ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ ହେବ

ପିପିଲି: ଗଣତନ୍ତ୍ରରେ ବାକ୍‍ ସ୍ୱାଧୀନତା ଓ ତାହାର ପରିପ୍ରକାଶର ମୌଳିକ ମାଧ୍ୟମ ହେଉଛି ଗଣମାଧ୍ୟମ। କାର୍ଯ୍ୟପାଳିକା, ନ୍ୟାୟପାଳିକା, ଆଇନ ପ୍ରଣୟନକାରୀ ସଂସ୍ଥା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗଣମାଧ୍ୟମ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର କିଭଳି ସୁସ୍ଥ ଓ ସମୃଦ୍ଧ ହୋଇ ରହିବ ଏବଂ ସରକାର କିଭଳି ଭାବେ ସ୍ୱେଚ୍ଛାଚାରୀ ନହୋଇ ଜନତାଙ୍କ ମଙ୍ଗଳ ପାଇଁ କାମ କରିବେ ସେଥିପାଇଁ ଗଣମାଧ୍ୟମ ହେଉଛି ପ୍ରମୁଖ ମାଧ୍ୟମ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ସୁଦୃଢ ହେବ ବୋଲି ପିପିଲି ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‍ ଦିବସ ସମାବେଶରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ଉତ୍କଳମଣି ସାମ୍ବାଦିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ଶ୍ରୀକ୍ରୀଷ୍ଣା ଗାର୍ଡେନ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‍ ଦିବସ ସମାବେଶ ଅବସରରେ ‘ଗଣତନ୍ତ୍ରର ସୁରକ୍ଷାରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ରରେ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇ ଜାତୀୟ ପ୍ରେସ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ ସାମ୍ବାଦିକ ସୁରକ୍ଷା ବିଲ୍‍ କାର୍ଯ୍ୟକାରୀ କରିବା ଓ ସ୍ୱାସ୍ଥ୍ୟ ବୀମାକୁ ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବାକୁ ସେ ଦାବି କରିଥିଲେ। ସମାବେଶରେ ଉଦ୍‍ଘାଟକ ଭାବେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାଶବର୍ମା ଯୋଗଦେଇ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କ ବିିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ ସାମ୍ବାଦିକମାନେ ସର୍ବଦା ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ମୁଖ୍ୟଅତିଥି ଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବରିଷ୍ଠ ସାମ୍ବାଦିକ ଶ୍ରୀକୁମାର ଶୁକ୍ଳ, ଧିରେନ୍ଦ୍ର ନାଥ ଦାସ, ପୁରୀ ଜିଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ବିନା ଗଣତନ୍ତ୍ର ସୁରକ୍ଷିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ସଂଘର ସାଧାରଣ ସଂପାଦକ ବିଜୟ କୁମାର ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ପିପିଲି ପ୍ରେସ୍‍ କ୍ଲବର ସଂପାଦକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ୯୧ଜଣ ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ, ସମାଜସେବୀ, କ୍ରିଡାବିତ୍‍, ମେଧାବୀ ଛାତ୍ରଛାତ୍ରୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ପିପିଲି ପ୍ରେସ୍‍ କ୍ଲବର କୋଷାଧ୍ୟକ୍ଷ ହେମନ୍ତ କୁମାର ସେଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପିପିଲି ମହୋତ୍ସବ କମିଟିର ଶଙ୍କର୍ଷଣ ପ୍ରଧାନ, ନୃସିଂହ ଚରଣ ସାହୁ, ବ୍ରଜକିଶୋର ପ୍ରଧାନ, ସ୍ୱରାଜ ରଥ, ଶ୍ରୀଧର ନାୟକ ପ୍ରମୁଖ ଏଥିରେ ସକ୍ରୀୟ ସହଯୋଗ କରିଥିଲେ। ଏହି ସମାବେଶରେ ୧୪ଟି ଜିଲାରୁ ବରିଷ୍ଠ ସାମ୍ବାଦିକଙ୍କ ସମେତ ଅଞ୍ଚଳର ବରିଷ୍ଠ ନାଗରିକ, ସମାଜସେବୀ, କ୍ରୀଡାବିତ୍‍, ବୁଦ୍ଧିଜିବୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ।

Comments are closed.