସ ପକ୍ଷରୁ ଶନିବାର ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ଲୋକଙ୍କ ମନରେ ନିର୍ଭୟତା ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁରୀ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନି ଓ ପିପିଲି ପୁଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।
ପିପିଲି ଏସ୍ଡିପିଓ ବିରଞ୍ଚି ନାରାୟଣ ପତି, ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା, ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ, ପିପିଲି ଥାନା ଏଏସ୍ଆଇ ରମାକାନ୍ତ ସାହୁ, ସୁମନ୍ତ କୁମାର ସାହୁ ପ୍ରମୁଖ ଶନିବାର ଅପରାହ୍ନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନେଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ମଧୁପୁର, ମଗଲପୁର, ବିଲିପଡା, ଲକ୍ଷ୍ମୀନାରାୟଣପୁର ସମେତ ପିପିଲି ବଜାର ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଥିଲେ ।
ଅବାଧ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ଏକ ଭୟଶୂନ୍ୟ ବାତାବରଣ ସୃଷ୍ଟି ପାଇଁ ପୁଲିସ ପକ୍ଷରୁ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ଶ୍ରୀପତି ପ୍ରକାଶ କରିଛନ୍ତି । ପିପିଲି ଥାନା ଅଞ୍ଚଳର ସମସ୍ତ ୨୧ଟି ପଞ୍ଚାୟତ ଓ ପୌରାଞ୍ଚଳରେ ଆଗାମୀ ଦିନରେ ଏହି ଫ୍ଲାଗମାର୍ଚ୍ଚ କରାଯିବାକୁ ଥିବା ବେଳେ ବିଭିନ୍ନ ସନ୍ଦିହାନ ସ୍ଥାନ ଉପରେ ପୁଲିସ ପକ୍ଷରୁ ଚଢାଉ କରାଯିବ ବୋଲି ସୂଚନା ମିଳିଛି । ଇତିମଧ୍ୟରେ ପୁଲିସ ପକ୍ଷରୁ ଅଞ୍ଚଳର ପେଷାଦାର ଅପରାଧିଙ୍କ ସଂପର୍କରେ ଏକ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୱାରେଣ୍ଟି ଗିରଫ ଅଭିଯାନ ଓ ଅବକାରି ଚଢାଉକୁ ଜୋରଦାର କରାଯାଇଛି । ନିର୍ବାଚନ ସମୟରେ ଗଣ୍ଡଗୋଳ ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।



