ଶିକାରୀଙ୍କ କାତି ଆକ୍ରମଣରେ ବିଦ୍ୟୁତ ବିଭାଗ ସୁପରଭାଇଜର ଗୁରୁତର
ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନ ସିଙ୍ଗାବାଡି ନିକଟ ଝାଡବାଙ୍କ ନିକଟରେ ବାରହା ଶିକାର ପାଇଁ ବିଦ୍ୟତ ତାର ବିଛା ଯାଇଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ପ୍ରତିବାଦ କରିବାରୁ ଶିକାରୀ ଜଣଙ୍କ ଏକ ଧାରୁଆ କାତିରେ ସୁପରଭାଇଜରଙ୍କୁ ଆକ୍ରମଣ କରିଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆହତ ସୁପରଭାଇଜର ଜଣଙ୍କ ହେଲେ କୋଳଥିଗାଁର ପ୍ରଦ୍ୟୁମ୍ନ କୁମାର ଜେନା ବୋଲି ପୋଲିସ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାଇ, ପ୍ରଦ୍ୟୁମ୍ନ ବିଦ୍ୟୁତ ବିଭାଗରେ ସୁପରଭାଇଜର ଭାବେ କାମ କରି ଆସୁଥିଲେ।
ଗତକାଲି ରାତି ସାଢେ ୨ଟା ବେଳେ ମହୁଡା ୧୧କେ.ଭି ଫିଡ଼ରେ ବାରମ୍ବାର ଟ୍ରିପ ହେବା ସହ ବିଦ୍ୟୁତ କଟି ଯାଇଥିଲା। ପ୍ରଦ୍ୟୁମ୍ନ ଙ୍କ ସମେତ ବିଦ୍ୟୁତ ବିଭାଗର ମହେନ୍ଦ୍ର ମାଝୀ, ଦେବରାଜ ନାୟକ ଓ ପ୍ରଭାକର ପ୍ରଧାନ ସହ ପେଟ୍ରୋଲିଂରେ ଝାଡବାଙ୍କ ନିକଟରେ ବାରହା ଶିକାର ପାଇଁ ବିଦ୍ୟୁତ ତାରରେ ଫାଶ ବିଛା ଯାଇଥିବା ବିଦ୍ୟୁତ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ।
କିଏ ଫାଶ ପକେଇଛି ଜାଣିବା ପାଇଁ ସେଠାରେ ଅପେକ୍ଷା କରିଥିବା ବେଳେ ସିଙ୍ଗା୍ବାଡ଼ି ଗାଁର ବୁଡ଼ୁ ଦାସ ଫାଶ ନିକଟରେ ପହଂଚି ଫାଶ ବାହାର କରୁଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ପ୍ରତିବାଦ କରିବା ବେଳେ ବୁଡ଼ୁ ଯୁକ୍ତି ତର୍କ କରିଥିଲା। ବୁଡ଼ୁ ହଠାତ ଉତ୍ତେଜିତ ହୋଇ ପାଖରେ ରଖି ଥିବା ଏକ ଧାରୁଆ କାତିରେ ସୁପରଭାଇଜର ପ୍ରଦ୍ୟୁମ୍ନଙ୍କ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଏ ନେଇ ଆହତ ପ୍ରଦ୍ୟୁମ୍ନ ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ପରେ ଥାନା କେଶ ନଂ ୪୯୫/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳେଇଥିବା ବେଳେ ଅଭିଯୁକ୍ତ ବୁଡ଼ୁ ଏବଂ ଅନ୍ୟ କେଉଁମାନେ ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।
Comments are closed.