ଅସ୍ତିତ୍ବ ହରାଇବ ପିଲାସାଲୁଙ୍କୀ ନଦୀ!

ଫୁଲବାଣୀ : ଫୁଲବାଣୀ ସହରର ଜୀବନରେଖା ଭାବେ ପରିଚିତ ପିଲାସାଲୁଙ୍କୀ ନଦୀ ଫୁଲବାଣୀ ସହରର ପାନୀୟ ଜଳ ଆବଶ୍ୟକତା ସହ ଏ ଅଞ୍ଚଳର କୃଷି ଆବଶ୍ୟକତାକୁ ମଧ୍ୟ ପୂରଣ କରି ଆସୁଛି। କିନ୍ତୁ ଦିନକୁ ଦିନ ସହରର ଜନସଂଖ୍ୟା ବୃଦ୍ଧି ସହିତ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହି ନଦୀର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଫୁଲବାଣୀ ନୁହେଁ, ପିଲାସାଲୁଙ୍କି ଓ ବଡ଼ ସାଲୁଙ୍କି ଉପରେ ନିର୍ଭର କରୁଥିବା କନ୍ଧମାଳ ଜିଲାର ବିଭିନ୍ନ ବ୍ଳକର ଅଧିବାସୀ ମଧ୍ୟ ନଦୀର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି।
ବଡ଼ସାଲୁଙ୍କୀ ନଦୀର ଏହି ପ୍ରମୁଖ ଶାଖା ନଦୀ ବର୍ଷ ବର୍ଷ ଧରି ଲୋକଙ୍କ ଆବଶ୍ୟକତା ପୂରଣ କରି ଆସୁଛି। ଫୁଲବାଣୀ ସହର ଏହି ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସହରକୁ ଚତୁର୍ଦିଗରୁ ଘେରି ରହିଛି ସାଲୁଙ୍କୀ ନଦୀ। ପ୍ରାୟ ପାଞ୍ଚ କିଲୋମିଟର ଦୀର୍ଘ ନଦୀ କୂଳରେ ରହିଛି ଫୁଲବାଣୀ ସହରର ଅନେକ ଜନବସତି। ନଦୀକୂଳରେ ବହୁ ସଂଖ୍ୟାରେ ଜନବସତି ଗଢି ଉଠିବା ସାଙ୍ଗକୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ନିୟମ ଅଭାବରୁ ନଦୀ ଅନେକ ସ୍ଥାନରେ ପୋତି ହେବାକୁ ବସିଛି। ନଦୀର ଉପର ମୁଣ୍ଡରୁ ଆରମ୍ଭ କରି ତଳମୁଣ୍ଡ ପର୍ୟ୍ୟନ୍ତ ଜନବସତିର ସସସ୍ତ ଆବର୍ଜନା ନଦୀ ମଧ୍ୟକୁ ନିଷ୍କାସିତ ହେଉ ଥିବାରୁ ନଦୀ ଜଳ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି। ସହରର କିଛି ସଚେତନ ନାଗରିକଙ୍କ ଦ୍ବାରା ସାଲୁଙ୍କୀ ବଞ୍ଚାଅ ସଂଗଠନ ସ୍ଥାପନ କରାଯାଇ ଆନ୍ଦୋଳନ କରାଯାଇଥିଲା। ୨୦୧୨ରେ ତତ୍କାଳୀନ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଲା ସାଲୁଙ୍କୀର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ସେତେବେଳେ ପୌର ପରିଷଦ ପକ୍ଷରୁ ପିଅନପଡାଠାରୁ ଆରମ୍ଭ କରି ନଦୀ କୂଳେ କୂଳେ ଏକ ସ୍ବେରେଜ ଲାଇନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆ ଯାଇଥିଲା। ସହରର ସମସ୍ତ ଆବର୍ଜନା ଓ ଦୂଷିତ ଜଳ ଏହି ସ୍ବେରେଜ ମାଧ୍ୟମରେ ସଂଗୃହୀତ ହୋଇ ବିଶୋଧନ କରାଯିବା ପ୍ରସ୍ତାବ ରହିଥିଲା। କିନ୍ତୁ ଏ ପ୍ରସ୍ତାବ ଆଜି ପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇ ପାରିନାହିଁ। ପୌର ପରିଷଦ ପକ୍ଷରୁ କେବଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ସ୍ଥାପିତ ହୋଇଛି। ପ୍ରଶାସନରୁ ନିରାଶ କିଛି ସମାଜସେବୀ ସାଲୁଙ୍କୀ ନଦୀର ସୁରକ୍ଷା ପାଇଁ ଅଦାଲତର ଆଶ୍ରୟ ନେଇଥିଲେ। ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତ ଏହାର ବିଚାର କରି ଗତବର୍ଷ ନଦୀ ଜଳକୁ ଦୂଷିତ ହେବାରୁ ବଞ୍ଚାଇବା ପାଇଁ ଏକ ସ୍ବେରେଜ ବ୍ୟବସ୍ଥା ନିର୍ମାଣ ପାଇଁ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରିଷଦ ପକ୍ଷରୁ ଆଜି ପର୍ୟ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ନଦୀର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଥିବା ସାମାଜିକ କର୍ମୀ ଅଶୋକ ପରିଡା କହିଛନ୍ତି। ଏବେ ବି ସହରର ବର୍ଜ୍ୟ ଜଳ ନଦୀରେ ମିଶୁଛି। ଏ ନେଇ ସହରବାସୀଙ୍କୁ ସଚେତନ କରିବା ଏବଂ ଆବଶ୍ୟକ ସ୍ଥଳେ ଆଇନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସେଭଳି କିଛି ହେଉନାହିଁ। ପୂର୍ବରୁ ନଦୀଖଣ୍ଡି ସାହିଠାରେ ଥିବା ଡ୍ୟାମ ନିକଟରେ ଜଳଯୋଗାଣ ବିଭାଗ ପକ୍ଷରୁ ପମ୍ପ ହାଉସ ନିର୍ମାଣ କରାଯାଇ ସହରକୁ ପାନୀୟ ଜଳ ଯୋଗାଣ ହେଉଥିଲା। କିନ୍ତୁ ଏହି ସ୍ଥାନରେ ନଦୀ ପୋତି ହୋଇ ଯାଉଥିବାରୁ ପମ୍ପ ହାଉସକୁ ସରକାରୀ ମହାବିଦ୍ୟାଳୟ ନିକଟକୁ ସ୍ଥାନାନ୍ତର କରାଯାଇଛି। ଧୀରେ ଧୀରେ ସେଠାରେ ମଧ୍ୟ ନଦୀ ପୋତି ହେବାକୁ ବସିଲାଣି। ଏ ସମ୍ପର୍କରେ ପୌର ପରିଷଦ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କୁ ପଚରାଯିବାରୁ ସେ କହିଛନ୍ତି, ନଦୀ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସହରରେ ଶତ ପ୍ରତିଶତ ପାଇଖାନା ନିର୍ମାଣ କରାଯାଇଛି। କୌଣସି ବ୍ୟକ୍ତି ଘରର ପ୍ରଦୂଷିତ ଜଳ କିମ୍ବା ବର୍ଜ୍ୟବସ୍ତୁ ନଦୀକୁ ଛାଡିଲେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ସ୍ବେରେଜ ଲାଇନ ନିର୍ମାଣ ପାଇଁ ସର୍ଭେ କାମ ଚାଲିଥିବା ସେ କହିଛନ୍ତି।
Comments are closed.