ଫଣି ଘରଭଙ୍ଗା ସହାୟତା ପାଇଁ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଧାରଣା
ପିପିଲି:୨୦୧୯ ମସିହା ଫଣି ବାତ୍ୟାରେ କ୍ଷତିଗ୍ରସ୍ତ ଜଣେ ଭିନ୍ନକ୍ଷମ ମହିଳାଙ୍କ ପରିବାରକୁ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ମିଳିନଥିବା ବେଳେ ତାଙ୍କୁ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ପ୍ରଦାନ କରାଯାଇଥିବା ଓ ଉକ୍ତ ସହାୟତା ରାଶି ୯୫ହଜାର ଶହେ ଟଙ୍କାକୁ ଫେରସ୍ତ କରିବା ପାଇଁ ପିପିଲି ତହସିଲ ପକ୍ଷରୁ ନୋଟିସ ମିଳିବା ପରେ ଭିନ୍ନକ୍ଷମ ମହିଳାଙ୍କ ପରିବାର ଏବେ ଚିନ୍ତାରେ। ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ପ୍ରଦାନ ଦାବିରେ ଉକ୍ତ ଦିବ୍ୟାଙ୍ଗ ମହିଳା ନିଜର ଭିନ୍ନକ୍ଷମ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ସହ ସୋମବାର ରାତିରେ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାଇ, ପିପିଲି ତହସିଲ ଅନ୍ତର୍ଗତ ରୂପଦେଇପୁର ପଞ୍ଚାୟତର ନାହାମଙ୍ଗପାଟଣା ଗ୍ରାମର ଦିବ୍ୟାଙ୍ଗ ମହିଳା ଟିକିନା ମଲ୍ଲିକ (୩୮)ଙ୍କ ଦୁଇବଖରା ଘର ଗତ ୨୦୧୯ ଫଣି ବାତ୍ୟାରେ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଘରଭଙ୍ଗା ସହାୟତା ବାବଦରେ ଟିକିନାଙ୍କୁ ସରକାରଙ୍କ ପକ୍ଷରୁ ୩୨ଶହ ଟଙ୍କା ମିଳିଥିଲା। ତେବେ ତାଙ୍କୁ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ବାବଦ ୯୫ହଜାର ଶହେ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ସେ ପିପିଲି ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସହ ବାରମ୍ବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦଉଡି ଦଉଡି ନିରାଶ ହୋଇଥିଲେ। ଘର ଭାଙ୍ଗି ଯାଇଥିବାରୁ ଟିକିନା ନିଜର ଭିନ୍ନକ୍ଷମ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର, ୯ବର୍ଷର ଶିଶୁପୁତ୍ର ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏବେ ଜରିପାଲ ତଳେ ବାସ କରୁଥିବା ଅଭିଯୋଗ ହୋଇଛି। ତେବେ କୁଳଶିଖରପାଟଣା ପଞ୍ଚାୟତରେ ଘରଭଙ୍ଗା ସହାୟତା ତାଲିକାରେ ଟିକିନାଙ୍କୁ ୯୫ହଜାର ଶହେ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ନେଇ ତହସିଲ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିବା ଓ ଉକ୍ତ ଟଙ୍କାକୁ ଫେରସ୍ତ ପାଇଁ ତାଙ୍କୁ ନୋଟିସ କରାଯିବା ପରେ ଟିକିନା ଓ ତାଙ୍କ ପରିବାର ଚିନ୍ତାରେ ପଡିଥିଲେ। ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ମିଳିନଥିବା ବେଳେ ତହସିଲ ପକ୍ଷରୁ କେମିତି ଟଙ୍କା ଫେରସ୍ତ କରିବାକୁ ଆମ୍ଭଙ୍କୁ ନୋଟିସ କରାଗଲା ବୋଲି ଟିକିନା ପ୍ରଶ୍ନ କରିବା ସହ ଏ ସଂପର୍କରେ ଆଜି ପିପିଲି ତହସିଲକୁ ଆସି ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ। ଟିକିନାଙ୍କ ବାପ ଘର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଜିପୁର ଗ୍ରାମରେ ହୋଇଥିବା ବେଳେ ତହସିଲ ପକ୍ଷରୁ ଭୁଲକ୍ରମେ କୁଳଶିଖରପାଟଣା ପଞ୍ଚାୟତର ଏକ ଗ୍ରାମ ବୋଲି ରିପୋର୍ଟରେ ଉଲ୍ଲେଖ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ତାଙ୍କୁ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ପ୍ରଦାନ କରାଯିବା ପାଇଁ ଟିକିନା ପୁନର୍ବାର ଆଜି ତହସିଲଦାରଙ୍କ ନିକଟରେ ଦାବି କରିଥିଲେ।
ତେବେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ସେ ନିଜ ପରିବାର ସହ ଆଜି ସଂନ୍ଧ୍ୟାରୁ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ମୋତେ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ୯୫ହଜାର ଶହେ ଟଙ୍କା ପ୍ରଦାନ କରାଯାଇଛି ବୋଲି ତହସିଲ ପକ୍ଷରୁ ମିଥ୍ୟା ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ଟିକିନା ଅଭିଯୋଗ କରିବା ସହ ତୁରନ୍ତ ଘଟଣାର ତଦନ୍ତ କରି ମୋତେ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ବାବଦରେ ୯୫ହଜାର ଶହେ ଟଙ୍କା ପ୍ରଦାନ କରାଯିବା ପାଇଁ ସେ ଦାବି କରିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି। ଟିକିନା ଜଣେ ଭିନ୍ନକ୍ଷମ ମହିଳା ହୋଇଥିବା ବେଳେ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଧ୍ୟ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି। ନିଜ ସ୍ୱାମୀ, ମାଆ ଭମା ମଲ୍ଲିକ ଓ ୯ବର୍ଷର ଶିଶୁପୁତ୍ରକୁ ଧରି ତହସିଲଦାରଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଶୀତକାକରରେ ଟିକିନା ଧାରଣାରେ ବସିଛନ୍ତି। ତେବେ ଏସଂପର୍କରେ ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଆବଶ୍ୟକ କାଗଜପତ୍ରକୁ ନେଇ ଏବେ ଘଟଣାର ପୁନର୍ବାର ଯାଞ୍ଚ କରାଯିବା ପରେ କୁଳଶିଖରପାଟଣା ପଞ୍ଚାୟତରେ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ପାଇଥିବା ଟିକିନା ଅନ୍ୟଜଣେ ମହିଳା ହୋଇଥିବା ଓ ନାହାମଙ୍ଗପାଟଣା ଗ୍ରାମର ଏହି ଟିକିନା ମଲ୍ଲିକ ସେହି ମହିଳା ନୁହେଁ ବୋଲି ଜଣାପଡିଛି ଏବଂ ଏ ସଂପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ଟିକିନାଙ୍କୁ ଆଂଶିକ ଘରଭଙ୍ଗା ସହାୟତା ମିଳିଥିବା ବେଳେ ସେ ଉପଯୁକ୍ତ ସମୟରେ ଅଭିଯୋଗ କରିନଥିଲେ। ତେଣୁ ଯଦି ଟିକିନା ଯୋଗ୍ୟ ହିତାଧିକାରୀ ହୋଇଥିବେ ତେବେ ତାଙ୍କୁ ରୁରାଲ ହାଉସିଂ ସ୍କିମ୍ରେ ପକ୍କାଘର ଯୋଗାଇ ଦେବା ପାଇଁ ପିପିଲି ବିଡିଓଙ୍କୁ ଅବଗତ କରାଯାଇଛି ବୋଲି ତହସିଲଦାର ଶ୍ରୀନନ୍ଦ କହିଛନ୍ତି।
Comments are closed.