ପିପିଲିରେ ୧୮ ତାରିଖରେ ବୃହତ ସ୍ୱାସ୍ଥ୍ୟ ମେଳା, ସ୍ୱାସ୍ଥ୍ୟ ବିଭାଗର ଚୁଡାନ୍ତ ପ୍ରସ୍ତୁତି ବୈଠକ
ପିପିଲି:ଆସନ୍ତା ୧୮ ତାରିଖ ସୋମବାର ଦିନ ପିପିଲିର ଜବାହର ବିଦ୍ୟାପୀଠ ପରିସରରେ ଏକ ବୃହତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିପିଲି ବିଡିଓ ରଶ୍ମିତା ନାଥ, ପିପିଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସ୍ନେହଲତା ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ପିପିଲି ପୌରାଧ୍ୟକ୍ଷ ସେକ୍ ବାବୁ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର(ବିପିଏମ୍) ବିଜୟଲକ୍ଷ୍ମୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ବୃହତ ସ୍ୱାସ୍ଥ୍ୟ ମେଳା ଆୟୋଜନ ସଂପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଜବାହର ବିଦ୍ୟାପୀଠ ଠାରେ ୧୮ ତାରିଖ ପୂର୍ବାହ୍ନ ୯ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବ।
ଏହାକୁ ସାଂସଦ ପିନାକୀ ମିଶ୍ର ଉଦ୍ଘାଟନ କରିବାକୁ ଥିବା ବେଳେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସମେତ ପୁରୀ ଜିଲାପାଳ ଓ ସିଡିଏମ୍ଓ ଏଥିରେ ଯୋଗଦେବେ। ଏଥିରେ ମେଡିସିନ୍, ଶିଶୁରୋଗ, ସ୍ତ୍ରୀରୋଗ, ଚକ୍ଷୁ, ଇଏନ୍ଟି ସମେତ ୨୩ଟି ବିଭାଗର ବିଶେଷଜ୍ଞମାନେ ଯୋଗଦେଇ ରୋଗୀଙ୍କ ଚିକିତ୍ସା କରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ପ୍ରଥମଥର ପାଇଁ ହେଉଥିବା ଏହି ବୃହତ ସ୍ୱାସ୍ଥ୍ୟ ମେଳାରେ ପିପିଲି ବ୍ଲକ ଓ ଏନ୍ଏସି ଅଞ୍ଚଳର ୩ହଜାରରୁ ଉର୍ଦ୍ଧରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ପ୍ରଥମଥର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ଏଥିପାଇଁ ରୋଗୀମାନେ ନିଜର ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ ସଂଯୋଗ କରିବାକୁ ପଡିବ ବୋଲି ଡାକ୍ତର ପଣ୍ଡା ବୈଠକରେ ସୂଚନା ଦେଇଥିଲେ। ଏହି ସ୍ୱାସ୍ଥ୍ୟ ମେଳାରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା, ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା, କୋଭିଡ୍ ଟୀକାକରଣ, ରୋଗ ନିଦାନ ପରୀକ୍ଷା, େଓøଷଧ ବଣ୍ଟନ, ଫିଜିଓଥେରାପି, ଯୋଗାସନ, ପରିମଳ ବ୍ୟବସ୍ଥା, ଅଣସଂକ୍ରମଣ ରୋଗର ନିଦାନ ଓ ଚିକିତ୍ସା ସୁବିଧା ଆଦି ଉପଲବ୍ଧ ହେବ।
Comments are closed.