୨ ମାସରୁ ଉର୍ଦ୍ଧ୍ବ ହେବ ଫୁଲବାଣୀ-କାଟିଙ୍ଗା ସରକାରୀ ବସ୍ ଚଳାଚଳ ବନ୍ଦ; ଯାତ୍ରୀ ହନ୍ତସନ୍ତ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜନସାଧାରଣଙ୍କ ଗମନାଗମନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୪ ମସିହାରେ ଫୁଲବାଣୀଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଶାଖା ପ୍ରତିଷ୍ଠା କରାଯାଇଥିଲା । ଶାଖା ପ୍ରତିଷ୍ଠା ହେବା ପରଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣଙ୍କ ଯାତାୟତ କ୍ଷେତ୍ରରେ ସୁବ୍ୟବସ୍ଥା ହୋଇପାରୁଥିଲା । ସେହି ପରିପ୍ରେକ୍ଷୀରେ ଫୁଲବାଣୀଠାରୁ କାଟିଙ୍ଗା ପର୍ଯ୍ୟନ୍ତ ଭାୟା-ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗିବାଡ଼ି ଏବଂ ବ୍ରାହ୍ମଣୀଗାଁ ଦେଇ ପ୍ରତ୍ୟେକ ଦିନ ୨ ଗୋଟି ସରକାରୀ ବସ୍ ଚଳାଚଳ କରୁଥିଲା । ଯାଦ୍ଵାରା ଜନସାଧାରଣ ଗ୍ରାମାଞ୍ଚଳଠାରୁ ଜିଲ୍ଲାର ସଦର ମହକୁମାକୁ ଯାତାୟତ କରିପାରୁଥିଲେ । କିନ୍ତୁ ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ହେବ ଫୁଲବାଣୀଠାରୁ କାଟିଙ୍ଗା ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨ ଗୋଟି ସରକାରୀ ବସ୍‌କୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ବନ୍ଦ କରି ଦିଆଯାଇଛି । କେଉଁ କାରଣ ଯୋଗୁଁ ବନ୍ଦ କରିଦିଆଯାଇଛି ସେ ନେଇ କର୍ତ୍ତୃପକ୍ଷଙ୍କୁ ପଚାରିଲେ କୌଣସି ପ୍ରକାର ମୁହଁ ଖୋଲୁ ନାହାନ୍ତି। ଫଳରେ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ମାର୍ଗ ଏକ ଲାଭଜନକ ମାର୍ଗ ହୋଇଥିବା ବେଳେ ଉକ୍ତ ବସରେ ନିୟୋଜିତ ଥିବା କିଛି ଦୁର୍ନୀତିଗ୍ରସ୍ତ କଣ୍ଡକ୍ଟରମାନେ ଯାତ୍ରୀ ଭଡ଼ା ବାବଦରେ ଆଦାୟ କରୁଥିବା ଟଙ୍କାକୁ ଆତ୍ମସାତ କରିବା ଦ୍ୱାରା ଉକ୍ତ ମାର୍ଗରେ ଚଳାଚଳ କରୁଥିବା ବସ୍ କ୍ଷତିରେ ଚାଲିଛି ବୋଲି ଏକ ପ୍ରକାର ରିପୋର୍ଟ ଦର୍ଶାଯାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଥିଲେ ମଧ୍ୟ ଏହାକୁ ଅନେକ ମହଲରେ ନିନ୍ଦା କରାଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ ଅଚାନକ ବସଗୁଡ଼ିକର ଯାଞ୍ଚ କରିବାର ନିୟମ ରହିଥିଲେ ସୁଦ୍ଧା କର୍ତ୍ତୃପକ୍ଷ ବସ୍‌ଗୁଡ଼ିକ ନିୟମିତ ଯାଞ୍ଚ କରୁନାହାନ୍ତି । ବେଳେ ବେଳେ ଯାଞ୍ଚ୍ କରାଗଲେ ମଧ୍ୟ କଣ୍ଡକ୍ଟରମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହା ଦ୍ଵାରା ଦୁର୍ନୀତିର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଆଗାମୀ ୧ ସପ୍ତାହ ମଧ୍ୟରେ ଉଭୟ ଫୁଲବାଣୀଠାରୁ କାଟିଙ୍ଗା ଏବଂ କାଟିଙ୍ଗାଠାରୁ ଫୁଲବାଣୀ ପର୍ଯ୍ୟନ୍ତ ୨ ଗୋଟି ମାର୍ଗରେ ପୁନର୍ବାର ବସ୍ ଚଳାଚଳ କରିବାର ବ୍ୟବସ୍ଥା କରିବା ପାଇଁ ଦାରିଙ୍ଗିବାଡ଼ି, ଘୁ.ଉଦୟଗିରି ଏବଂ ରାଇକିଆବାସୀ ଦାବି କରିଛନ୍ତି । ଯଦିଓ ଆଗାମୀ ଏକ ସପ୍ତାହ ମଧ୍ୟରେ ନିର୍ଦ୍ଧାରିତ ମାର୍ଗରେ ପୁନର୍ବାର ବସ୍ ଚଳାଚଳ ନ କରାଯାଏ ତାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପାଇଁ ଉକ୍ତ ୩ ଗୋଟି ବ୍ଲକର ଜନସାଧାରଣ ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ପ୍ରକାଶ।

 

Comments are closed.