ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜି.ଉଦୟଗିରି ବିଧାୟକ, ଚିନ୍ତାରେ ଫୁଲବାଣୀ ଓ ବାଲିଗୁଡ଼ା ବିଧାୟକ

ଫୁଲବାଣୀ: କନ୍ଧମାଳ ଲୋକସଭା ଆସନ ପାଇଁ ଇତି ମଧ୍ୟରେ ବିଜେଡ଼ି ପ୍ରାର୍ଥୀ ଭାବେ ପୁଣିଥରେ ଦଳ ଡ଼.ଅଚ୍ୟୁତ ସାମନ୍ତ ନାମ ଘୋଷଣା କରିଥିବା ବେଳେ କନ୍ଧମାଳ ଜିଲାର ତିନୋଟି ବିଧାନସଭା ଆସନ ମଧ୍ୟରୁ ଇତି ମଧ୍ୟରେ ଦଳ ଜି.ଉଦୟଗିରି ବିଧାନସଭା ଆସନ ପାଇଁ ସାଲୁଗା ପ୍ରଧାନଙ୍କ ନାମ ଘୋଷଣା କରିସାରିଛି। ନାମ ଘୋଷଣା ପରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳିର ବିିଭିନ୍ନ ଅଞ୍ଚଳରେ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରାଯାଇଥିବା ବେଳେ ବହୁ ଆଶାୟୀମାନେ ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ ଯୋଗୁଁ ଟିକଟ ପାଇବାରେ ବିଫଳ ହୋଇଥିଲେ ମଧ୍ୟ କେହି କିଛି ପାଟି ଫିଟାଇବାକୁ ସାହାସ କରୁନାହାନ୍ତି। ଗୁରୁବାର ସାଲୁଗା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସାଧୁବାଦ ଜଣାଇଛନ୍ତି।

ଏହି ସାକ୍ଷାତ ସମୟରେ ୫-ଟି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ। ତେବେ ସମୟ ଯେତିକି ଯେତିକି ବଢୁଛି ଫୁଲବାଣୀ ଓ ବାଲିଗୁଡ଼ା ବିଧାନସଭାରେ ଉଭୟ ବିଧାୟକଙ୍କ ପାଇଁ ମଧ୍ୟ ଚିନ୍ତା ବୃଦ୍ଧି ପାଉଛି। ଦଳ ଜି.ଉଦୟଗିରି ବିଧାନସଭା ପରି ଫୁଲବାଣୀ ଓ ବାଲିଗୁଡ଼ା ବିଧାନସଭାରେ ପାର୍ଥୀ ରିପିଟ୍ କରିବେ ନା ନୂଆ ପ୍ରାର୍ଥୀ ଦେବେ ତାହାକୁ ନେଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ନାନା ଆଶଙ୍କା ସୃଷ୍ଟି ହୋଇଛି। ଜି.ଉଦୟଗିରି ବିଧାନସଭା ଆସନ ପାଇଁ ଯେଉଁ ସବୁ ଆଶାୟୀମାନେ ଆଶା କରି ରହିଥିଲେ ସେମାନେ ସମସ୍ତେ ନିରାଶ ହୋଇଥିବା ବେଳେ ଫୁଲବାଣୀ ଓ ବାଲିଗୁଡ଼ା ବିଧାନସଭା ପ୍ରାର୍ଥୀହେବା ପାଇଁ ଯେଉଁ ସବୁ ଗଦା ଗଦା ଆଶାୟୀ ରହିଛନ୍ତି ସେମାନେ ସମସ୍ତେ ନିରାଶ ହେବ ନା ଦଳ କୌଣସି ନୂତନ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ନା ରିପିଟ୍ କରିବ ତାହାକୁ ନେଇ ଦଳ ମଧ୍ୟରେ ନାନା ପ୍ରକାର ଗୁଞ୍ଜରଣ ସୃଷ୍ଟି ହୋଇଛି।

Comments are closed.