ଏଥର ପିପିଲି କାହାର, ଶନିବାର ସକାଳ ୮ରୁ ଭୋଟ ଗଣତି
ପିପିଲି:ଦୀର୍ଘ ୯ବର୍ଷ ପରେ ପିପିଲି ଏନ୍ଏସିର ଅଧ୍ୟକ୍ଷ ଆସନରେ କିଏ ବସିବ ତାହାକୁ ନେଇ ସମଗ୍ର ପୌରାଞ୍ଚଳରେ ଚାଲିଛି ସରଗରମ ଆଲୋଚନା। କଂଗ୍ରେସର ଗଡ କୁହାଯାଉଥିବା ପିପିଲି ଏନ୍ଏସିକୁ ବିଜେଡି ଦ୍ୱିତୀୟ ଥର ପାଇଁ ଦଖଲ କରିବ ନା’ ପ୍ରଥମଥର ପାଇଁ ବିଜେପି ଏଠାରେ ବାଜିମାତ କରିବ ସେନେଇ ବିଭିନ୍ନ ରାଜନୈତିକ ମହଲରେ ଚାଲିଛି ଅଙ୍କକଷା। ରାତି ପାହିଲେ ଭୋଟଗଣତି ହେବାକୁ ଥିବା ବେଳେ ସମସ୍ତ ପ୍ରାର୍ଥୀ ବିଶେଷ କରି ୩ ପ୍ରମୁଖ ଦଳର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି। ତେବେ ହାରଜିତ୍କୁ ନେଇ ପ୍ରାର୍ଥୀ, କର୍ମୀ, ସମର୍ଥକଙ୍କ ମଧ୍ୟରେ ଉତ୍ସୁକତା ରହିଥିବାବେଳେ ଭୋଟ୍ ଫଳାଫଳ ଘୋଷଣା ପରେ ତାହାର ଅନ୍ତ ଘଟିବ।
ଶନିବାର ସକାଳ ୮ଟାରୁ ସ୍ଥାନୀୟ ଜବାହର ବିଦ୍ୟାପୀଠ ଠାରେ କରାଯାଇଥିବା ଭୋଟ ଗଣତି କେନ୍ଦ୍ରରେ ଭୋଟ୍ ଗଣତି କରାଯିବ। ଏଥିପାଇଁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୬ଟି ୱାର୍ଡ ବିଶିଷ୍ଟ ପିପିଲି ଏନ୍ଏସିର ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ୧୪ନଂ ୱାର୍ଡର କାଉନ୍ସିଲର ଆସନରେ ବିଜେଡିର ଲିଲିତା ପାତ୍ର ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଭାବେ ବିଜୟୀ ହୋଇସାରିଥିବା ବେଳେ ଅନ୍ୟ ୧୫ଟି କାଉନ୍ସିଲର ଆସନରେ ହୋଇଥିବା ମତଦାନର ଭୋଟ୍ ଗଣତି କରାଯିବ। ସେହିପରି ୧୬ଟି ୱାର୍ଡରେ ଅଧ୍ୟକ୍ଷ ଆସନ ପାଇଁ ହୋଇଥିବା ମତଦାନର ଭୋଟ୍ ଗଣତି କରାଯିବ। ଭୋଟ୍ ଗଣତି କାର୍ଯ୍ୟରେ ୨୫ରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ହେବେ। ଭୋଟ୍ଗଣତି ସମୟରେ ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦଙ୍କ ସମେତ ନୋଡାଲ ଅଧିକାରୀ ଦାୟିତ୍ୱରେ ଥିବା ଜିଲା ଭୂଅର୍ଜ୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ପୁରୀ ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ପିପିଲିର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ରହିଥିବା ବେଳେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାଉନ୍ସିଲର ଭୋଟ୍ ଗଣତି ପାଇଁ ୨ଟି ଟେବୁଲ ଓ ଚେୟାରମ୍ୟାନ ଭୋଟ୍ ଗଣତି ପାଇଁ ୨ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଲେଖାଏଁ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ରହିବେ। ଭୋଟ୍ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଟେବୁଲର ବାମ ପାଶ୍ୱର୍ରେ କାଉନସିଲର ଓ ଦକ୍ଷିଣ ପାର୍ଶ୍ବରେ ଅଧ୍ୟକ୍ଷ ନିମନ୍ତେ ଭୋଟ ଗଣନା କରାଯିବ। ପ୍ରତି ରାଉଣ୍ଡରେ ୨ଟି ବୁଥ୍ର ଭୋଟଗଣତି କରାଯିବାକୁ ଥିବାରୁ ପିପିଲିର ୨୦ଟି ବୁଥ୍ ପାଇଁ ୧୦ରାଉଣ୍ଡ ଭୋଟ୍ଗଣତି ହେବ ବୋଲି ସୂଚନା ମିଳିଛି। ଗୋଟିଏ ୱାର୍ଡର ସମସ୍ତ ବୁଥ୍ର ଭୋଟ୍ଗଣତି ସରିବା ପରେ ଫଳାଫଳ ଘୋଷଣା କରାଯିବ।
ତେବେ ଭୋଟ୍ଗଣତି ସମୟ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ହୃତ୍ସ୍ପନ୍ଦନ ସେତିକି ବଢିବାରେ ଲାଗିଛି। ଭୋଟ୍ ଫଳାଫଳକୁ ନେଇ ସେମାନଙ୍କ ଅଙ୍କକଷା ଛିଣ୍ଡି ପାରୁନାହିଁ। ପିପିଲି ଏନ୍ଏସି ଅଧ୍ୟକ୍ଷ ଆସନରେ କଂଗ୍ରେସ ଦଳରୁ ଗୁଣନିଧି ପ୍ରଧାନ, ବିଜେଡିରୁ ସେକ୍ ବାବୁ, ଭାଜପାରୁ ସୁକାନ୍ତ ଭଟ୍ଟ, ଆମ୍ ଆଦମୀ ପାର୍ଟିରୁ ବାଦଲ ଖାନ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଭାଜପାର ଅସନ୍ତୁଷ୍ଟ ଯୁବନେତା ଦେବାଶିଷ ଦିକ୍ଷୀତ ପ୍ରତିଦ୍ୱନ୍ଦତା କରୁଛନ୍ତି। ଏଠାରେ ମୁଖ୍ୟତଃ ତ୍ରିମୁଖି ଲଢେଇ ହେବ ବୋଲି ଯାହା ଅନୁମାନ କରାଯାଉଥିଲା ଭୋଟ୍ ପରେ ତା’ର ଚିତ୍ର ବଦଳି ଯାଇଛି। ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିବା ସୂଚନା ମଳିଛି। କଂଗ୍ରେସର ଦୁର୍ଗ କୁହାଯାଉଥିବା ପିପିଲି ଏନ୍ଏସିକୁ ପ୍ରଥମଥର ପାଇଁ ୨୦୦୮ ମସିହାରେ ବିଜେଡି ଦଖଲ କରିବାରେ ସକ୍ଷମ ହୋଇଥିଲା। ସେତେବେଳେ ବିଜେଡିର ସେକ୍ ବାବୁ ପୌରାଧ୍ୟକ୍ଷ ହୋଇଥିଲେ। ଏବେ ଦ୍ୱିତୀୟ ଥର ପାଇଁ ବିଜେଡିର ସେକ୍ ବାବୁ ଅଧ୍ୟକ୍ଷ ଆସନ ଅକ୍ତିଆର କରିବେ ବୋଲି ଦଳ ଆଶା ରଖିଛି। ସେହିପରି ୨୦୧୩ ମସିହାରେ କଂଗ୍ରେସ ଦଳର ସୁକାନ୍ତ ଭଟ୍ଟ ପିପିଲି ଏନ୍ଏସିରେ ଉପାଧ୍ୟକ୍ଷ ରହିଥିଲେ। ଶ୍ରୀଭଟ୍ଟ ଏବେ ଭାଜପା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେଣୁ ଏଠାରେ ପ୍ରଥମଥର ପାଇଁ ଅଧ୍ୟକ୍ଷ ଆସନ ଅକ୍ତିଆର କରିବାରେ ବିଜେପି ସକ୍ଷମ ହେବ ଓ ସୁକାନ୍ତ ପୌରାଧ୍ୟକ୍ଷ ହେବେ ବୋଲି ଭାଜପା ଆଶା ରଖିଛି। ତେବେ ଦୀର୍ଘ ୯ବର୍ଷ ପରେ ଏଠାରେ ହୋଇଥିବା ପୌର ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ତାହାକୁ ନେଇ ପୌରବାସୀ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
Comments are closed.