ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଗଣଧାରଣା
ସ୍ଥାୟୀ ବିଇଓ କାର୍ଯ୍ୟାଳୟ ନିର୍ମାଣ ଓ ଅସ୍ଥାୟୀ କାର୍ଯ୍ୟାଳୟକୁ ପିପିଲିକୁ ସ୍ଥାନାନ୍ତର ଦାବି
ପିପିଲି:ପିପିଲିରେ ନାହିଁ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ ସ୍ଥାୟୀ କାର୍ଯ୍ୟାଳୟ । ଏଠାରୁ ୮ କିଲୋମିଟର ଦୂରରେ ପୋଡାଗୁଣ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଥିବା ବିଆର୍ସିସିଙ୍କ କାର୍ଯ୍ୟାଳୟରେ ଚାଲିଛି ବ୍ଲକ ଶିକ୍ଷାଧିକାରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ। ସେଠାକୁ ଗମନାଗମନ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେଣୁ ପିପିଲିରେ ବ୍ଲକ ଶିକ୍ଷାଧିକାରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରାଯିବା ସହ ବ୍ଲକ ହେଡ୍କ୍ୱାର୍ଟରକୁ ବିଇଓଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବା ଏବଂ ବିଇଓଙ୍କ କାର୍ଯ୍ୟାଳୟରେ କମ୍ପ୍ୟୁଟର ଚାଳନା ଦକ୍ଷତା ଥିବା କନିଷ୍ଠ ସହାୟକଙ୍କୁ ନିଯୁକ୍ତିି ପ୍ରଦାନ କରାଯିବା ଦାବିରେ ପିପିଲି ବ୍ଲକର ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର ଦିନ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।
ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ବିକ୍ରମ ରଥ, ସଂଘର ପିପିଲି ବ୍ଲକ ସଭାପତି ଜୟପ୍ରକାଶ ପ୍ରଧାନ, ସମ୍ପାଦକ ଲକ୍ଷ୍ମୀଧର ସାହୁ, ଉପସଭାପତି ଦୁଷ୍ମନ୍ତ ବଳିଆରସିଂହ, ଶିକ୍ଷକନେତା ବୈକୁଣ୍ଠ ବିଶ୍ୱାଳ, ରଶ୍ମିରଞ୍ଜନ ସେଠୀ, ଚିନ୍ତାମଣୀ ଓଝା, ବିଛନ୍ଦ ମହାପାତ୍ର, ବିଜୟ ମାଝୀ, ସୁକାନ୍ତ ନାୟକ, ରବିନ୍ଦ୍ର ପଲେଇ, ସୁଧିର ପରିଡା, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ୨ଶହରୁ ଊର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଙ୍ଗଳବାର ପୂର୍ବାହ୍ନ ସାଢେ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ପିପିଲି ବ୍ଳକରେ ସ୍ଥାୟୀ ବିଇଓଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୫୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ଅଦ୍ୟାବଧି ଉକ୍ତ କାର୍ଯ୍ୟାଳୟର ନିର୍ମାଣ ଆରମ୍ଭ ହୋଇନାହିଁ। ଫଳରେ ପିପିଲି ଠାରୁ ୮କିଲୋମିଟର ଦୂରରେ ପୋଡାଗୁଣ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଥିବା ବିଆର୍ସିସିଙ୍କ କାର୍ଯ୍ୟାଳୟରେ ଚାଲିଛି ବ୍ଲକ ଶିକ୍ଷାଧିକାରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ। ସେଠାକୁ ଗମନାଗମନର କୌଣସି ସ୍ୱତନ୍ତ୍ର ସୁବିଧା ନଥିବା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜରୁରୀ କାର୍ଯ୍ୟରେ ସେଠାକୁ ଯିବାରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି।
ନିଜସ୍ୱ ଗାଡିରେ କିମ୍ବା ଅଟୋରିକ୍ସା ଭଡା କରି ସେଠାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଉଥିବା ବେଳେ ଏଥିପାଇଁ ସେମାନଙ୍କର ସମୟବ୍ୟୟ ସହ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଥିବା ଅଭିଯୋଗ ହୋଇଛି। ବନ୍ୟା ସମୟରେ ଉକ୍ତ ପୋଡାଗୁଣ ସ୍ଥିତ ଅସ୍ଥାୟୀ ବିଇଓଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହୁଥିବା ବେଳେ ଅଣ୍ଟେ ପାଣିରେ ପଶି ସେଠାକୁ ଶିକ୍ଷକମାନେ ଯାଇଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ପିପିଲିରେ ବିଇଓଙ୍କ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ପୋଡାଗୁଣ ଠାରେ ଥିବା ବିଇଓଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ପିପିଲିର ଜବାହର ବିଦ୍ୟାପୀଠକୁ ସ୍ଥାନାନ୍ତର କରିବା ପାଇଁ ଶିକ୍ଷକ ସଂଘ ଦାବି କରିଛି। ସେହିପରି ବିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା, ବିଭିନ୍ନ ଏରିଅର ଓ ଅନ୍ୟାନ୍ୟ ବହୁବିଧ କାର୍ଯ୍ୟ କଂପୁଟର ମାଧ୍ୟମରେ କରାଯାଉଥିବା ବେଳେ ଏଠାରେ କାର୍ଯ୍ୟରତ ୩ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କ କଂପୁଟର ଚାଳନା ଦକ୍ଷତା ନଥିବା ଶିକ୍ଷକ ସଂଘ ଅଭିଯୋଗ କରିଛି। ଫଳରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ସଠିକ ସମୟରେ ପାଇପାରୁ ନାହାନ୍ତି। ଏଣୁ ତୁରନ୍ତ ପିପିଲି ବିଇଓଙ୍କ କାର୍ଯ୍ୟାଳୟରେ ଜଣେ କଂପୁଟର ଚାଳନା ଦକ୍ଷତା ଥିବା ଜୁନିୟର ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ପ୍ରଦାନ କରାଯିବା, ବିଇଓଙ୍କ କାର୍ଯ୍ୟାଳୟକୁ ପିପିଲିର ଜବାହର ବିଦ୍ୟାପୀଠକୁ ସ୍ଥାନାନ୍ତର କରାଯିବା ଓ ପିପିଲିରେ ସ୍ଥାୟୀ ବିଇଓ କାର୍ଯ୍ୟାଳୟ ତୁରନ୍ତ ନିର୍ମାଣ କରାଯିବା ଆଦି ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଥିଲା। ତେବେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଆଜି କୌଣସି ଉପରିସ୍ଥ ଅଧିକାରୀ ଆସିନଥିବା ବେଳେ ଆସନ୍ତା କାଲି ମଧ୍ୟ ଧାରଣା ଜାରି ରହିବ ବୋଲି ଶିକ୍ଷକନେତା ବିକ୍ରମ ରଥ ସୂଚନା ଦେଇଛନ୍ତି।
Comments are closed.