ପିକଅପ ଧକ୍କାରେ ୨ କଲେଜ ଛାତ୍ର ମୃତ
ଆଠଗଡ : ଆଠଗଡ-ମୁଣ୍ଡଳୀ ଭାୟା କନ୍ଦରପୁର ରାସ୍ତାର କନ୍ଦରପୁର ନିକଟ ରାସ୍ତାରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ନାବାଳକ କଲେଜ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କନ୍ଦରପୁର ଗ୍ରାମର ନାରାୟଣ ଦାସଙ୍କ ପୁଅ ଅଂଶୁମାନ ଦାସ(୧୭) ଏବଂ ପ୍ରମୋଦ କୁମାର ବେହେରାଙ୍କ ପୁଅ ସୌମ୍ୟରଞ୍ଜନ ବେହେରା(୧୭) ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଅଂଶୁମାନ କଖଡି କଲେଜର +୨ ର ଛାତ୍ର ହୋଇଥିବାବେଳେ ସୌମ୍ୟରଞ୍ଜନ ଖୁଣ୍ଟୁଣୀ କଲେଜର +୨ ଛାତ୍ର ବୋଲି ଜଣାପଡିଛି । ଉଭୟ କଲେଜରୁ ଫେରିବା ପରେ ଏକ ସାଇକେଲରେ ନଣ୍ଡାଇଲୋ ଗ୍ରାମକୁ ଯାଇ ଫେରିବା ବାଟରେ ରାସ୍ତା କଡରେ ଛିଡା ହୋଇ କଥାବାର୍ତ୍ତା ହେଉଥିବା ସମୟରେ ସେହି ରାସ୍ତା ଦେଇ ଅନୁଗୁଳରୁ ଭୁବନେଶ୍ବର ଦୃତଗତିରେ ଯାଉଥିବା ଏକ ପିକ୍ ଅପ୍ ଭ୍ଯାନ ବୁଲାଣି ରାସ୍ତାରେ ଭାରସାମ୍ଯ ହରାଇ ସେମାନଙ୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା ।
ଉଭୟ ଯୁବକଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଅଂଶୁମାନଙ୍କୁ ମୃତ ଘୋଷଣା କରିଥିବାବେଳେ ସୌମ୍ୟରଞ୍ଜନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୌମ୍ୟରଞ୍ଜନଙ୍କର କଟକ ବଡ ଡାକ୍ତରଖାନାରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ଏହି ଦୁର୍ଘଟଣାକୁ ନେଇ କନ୍ଦରପୁର ରାସ୍ତାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ତା ସହିତ ଦୁର୍ଘଟଣାଗ୍ରସ୍ତ ଗାଡିଟି ରାସ୍ତା ଉପରେ ଓଲଟି ପଡିଥିବାରୁ ଉକ୍ତ ରାସ୍ତା ଅବରୋଧ ହୋଇ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଆଇଆଇସି ଅନିରୁଦ୍ଧ ମୁଦୁଲି, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ରାସ୍ତା କଡରୁ ହଟାଇବା ପରେ ଗାଡିମଟର ଚଳାଚଳ ସ୍ଵାଭାବିକ ହୋଇଥିଲା । ଅଂଶୁମାନଙ୍କର ମୃତଦେହ ଆଠଗଡ ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ଅନ୍ୟତମ ମୃତକ ସୌମ୍ଯରଞ୍ଜନଙ୍କ ମୃତଦେହ କଟକ ବଡ ଡାକ୍ତରଖାନାରେ ଆସନ୍ତାକାଲି ସକାଳେ ବ୍ୟବଛେଦ ପରେ ଗ୍ରାମକୁ ଆସିବ ବୋଲି ଜଣାପଡିଛି । ଏକା ଗ୍ରାମର ଦୁଇ ସାଙ୍ଗଙ୍କ ଏପରି ଦୁଖଃଦ ମୃତ୍ୟୁକୁ ନେଇ କନ୍ଦରପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Comments are closed.