କିରାମାହା ଗ୍ରାମବାସୀଙ୍କୁ ମିଳୁନି ବସୁଧା ପାନୀୟ ଜଳ

ଫୁଲବାଣୀ: ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ହେତୁ କିରାମାହା ଗ୍ରାମବାସୀଙ୍କୁ ମିଳୁନି ବସୁଧା ପାନୀୟ ଜଳ। କନ୍ଧମାଳ ଜିଲା ଝିଞ୍ଜିରୀଗୁଡା ପଞ୍ଚାୟତର କିରାମାହା ଗ୍ରାମରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ କିରାମାହାକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଇଥିବା ବେଳେ ଏହାର କାର୍ଯ୍ୟ ଅତି ନିମ୍ମ ମାନର ହୋଇ ଥିବାରୁ ବାରମ୍ବାର ଅଚଳ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମରେ ପ୍ରାୟ ୪ ଶହ ପରିବାର ବସବାସ କରୁଥିବା ବେଳେ ୯୫ପ୍ରତିଶତ ଲୋକ ଦିନ ମଜୁରିଆ ଭାବେ କାମ କରନ୍ତି, ଗ୍ରାମରେ ପାଇପ ଯୋଗେ ଜଳ ଯୋଗଣ ବନ୍ଦ ଯୋଗୁଁ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।

ଗ୍ରାମବାସୀ ଗାଁ ନିକଟ ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। କିଛି ଲୋକ ଚୁଆ ଓ ପୋଖରୀ ଜଳ ବ୍ୟବହାର କରି ବିଭିନ୍ନ ଭୁତାଣୁ ଜନିତ ରୋଗର ଶିକାର ମଧ୍ୟ ହେଉଛନ୍ତି ବୋଲି ଗ୍ରାମର ସୁଶୀଲ ନାୟକଙ୍କ ସମେତ ଅନ୍ୟମାନେ କହିଛନ୍ତି। ଗ୍ରାମବାସୀ ଏନେଇ ବିଭାଗୀୟ ଅଧିକାରୀ ଯନ୍ତ୍ରୀଙ୍କୁ ଫୋନ କଲେ କେହି ଫୋନ ଉଠାଉ ନଥିବା ବେଳେ ଟୋଲ ଫ୍ରି ନମ୍ବର ୧୯୧୬ କୁ ଫୋନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Comments are closed.